ହିନ୍ଦୁସ୍ତାନ ମୋଟର୍ସ ଆଣିବ ଇଭି ସ୍କୁଟର, କାର୍‌: ୟୁରୋପୀୟ ସଂସ୍ଥା ସହ ବୁଝାମଣା

କୋଲକାତା: ଆମ୍ବାସାଡର ଓ କଣ୍ଟେସା ଭଳି କାର୍ ବିକ୍ରି କରି ଅତୀତରେ ଦେଶର ଲୋକପ୍ରିୟ କାର୍‌ କଂପାନିରେ ପରିଗଣିତ ହୋଇଥିବା ହିନ୍ଦୁସ୍ତାନ ମୋଟର୍ସ ପୁଣି ଥରେ ଗାଡ଼ି ବଜାରରେ ନିଜର ଉପସ୍ଥିତି ଜାହିର କରିବା ଲାଗି ସଜବାଜ ହେଉଛି। ପେଟ୍ରୋଲ୍ କିମ୍ବା ଡିଜେଲ୍ ଚାଳିତ ଗାଡ଼ି ନୁହେଁ ଇଲେକ୍ଟ୍ରିକ୍ ଯାନ ଜରିଆରେ ଏହା ବଜାରକୁ ପ୍ରତ୍ୟାବର୍ତ୍ତନ କରିବ। କଂପାନି ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍ ନିର୍ମାଣ କରିବା ଲାଗି ୟୁରୋପର ଏକ ସଂସ୍ଥା ସହ ବୁଝାମଣା କରିବା ବିଷୟରେ ବିଚାର କରୁଛି। ଉଭୟ ସଂସ୍ଥା ମିଶି ପ୍ରଥମେ ଦୁଇଚକିଆ ଇଭି ବିକ୍ରି କରିବେ। ତାହା ସଫଳ ହେଲେ ପରବର୍ତ୍ତୀ ସମୟରେ ଚାରି ଚକିଆ ଇଭି ତିଆରି କରିବା ଉପରେ ମନୋନିବେଶ କରିବେ।
ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବା ନେଇ ରହିଥିବା ସମ୍ଭାବନାର ଯଥୋଚିତ ଆକଳନ କରିବା ଲାଗି ଉଭୟ ସଂସ୍ଥା ଜୁଲାଇରେ ଉଦ୍ୟମ ଆରମ୍ଭ କରିବେ। ଦୁଇ ମାସ ପରେ ବୈଷୟିକ ଦିଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ବର୍ଷ ଜୁଲାଇ ୧୫ ସୁଦ୍ଧା ଯୌଥ ଉଦ୍ୟୋଗର ରୂପରେଖ ପ୍ରସ୍ତୁତ ହୋଇଯିବ। ସବୁ କିଛି ଯୋଜନା ଅନୁସାରେ ଆଗକୁ ବଢ଼ିଲେ ଆସନ୍ତା ବର୍ଷ କଂପାନି ଏହାର ପ୍ରଥମ ଇଭି ମଡେଲ୍‌ର ବଜାର ପ୍ରବେଶ କରିପାରିବ। ହିନ୍ଦୁସ୍ତାନ ମୋଟର୍ସର ଉତ୍ତରପାରା କାରଖାନାକୁ ଇଭି ନିର୍ମାଣ ଲାଗି ପ୍ରସ୍ତୁତ କରାଯିବ ଓ ସେଥିରେ ଦରକାର ହେଉଥିବା ପରିବର୍ତ୍ତନ କରାଯିବ।

ଆମ୍ବାସାଡର କାର୍‌ ବିକ୍ରି ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ପରେ ୨୦୧୪ରେ ହିନ୍ଦୁସ୍ତାନ ମୋଟର୍ସ ଏହାର ଉତ୍ତରପାରା କାରଖାନାକୁ ବନ୍ଦ କରିଦେଇଥିଲା। ଏଥି ସହିତ ୮୦ କୋଟି ଟଙ୍କାରେ ଆମ୍ବାସାଡର ବ୍ରାଣ୍ଡ୍‌କୁ ଫ୍ରାନ୍ସର ସଂସ୍ଥା ପୁଜୋକୁ ବିକ୍ରି କରିଥିଲା। ଏହା କଣ୍ଟେସା ବ୍ରାଣ୍ଡ୍‌କୁ ମଧ୍ୟ ଏସ୍‌ଜି ମୋବିଲିଟିକୁ ବିକ୍ରି କରିଛି। ନିଜର ଋଣ ବୋଝ ହାଲୁକା କରିବା ଲାଗି ଉତ୍ତରପାରା କାରଖାନା‌ ପରିସରରେ ଥିବା ୩୧୪ ଏକର ଜମିକୁ ମଧ୍ୟ କଂପାନି ଏକ ରିଅଲ ଇଷ୍ଟେଟ୍‌ ସଂସ୍ଥାକୁ ବିକ୍ରି କରିଛି।

ସମ୍ବନ୍ଧିତ ଖବର