ନୁଆଦିଲ୍ଲୀ: ସୋମବାରଠାରୁ ଦେଶର ଟୋଲ୍ ଗେଟ୍ଗୁଡ଼ିକରେ ଗାଡ଼ି ମାଲିକମାନଙ୍କୁ ଅଧିକ ଶୁଳ୍କ ଗଣିବାକୁ ପଡ଼ିବ। ଟୋଲ ଶୁଳ୍କରେ ଯେଉଁ ବାର୍ଷିକ ବୃଦ୍ଧି ହେଉଥିଲା, ତାହା ଗତ ଏପ୍ରିଲ୍ରେ ଲାଗୁ ହେବାର ଥିଲା। ମାତ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ନିଷ୍ପତ୍ତିକୁ ଆଉ ଲାଗୁ କରାଯାଇନଥିଲା। ଯେହେତୁ ମତଦାନ ପ୍ରକ୍ରିୟା ଶେଷ ହୋଇଛି, ତେଣୁ ଆସନ୍ତାକାଲିଠାରୁ ଶୁଳ୍କ ବୃଦ୍ଧିକୁ ଲାଗୁ କରାଯିବା ଉପରେ ବିଚାର କରାଯାଉଛି। ସାରା ଦେଶରେ ଟୋଲ୍ ଶୁଳ୍କରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ।
ମୁଦ୍ରାସ୍ଫୀତିକୁ ନଜରରେ ରଖି ବାର୍ଷିକଭିତ୍ତିରେ ଟୋଲ୍ ଶୁଳ୍କ ସଂଶୋଧନ କରାଯାଇଥାଏ। ରାଜପଥ ଅପରେଟରମାନେ ସେହି ବୃଦ୍ଧି ସମ୍ପର୍କରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକରେ ସୂଚନା ଦେଇଥାନ୍ତି। ସୋମବାରଠାରୁ ପ୍ରାୟ ୧୧୦୦ ଟୋଲ୍ ପ୍ଲାଜାରେ ଶୁଳ୍କରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସ୍ଥଗିତ ଥିବା ଟୋଲ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଜୁନ୍ ୩ରୁ ଲାଗୁ ହେବ।
ଏନ୍ଏଚ୍ଏଆଇ ଅଧିକାରୀଙ୍କ କହିବାନୁସାରେ ଟୋଲ୍ ଶୁଳ୍କ ଏବଂ ଇନ୍ଧନ ଉପରେ ଟିକସ ଲାଗୁ କରାଯାଇଥିବାରୁ ଦେଶରେ ରାଜପଥ ବଢ଼ାଇବାରେ ତାହା ସହାୟକ ହେଉଛି। ମାତ୍ର ବିରୋଧୀ ଦଳ ଏବଂ ଗାଡ଼ି ମାଲିକମାନେ ଶୁଳ୍କର ବାର୍ଷିକ ବୃଦ୍ଧିକୁ ବିରୋଧ କରୁଛନ୍ତି। ସେମାନଙ୍କ ମତରେ ଟୋଲ୍ ଶୁଳ୍କ ବଢ଼ିବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଲୋକମାନଙ୍କ ଉପରେ ଅଯଥା ବୋଝ ରହୁଛି। ୨୦୧୮-୧୯ରେ ଦେଶରେ ୨୫,୨୦୦ କୋଟି ଟଙ୍କାର ଟୋଲ୍ ଶୁଳ୍କ ସଂଗ୍ରହ ହୋଇଥିଲା ଯାହା ୨୦୨୨-୨୩ ସୁଦ୍ଧା ୫୪,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଟୋଲ୍ ପ୍ଲାଜା ସଂଖ୍ୟାରେ ବୃଦ୍ଧି, ଅଧିକ ଗାଡ଼ି ସଡ଼କକୁ ବ୍ୟବହାର କରିବା ଏବଂ ଶୁଳ୍କରେ ବୃଦ୍ଧି ପାଇଁ ଟୋଲ୍ ଶୁଳ୍କ ସଂଗ୍ରହରେ ଏଭଳି ବୃଦ୍ଧି ଘଟିଛି।