କୋର୍ଟରେ ପହଞ୍ଚିଲା ହିନ୍ଦୁଜା ପରିବାର ଝଗଡ଼ା

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ବଡ଼ ବ୍ୟବସାୟ ସାମ୍ରାଜ୍ୟ ହିନ୍ଦୁଜା ଗ୍ରୁପ୍‌କୁ ପରିଚାଳନା କରୁଥିବା ହିନ୍ଦୁଜା ପରିବାରରେ ଝଗଡ଼ା ଆରମ୍ଭ ହୋଇଛି। ୩୮ଟି ଦେଶରେ କାରବାର କରୁଥିବା ଏହି କଂପାନିକୁ ଚାରି ଭାଇ ଶ୍ରୀଚାନ୍ଦ, ଗୋପୀଚାନ୍ଦ, ପ୍ରକାଶ ଓ ଅଶୋକ ପରିଚାଳନା କରୁଛନ୍ତି। ୨୦୧୪ରେ ସେମାନଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ସେଥିରେ ଲେଖାଯାଇଥିଲା ଯେ ଜଣେ ଭାଇର ସମ୍ପତ୍ତିକୁ ପ୍ରତି ଭାଇଙ୍କ ସମ୍ପତ୍ତି ବୋଲି ବିଚାର କରାଯିବ। ସେହି ଚୁକ୍ତି ଏବେ ବିବାଦର କାରଣ ହୋଇଛି। ସେହି ଚୁକ୍ତିର କୌଣସି ଆଇନଗତ ପ୍ରଭାବ ନାହିଁ ‌ବୋଲି ଘୋଷଣା କରିବାକୁ ଶ୍ରୀଚାନ୍ଦ (୮୪ ବର୍ଷୀୟ) ଓ ତାଙ୍କ ଝିଅ ବିନୋ ଦାବି କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୧୬ର ଇଛାପତ୍ର ଅନୁସାରେ ତାଙ୍କ କାରବାରକୁ ଅନ୍ୟ ଭାଇଙ୍କ ବ୍ୟବସାୟ ଠାରୁ ଅଲଗା କରିବାକୁ ସେ ଦାବି କରିଛନ୍ତି। ଅଶୋକ ‌ଲେଲ୍ୟାଣ୍ଡ୍‌ ହେଉଛି ହିନ୍ଦୁଜା ଗ୍ରୁପ୍‌ର ସବୁଠୁ ବଡ଼ କଂପାନି ଯାହା ବସ୍ ଓ ଟ୍ରକ୍ ଉତ୍ପାଦନ କରୁଛି।

ଏହା ବ୍ୟତୀତ ଏହି କଂପାନି ଆର୍ଥିକ ସେବା, ସୂଚନା ପ୍ରଯୁକ୍ତି, ଗଣମାଧ୍ୟମ, ଭିତ୍ତିଭୂମି, ଶକ୍ତି, ରାସାୟନିକ ପଦାର୍ଥ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସକ୍ରିୟ ରହିଛି। ସ୍ବିଜରଲ୍ୟାଣ୍ଡ୍‌ରେ ଏହି ଗ୍ରୁପ୍ ସ୍ଥାପନ କରିଥିବା ‘ହିନ୍ଦୁଜା ବ୍ୟାଙ୍କ’ ଉପରେ ନିୟନ୍ତ୍ରଣକୁ ନେଇ ବିବାଦ ଆରମ୍ଭ ହୋଇଛି। ୨୦୧୪ରେ ହୋଇଥିବା ଚୁକ୍ତିକୁ ବ୍ୟବହାର କରି ଗୋପୀଚାନ୍ଦ, ପ୍ରକାଶ ଓ ଅଶୋକ ଏହି ବ୍ୟାଙ୍କର ନିୟନ୍ତ୍ରଣ ନିଜ ହାତକୁ ଆଣିବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଏହି ବ୍ୟାଙ୍କଟି ଶ୍ରୀଚାନ୍ଦଙ୍କ ନାମରେ ରହିଛି। ସେଥିପାଇଁ ବିବାଦ ଦେଖାଦେଇଛି। ହିନ୍ଦୁଜା ପରିବାର ସଦସ୍ୟ ସଂଖ୍ୟା ଇତି ମଧ୍ୟରେ ବହୁତ ବଢ଼ିଯାଇଛି। ସବୁ ଭାଇଙ୍କ ପୁଅ ଓ ଝିଅମାନେ ମିଶି ବିଭିନ୍ନ କଂପାନିର ଦେଖାଶୁଣା କରୁଛନ୍ତି।

ସମ୍ବନ୍ଧିତ ଖବର