ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ସଡ଼କ ପଥ ଖରାପ ରହିଛି। ସେଥିପାଇଁ କେଉଁମାନେ ଦାୟୀ ତାହା ଚିହ୍ନଟ କରିବା ସହଜ ହେଉନାହିଁ। ଆଗାମୀ ଦିନରେ କିନ୍ତୁ ତାହା ସହଜ ହେବ। ରାଜପଥ ସମ୍ପର୍କିତ ସମସ୍ତ ତଥ୍ୟକୁ କ୍ୟୁଆର୍ କୋଡ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଓ ରାଜପଥ ନିର୍ମାଣକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ରାଜପଥ ପ୍ରକଳ୍ପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟର ଭିଡିଓ ଅପ୍ଲୋଡ୍ କରିବାକୁ ସେମାନଙ୍କୁ କୁହାଯାଇଛି।
ଜାତୀୟ ରାଜପଥରେ କ୍ୟୁଆର୍ କୋଡ୍ ଥିବା ହୋର୍ଡିଂ ଲଗାଇବାକୁ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ଜନତା ସେହି କୋଡ୍କୁ ସ୍କାନ୍ କରି ରାସ୍ତା ତିଆରି କରିଥିବା ଠିକାଦାର, କନସଲଟାଣ୍ଟ ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସମ୍ପର୍କରେ ସେମାନଙ୍କ ନାମ ଓ ଯୋଗଯୋଗ ତଥ୍ୟ ସହ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ଏ ସମ୍ପର୍କରେ ଗଡ଼କରୀ କହିଛନ୍ତି ଯେ ସବୁ ବେଳେ ମୁଁ କାହିଁକି ଗାଳି ଖାଇବି। କ୍ୟୁଆର୍ କୋଡ୍ରେ ସବୁ ତଥ୍ୟ ରହିବ। ସଡ଼କର ଖରାପ ସ୍ଥିତିକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଅଭିଯୋଗକୁ ଗମ୍ଭୀରତାର ସହ ନେବା ଲାଗି ସେ ନିର୍ମାଣକାରୀମାନଙ୍କୁ କହିଛନ୍ତି। ତାଙ୍କ ମତରେ ଲୋକମାନେ ଯଦି ଟୋଲ୍ ଦେଉଛନ୍ତି, ସେମାନେ ଭଲ ସଡ଼କ ପାଇବାକୁ ହକଦାର୍।
ପାଣିପାଗ କିମ୍ବା ଖରାପ ବିଟୁମିନ ଭଳି ବାହାନା କରିବା ବନ୍ଦ କରିବାକୁ ସେ କହିଛନ୍ତି। ଯଦି ରାସ୍ତା ଭଲ ନାହିଁ ତାହାକୁ ଶୀଘ୍ର ମରାମତି କର। ଆରାମ ସହିତ କୌଣସି ପ୍ରକାର ସାଲିସ ହେବା ଅନୁଚିତ ବୋଲି ଗଡ଼କରୀ କହିଛନ୍ତି। ସଡ଼କର ଡିଜାଇନ ଓ ମରାମତିରେ ହେଉଥିବା ତ୍ରୁଟିର ପ୍ରଦର୍ଶନ ଆଧାରିତ ଅଡିଟ୍ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଗଡ଼କରୀ ପରାମର୍ଶ ଦେଇଛନ୍ତି। ନିୟମିତ ଅଡିଟ୍ ହେଲେ ସ୍ବଚ୍ଛତା ବଢ଼ିବ ଓ ବାହାନା କମିବ। ଏହିଭଳି ଆମେ କାମ କରିବାକୁ ଚାହୁଛୁ ବୋଲି ସେ କହିଥିଲେ। ଏହି ଅବସରରେ ସଡ଼କ ପରିବହନ ସଚିବ ଭି ଉମାଶଙ୍କର କହିଥିଲେ ଯେ ସଡ଼କ ନିର୍ମାଣକାରୀ ସଂସ୍ଥା ନିର୍ମାଣ ସମୟର ଡ୍ରୋନ୍ ଭିଡିଓ ଉଠାଉଛନ୍ତି। ତେଣୁ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଅପ୍ଲୋଡ୍ କରିବା ଏକ ବଡ଼ ସମସ୍ୟା ନୁହେଁ। ଶୀଘ୍ର ଭିଡିଓ ଅପ୍ଲୋଡ୍ କରିବାକୁ ସେ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/dagdagdgczvcv-2025-10-31-03-06-32.jpg)