ଝଟ୍‌କା ଦେବ ବିମାନ ଇଣ୍ଟରନେଟ୍‌ ଦର

ଦୁଇ ଘଣ୍ଟାକୁ ୭୦୦-୧୦୦୦ ଟଙ୍କା ପଡ଼ିବ

ନୂଆଦିଲ୍ଲୀ: ବିମାନରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପ୍ରସ୍ତାବକୁ ସରକାର ଅନୁମତି ଦେବା ପରେ ଯାତ୍ରୀମାନେ ବହୁତ ଖୁସି ହୋଇଯାଇଛନ୍ତି। ଏହି ସେବା କେବେ ଆରମ୍ଭ ହେବ ତାହାକୁ ଚାହିଁ ରହିଛନ୍ତି। ମାତ୍ର ଏକ କଂପାନିର ଜଣେ ଅଧିକାରୀ କହିଛନ୍ତି ଯେ, ସବୁ ବର୍ଗର ଯାତ୍ରୀ ଏହି ସେବାକୁ ଉପଭୋଗ କରିପାରିବେ ନାହିଁ। ବିମାନରେ ଇଣ୍ଟରନେଟ୍‌ ବ୍ୟବହାର କରିବା ବହୁତ ମହଙ୍ଗା ରହିବ। ଦୁଇ ଘଣ୍ଟାକୁ ୭୦୦-୧୦୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଗଣିବାକୁ ପଡ଼ିବ। ହ୍ୟୁଗସ୍‌ ଇଣ୍ଡିଆ ନାମକ ଏକ ବ୍ରଡ୍‌ବ୍ୟାଣ୍ଡ୍‌ କଂପାନିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ କେ କ୍ରିଷ୍ଣ କହିଛନ୍ତି ଯେ, ଭାରତରେ ସାଟେଲାଇଟ୍‌ ଖର୍ଚ ବିଶ୍ବର ଅନ୍ୟ ଦେଶଗୁଡ଼ିକ ତୁଳନାରେ ୭-୮ ଗୁଣ ଅଧିକ। କେବଳ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନରୁ ହିଁ ଏହି ବ୍ୟାଣ୍ଡ୍‌ୱିଡଥ୍‌ ହାସଲ କରାଯାଇପାରିବ ବୋଲି ସର୍ତ୍ତ ରହିଛି। ଯଦି ବ୍ୟାଣ୍ଡ୍‌ୱିଡଥ୍‌ ଦର ବହୁତ ଅଧିକ ରହିବ ତେବେ ବିମାନ ଯାତ୍ରୀମାନଙ୍କୁ ଆକାଶରେ ଇଣ୍ଟରନେଟ୍ ସେବା ହାସଲ କରିବା ପାଇଁ ଭୂପୃଷ୍ଠ ଦର ତୁଳନାରେ ୫୦ ଗୁଣ ଅଧିକ ପେମେଣ୍ଟ୍‌ କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଏହି ସେବା ବିଶେଷ ଉପଯୋଗୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ଆକାଶରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବାକୁ ହେଲେ ପ୍ରତିଟି ବିମାନରେ ଉପକରଣ ଖଞ୍ଜିବାକୁ ପଡ଼ିବ। ବିମାନ ପିଛା ୫,୦୦,୦୦୦ ଡଲାର ଖର୍ଚ କରିବାକୁ ହେବ। ଏହି ନିବେଶର ରିଟର୍ଣ୍ଣ ଯାତ୍ରୀମାନଙ୍କ ଠାରୁ ଆଦାୟ କରାଯିବ। ଯଦି ଇଣ୍ଟରନେଟ୍ ଦର ବହୁତ ଅଧିକ ରହିବ ତେବେ ତାହାକୁ ବ୍ୟବହାର କରିବାକୁ ଯାତ୍ରୀମାନେ ଆଗ୍ରହ ପ୍ରକାଶ କରିବେ ନାହିଁ। ପୁଞ୍ଜିନିବେଶର ରିଟର୍ଣ୍ଣ ନମିଳିଲେ ବିମାନ କଂପାନିଗୁଡ଼ିକ ଇଣ୍ଟରନେଟ୍ ସେବା ପାଇଁ ଏତେ ଅଧିକ ଟଙ୍କା ନିବେଶ କରିବାକୁ ମଧ୍ୟ ଆଗ୍ରହ ଦେଖାଇବେ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ ସ୍ଥାନୀୟ ବିମାନର ଟିକଟ ଦର ୪୫୦୦ ଟଙ୍କାରୁ ଅଧିକ ରହୁଛି। ଏଭଳି ପରିସ୍ଥିତିରେ ଇଣ୍ଟରନେଟ୍ ସେବା ପାଇଁ ଯାତ୍ରୀମା‌ନେ ଅଧିକ ଟଙ୍କା ଗଣିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ବିଶ୍ବର ଯେଉଁ ସବୁ ଦେଶରେ ବିମାନରେ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରାଯାଉଛି, ସେଠାରେ କେବଳ ୧୦% ଯାତ୍ରୀ ‌ଇଣ୍ଟରନେଟ୍‌କୁ ବିମାନରେ ବ୍ୟବହାର କରୁଛନ୍ତି। ଭାରତରେ ଯଦି ସେହିଭଳି ମାତ୍ର ୧୦% ଯାତ୍ରୀ ଇଣ୍ଟରନେଟ୍ ବ୍ୟବହାର କରିବେ ତେବେ କୌଣସି ବିମାନ କଂପାନି ବିପୁଳ ପରିମାଣର ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିନପାରନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର