୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ : ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ନିବେଶ ସହ ସୃଷ୍ଟି ହେବ ୬୫୩୯ ନିଯୁକ୍ତି

ଭୁବନେଶ୍ବର: ଆଜି ଓଡ଼ିଶା ଶିଳ୍ପ ପାଇଁ ଏକ ବଡ଼ ଦିନ । ରାଜ୍ୟସରକାରଙ୍କ  ଉଚ୍ଚସ୍ତରୀୟ  କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପର ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ ।

ସୂଚନା ଅନୁସାରେ, ହିଣ୍ଡାଲକୋରେ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତବକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିରେ ୪୨୫୦ଜଣ ନିଯୁକ୍ତି ପାଇବେ । ସେହିପରି ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ୍ (ଏନଟିପିସି)ରେ ୮ ହଜାର କୋଟି ଟଙ୍କା ଓ ରୁଙ୍ଗଟା ମାଇନ୍ସ ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏନଟିପିସି ପକ୍ଷରୁ ଅଧିକ ୧୬୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ଲାଗି ପ୍ରକଳ୍ପ ହେବ। ଓଡ଼ିଶାର ଯୁବକଯୁବତୀଙ୍କୁ କିପରି ଅଧିକରୁ ଅଧିକ ନିଯୁକ୍ତ ମିଳିବ, ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି । ଉଚ୍ଚସ୍ତରୀୟ  କମିଟି ବୈଠକ ପରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।

ନୀଳାଚଳ ଇସ୍ପାତ ସଂପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ତେବେ, ଯିଏ ଏହାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଏବଂ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବ ତାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସମ୍ବନ୍ଧିତ ଖବର