ଉଚ୍ଚ ମୁଦ୍ରାସ୍ଫୀତି ଡିସେମ୍ବର ପର୍ଯ୍ୟନ୍ତ ରହିବ: ଶକ୍ତିକାନ୍ତ

ନୂଆଦିଲ୍ଲୀ : ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ନିକଟରେ ଶେଷ ହେବାର ନାହିଁ। ଆଗାମୀ ଦିନରେ ଏହା ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଡିସେମ୍ବର ପର୍ଯ୍ୟନ୍ତ ଏହା ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ୬ ପ୍ରତିଶତ ସୀମାରେଖା ଠାରୁ ଅଧିକ ରହିବ। ତାହା ପରେ ଏହା ୬ ପ୍ରତିଶତରୁ ତଳକୁ ଖସିବା ଆଶା ରହିଛି ବୋଲି ଏକ ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ପୁନର୍ବାର କରୋନା ବ୍ୟାପିବା ଭୟ ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଫଳରେ ମୁଦ୍ରାସ୍ଫୀତି ବଢ଼ିଛି।

ଅନ୍ୟପକ୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୨୦୧୯-୨୦ ଠାରୁ ଅଧିକ ରହିଛି ଏବଂ ଅର୍ଥନୀତିରେ ସୁଧାରର ଅନେକ ସଂକେତ ଦେଖିବାକୁ ମିଳିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହେଉଥିବା ହ୍ରାସ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ବିକଶିତ ଦେଶଗୁଡ଼ିକ ଗ୍ରହଣ କରିଥିବା ମୁଦ୍ରାନୀତି ପ୍ରଭାବରେ ଏହା ହୋଇଛି। ସେ କହିଛନ୍ତି ମୁଦ୍ରାସ୍ଫୀତି ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ସମସ୍ୟା। ଆମେରିକା, ବ୍ରିଟେନ ଏବଂ ୟୁରୋପ ଆଦି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ନେଇ ଚାପରେ ରହିଛନ୍ତି। ଏହା ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରୁଛି। କିନ୍ତୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସୁଦୃଢ଼ ଥିବାରୁ ଭାରତ ଅନ୍ୟ ଦେଶର ଅର୍ଥନୀତି ତୁଳନାରେ ସୁବିଧାଜନକ ସ୍ଥିତିରେ ରହିଛି। ଅଭିବୃଦ୍ଧି ପରିବର୍ତ୍ତେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ରିଜର୍ଭ ବ୍ୟାଙ୍କ ଏବେ ଗୁରୁତ୍ବ ଦେଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭.୦୪ ପ୍ରତିଶତରେ ରହିଛି। ଏପ୍ରିଲରେ ଏହା ୭.୭୯ ପ୍ରତିଶତ ରହିଥିଲା। ତେବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର ମୁଦ୍ରାସ୍ଫୀତି ନେଇ ସମାନ ଧରଣର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଆସନ୍ତା ୩ଟି ତ୍ରୟମାସ ପାଇଁ ଭାରତର ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିବ।

ସମ୍ବନ୍ଧିତ ଖବର