ଏପ୍ରିଲ୍‌ରୁ ମହଙ୍ଗା ହେବ ତୃତୀୟ ପକ୍ଷ ବୀମା

ନୂଆଦିଲ୍ଲୀ : ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ୫ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ସୁପାରିସ୍‌ କରିଛି। କାର୍‌, ବାଇକ୍, ବସ୍ ଓ ଟ୍ରକ୍ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଗାଡ଼ିର ବୀମା ପ୍ରିମିୟମ ବଢ଼ିପାରେ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବୃଦ୍ଧି ଘୋଷଣା କରାଯାଇଥିବା ବେଳେ ତାହାକୁ ଆସନ୍ତା ଏପ୍ରିଲ୍‌ରୁ ଲାଗୁ କରିବାର ଯୋଜନା ରହିଛି। କାର୍‌, ବାଇକ୍, ସ୍କୁଟର, ଟାକ୍ସି, ବସ୍ ଏବଂ ଟ୍ରକ୍ ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ବଢ଼ାଇବା ଲାଗି ଆଇଆର୍‌ଡିଏଆଇ ପ୍ରସ୍ତାବ ଦେଇଛି। ଏହା ଉପରେ ମାର୍ଚ୍ଚ ୨୦ ସୁଦ୍ଧା ମତାମତ ପଠାଇବା ଲାଗି ଅଂଶୀଦାରମାନଙ୍କୁ ଆହ୍ବାନ ଦିଆଯାଇଛି।

ତୃତୀୟ ପକ୍ଷ ବୀମା ସବୁ ପ୍ରକାର ଗାଡ଼ି ପାଇଁ ଦରକାର ଏବଂ ଏହାର ପ୍ରିମିୟମ୍ ପ୍ରତିବର୍ଷ ସଂଶୋଧନ କରାଯାଇଥାଏ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଚାରି ଚକିଆ ଗାଡ଼ି ପାଇଁ ତିନି ବର୍ଷିଆ ଓ ଦୁଇ ଚକିଆ ଗାଡ଼ି ପାଇଁ ପାଞ୍ଚ ବର୍ଷିଆ ତୃତୀୟ ପକ୍ଷ ବୀମା କିଣିବାକୁ ଆଇଆର୍‌ଡିଏଆଇ ତରଫରୁ ବାଧ୍ୟତାମୂଳକ କରାଯାଇଛି। ଇଲେକ୍ଟ୍ରିକ୍ ଯାନ ଓ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ବଢ଼ାଇବାକୁ ମଧ୍ୟ ଆଇଆର୍‌ଡିଏଆଇ ପ୍ରସ୍ତାବ ଦେଇଛି। ୩୦ କିଲୋୱାଟ୍ ପର୍ଯ୍ୟନ୍ତ ଇଲେକ୍‌ଟ୍ରିକ୍ କାର୍‌ ଲାଗି ତୃତୀୟ ପକ୍ଷ ବୀମା ପରିମାଣ ଏବେ ୪୪୯୩ ଟଙ୍କା ଥିବା ବେଳେ ତାହାକୁ ୫୧୬୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଇଆର୍‌ଡିଏଆଇ ପ୍ରସ୍ତାବ ଦେଇଛି। ସେହିପରି ତିନି କିଲୋୱାଟ୍‌ ପର୍ଯ୍ୟନ୍ତର ଦୁଇଚକିଆ ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌କୁ ୮୮୮ ଟଙ୍କାରୁ ବଢ଼ାଇ ୧୦୪୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର