ଚିନ୍ତା ବଢ଼ାଉଛି ଡଲାର

ବଢ଼ିବ କାର୍‌, ଟିଭି ଦାମ୍‌

ନୂଆଦିଲ୍ଲୀ: ତେଲ ଦରକୁ ନେଇ ଚିନ୍ତିତ ହୋଇଥିବା ଲୋକମାନଙ୍କୁ ସମସ୍ୟା ଆହୁରି ବଢ଼ିବ। ସେମାନେ ଆହୁରି ଅନେକ ସାମଗ୍ରୀ କିଣିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିବ। କାର୍‌, ଟିଭି ଓ ଆମଦାନି ହେଉଥିବା ସବୁ ପ୍ରକାର ଉତ୍ପାଦ ପାଇଁ ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଏହାର ମୁଖ୍ୟ କାରଣ ହେଉଛି ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି। ବିଗତ ଦୁଇ ମାସ ହେଲାଣି ଟଙ୍କା ମୂଲ୍ୟ ଡଲାର ତୁଳନାରେ ୬୭-୬୮ ଟଙ୍କାରୁ ଅଧିକ ରହୁଛି। ଏଭଳି ପରିସ୍ଥିତି ତେଲ ସମେତ ଅନ୍ୟ ସବୁ ପ୍ରକାର ସାମଗ୍ରୀର ଆମଦାନି ମହଙ୍ଗା ହୋଇଛି। ଦୀର୍ଘ ଦିନ ଧରି ଟଙ୍କା ଏଭଳି ଦୁର୍ବଳ ସ୍ତରରେ ରହିଥିବାରୁ କଂପାନିଗୁଡ଼ିକର ଆମଦାନି ଖର୍ଚ ବହୁତ ବଢ଼ିଗଲାଣି। ସେହି ଖର୍ଚକୁ ଭରଣା କରିବା ପାଇଁ ସେମାନେ ନିଜ ଉତ୍ପାଦିତ ସାମଗ୍ରୀର ଦାମ୍‌ ବଢ଼ାଇବା ଉପରେ ବିଚାର କରୁଛନ୍ତି। କିଛି ଦିନ ତଳେ ଜିଏସ୍‌ଟି ପରିଷଦ ପକ୍ଷରୁ ଟିଭି, ଫ୍ରିଜ୍‌ ଆଦି ୧୦୦ରୁ ଅଧିକ ସାମଗ୍ରୀ ଉପରେ ଟିକସ ପରିମାଣ ହ୍ରାସ କରାଯାଇଥିଲା। ଏହାକୁ ନେଇ ଲୋକମାନେ ବହୁତ ଖୁସି ହୋଇଯାଇଥିଲେ। ସେମାନଙ୍କ ଖୁସି ବେଶି ଦିନ ରହିବ ନାହିଁ। କାରଣ ଟିକସ ହ୍ରାସ ଯୋଗୁଁ ଯେଉଁ ଲାଭ ମିଳିବାର ଥିଲା ତାହାକୁ ଟଙ୍କା ଧୋଇ ନେବ। ଆଜି ମୁଦ୍ରା ବିନିମୟ ବଜାରରେ ଡଲାରର ମୂଲ୍ୟ ୬୮ ଟଙ୍କା ୭୯ ପଇସା ରହିଛି। ଏସିଆର ଯେତେ ସବୁ ଦେଶ ରହିଛି ସେମାନଙ୍କ ମଧ୍ୟରୁ ଭାରତୀୟ ଟଙ୍କାର ପ୍ରଦର୍ଶନ ଡଲାର ତୁଳନାରେ ସବୁଠୁ ଖରାପ ରହିଛି। ନିକଟ ଭବିଷ୍ୟତରେ ଏହି ସ୍ଥିତିରେ ସୁଧାର ହେବାର ବହୁତ କମ୍‌ ସମ୍ଭାବନା ରହିଛି। ମାରୁତି ସୁଜୁକି, ଅଡି, ମର୍ସିଡିସ୍‌-ବେଞ୍ଜ୍‌ ଭଳି କଂପାନି ନିଜ କାର୍‌ର ଦାମ୍‌ ବଢ଼ାଇବା ଉପରେ ବିଚାର କରୁଛନ୍ତି। ସେହିପରି ପାନାସୋନିକ୍‌, ସୋନି ଓ ଥମ୍‌୍‌ସନ୍‌ ଟିଭି ପକ୍ଷରୁ ଟିଭି ଦର ବଢ଼ାଇବା ଉପରେ ବିଚାର କରାଯାଉଛି। ଖୁବ୍‌ଶୀଘ୍ର ଏହି କଂପାନିଗୁଡ଼ିକ ଦର ବୃଦ୍ଧି କରିବାକୁ ଯାଉଛନ୍ତି। ଦେଶରେ ଉତ୍ପାଦିତ ହେଉଥିବା ଗାଡ଼ି ଓ ଟିଭି କିମ୍ବା ଫ୍ରିଜ୍‌ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଅଧିକାଂଶ କଞ୍ଚାମାଲ୍‌ ଦେଶ ଭିତରେ ଥିବା ବ୍ୟବସାୟୀଙ୍କଠାରୁ ସଂଗ୍ରହ କରାଯାଉଛି। କିନ୍ତୁ ଏବେବି ଏଭଳି ଅନେକ ଉତ୍ପାଦ ରହିଛି ଯାହାକୁ ଆମଦାନି କରିବାକୁ କାର୍‌ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତାମାନେ ବାଧ୍ୟ ହେଉଛନ୍ତି। ଆମଦାନି ପାଇଁ କଂପାନିଗୁଡ଼ିକୁ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ତାହାର ପ୍ରଭାବ ସେମାନେ ଉତ୍ପାଦନ କରୁଥିବା ସାମଗ୍ରୀଗୁଡ଼ିକର ଖୁଚୁରା ମୂଲ୍ୟ ଉପରେ ପଡ଼ିବ। ତେବେ କେଉଁ ସାମଗ୍ରୀ ଦର କେତେ ବଢ଼ିବ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର