ହିରାନନ୍ଦାନି ବାପଝିଅ ଝଗଡ଼ାରେ ପୂର୍ଣ୍ଣଚ୍ଛେଦ; ଝିଅକୁ ମିଳିଲା ୩୬୦ କୋଟି

ମୁମ୍ବାଇ,: ହୋଲି ପାଖେଇ ଆସୁଥିବା ବେଳେ ଦେଶର ବ୍ୟବସାୟୀ ପରିବାରଗୁଡ଼ିକ ପାଇଁ ଖୁସି ଦ୍ବିଗୁଣିତ ହୋଇଯାଇଛି। ଅନିଲ ଅମ୍ବାନିଙ୍କୁ ଜେଲ୍‌ ଯିବାକୁ ବଞ୍ଚାଇବା ପାଇଁ ଶେଷ ମୁହୂର୍ତରେ ଆର୍ଥିକ ସହାୟତା ଦେଇ ମୁକେଶ ଅମ୍ବାନି ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ ଭାଇଙ୍କ ଏଭଳି ସମୟୋପଯୋଗୀ ସହଯୋଗ ପାଇଁ ଅନିଲ ତାଙ୍କୁ ଅଜସ୍ର କୃତଜ୍ଞତା ପ୍ରଦାନ କରିଛନ୍ତି। ଏହି ଘଟଣାକୁ ଗୋଟିଏ ଦିନ ପୂରିନଥିବା ବେଳେ ଆଜି ଆଉ ଏକ ଲମ୍ବା କର୍ପୋରେଟ୍ ଝଗଡ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଦୀର୍ଘ ୧୦ ବର୍ଷ ହେଲାଣି ମୁମ୍ବାଇର ରିଅଲ ଇଷ୍ଟେଟ୍‌ ବ୍ୟବସାୟ ଜଡ଼ିତ ହିରାନନ୍ଦାନି ପରିବାରରେ ବାପା ନିରଞ୍ଜନ ହିରାନନ୍ଦାନି ଓ ଝିଅ ପ୍ରିୟା ବନ୍ଦ୍ରେବାଲାଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଝଗଡ଼ା ଲାଗି ରହିଥିଲା। ଝିଅକୁ ୩୬୦ କୋଟି ଟଙ୍କା ପ୍ରଦାନ କରିବା ପରେ ଏହି ଝଗଡ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୦୬ରେ ରିଅଲ ଇଷ୍ଟେଟ୍‌ ପ୍ରକଳ୍ପ ବିକଶିତ କରିବା ପାଇଁ ବାପା ନିରଞ୍ଜନ ହିରାନନ୍ଦାନି, ପୁଅ ଦର୍ଶନ ହିରାନନ୍ଦାନି ଓ ଝିଅ ପ୍ରିୟା ବନ୍ଦ୍ରେବାଲାଙ୍କ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ତେବେ କେତେକ ପ୍ରକଳ୍ପରେ ପ୍ରିୟାଙ୍କୁ ସାମିଲ କରାନଯିବା ପରେ ସେ ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଥିଲେ ଏବଂ କୋର୍ଟରେ ମାମଲା ଦାୟର କରିଥିଲେ। ୨୦୧୬ରେ ସେ ଲଣ୍ଡନ କୋର୍ଟ ଅଫ ଇଣ୍ଟରନ୍ୟାସନାଲ୍ ଆରବିଟ୍ରେସନ୍‌ରେ ମାମଲା ଦାୟର କରିଥିଲେ ଯାହାର ରାୟ ପ୍ରିୟାଙ୍କ ସପକ୍ଷରେ ଯାଇଥିଲେ। ଝିଅକୁ ୩୬୦ କୋଟି ଟଙ୍କା ଦେବାକୁ କୋର୍ଟ ବାପା ନିରଞ୍ଜନଙ୍କୁ ନିର୍ଦେଶ ଦେଇଥିଲେ। ଲଣ୍ଡନ ଅଦାଲତର ଏହି ରାୟ ବିରୋଧରେ ବାପପୁଅ ମିଶି ବମ୍ବେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଝିଅକୁ ୩୬୦ କୋଟି ଟଙ୍କା ଦେବାକୁ ସେମାନେ ରାଜିଥିଲେ କିନ୍ତୁ ୧୧୮ କୋଟି ଟଙ୍କାର ଟିକସ ଦେବାକୁ ଚାହୁଁନଥିଲେ। ଗତ ସୋମବାର ବମ୍ବେ ହାଇକୋର୍ଟରେ ପ୍ରିୟାଙ୍କ ବିଜୟ ହୋଇଥିଲା। ସବୁ ଟଙ୍କା ୧୮୦ ଦିନ ଭିତରେ ପ୍ରଦାନ କରିବାକୁ କୋର୍ଟ ନିରଞ୍ଜନ ହିରାନନ୍ଦାନିଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର