ନୂଆଦିଲ୍ଲୀ: ଖରାପ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକଠାରୁ ଟୋଲ୍ ଶୁଳ୍କ ସଂଗ୍ରହ ଅନୁଚିତ ବୋଲି ଜମ୍ମୁ ଓ କାଶ୍ମୀର ଓ ଲଦାଖ୍ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏନ୍ଏଚ୍-୪୪ରେ ଖରାପ ଅବସ୍ଥାରେ ଥିବା ସଡ଼କଗୁଡ଼ିକ ଲାଗି ଟୋଲ୍ ଶୁଳ୍କ କମ୍ କରିବାକୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ତାଶି ରବ୍ସ୍ତାନ ଓ ଜଷ୍ଟିସ୍ ଏମ୍ ଏ ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ପଠାନ୍କୋଟ୍-ଉଧମପୁର ରାସ୍ତାରେ ଲଖନପୁର ଓ ବନ୍ରେ ଥିବା ଟୋଲ୍ ପ୍ଲାଜାରେ କେବଳ ୨୦% ଟୋଲ୍ ଶୁଳ୍କ ଆଦାୟ କରିବାକୁ ଏନ୍ଏଚ୍ଏଆଇକୁ ହାଇକୋର୍ଟ କହିଛନ୍ତି। ଏହି ନିଷ୍ପତ୍ତି ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍ଏଚ୍-୪୪ରେ ୬୦ କିଲୋମିଟର ବ୍ୟବଧାନରେ କୌଣସି ଟୋଲ୍ ପ୍ଲାଜା ନ ରଖିବାକୁ କୋର୍ଟ କହିଛନ୍ତି। ଯଦି କୌଣସିଠାରେ ସେଭଳି ଟୋଲ୍ ପ୍ଲାଜା ରହିଛି, ତାହାକୁ ଦୁଇ ମାସ ଭିତରେ ହଟାଇବାକୁ କୁହାଯାଇଛି। କେବଳ ଶୁଳ୍କ ସଂଗ୍ରହ ଲକ୍ଷ୍ୟ ନେଇ ଜମ୍ମୁ ଓ କାଶ୍ମୀର ଓ ଲଦାଖ୍ରେ ବହୁ ସଂଖ୍ୟାରେ ଟୋଲ୍ ପ୍ଲାଜା ବସାଇବାକୁ ମଧ୍ୟ ହାଇକୋର୍ଟ ନାପସନ୍ଦ କରିଛନ୍ତି।
କୋର୍ଟ କହିଛନ୍ତି ଯେ ଖରାପ ରାସ୍ତା ଓ ଚଢ଼ା ଟୋଲ୍ ଶୁଳ୍କ ପାଇଁ ସାଧାରଣ ଜନତା ବେଶ୍ ପ୍ରଭାବିତ ହେଉଛନ୍ତି। ୨୦୨୪ ଜୁନ୍ରେ ଏକ ବିଶ୍ବସ୍ତରୀୟ କର୍ମଶାଳାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଥିବା କଥାକୁ ମଧ୍ୟ କୋର୍ଟ ଉଲ୍ଲେଖ କରିଛନ୍ତି। ଗଡ଼କରୀ କହିଥିଲେ ଯେ ଯଦି ସଡ଼କ ଖରାପ ସ୍ଥିତିରେ ରହିଛି ଓ ଲୋକମାନେ ଅସୁବିଧା ଭୋଗୁଛନ୍ତି, ତେବେ ରାଜପଥ ଏଜେନ୍ସିଗୁଡ଼ିକ ଟୋଲ୍ ଲଗାଇବାର କୌଣସି ଯଥାର୍ଥତା ନାହିଁ।