ଚର୍ଚାରେ ହିରାନନ୍ଦାନୀ ଭାରତ ଛାଡ଼ିଲେ

ଦେଶର ପ୍ରମୁଖ ରିଅଲ ଇଷ୍ଟେଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରେ ହିରାନନ୍ଦାନି ଗ୍ରୁପ୍‌ ଅନ୍ୟତମ। ମୁମ୍ବାଇର ପଓ୍ଵାଇ ଅଂଚଳରେ ସୁଦୃଶ୍ୟ ରିଅଲ ଇଷ୍ଟେଟ ପ୍ରକଳ୍ପ ନିର୍ମାଣ କରିବାର ଖ୍ୟାତି ଏହି ଗ୍ରୁପ୍‌ ନାମରେ ରହିଛି। ଏହି ଗ୍ରୁପ୍‌ର ସହ ପ୍ରତିଷ୍ଠାତା ସୁରେନ୍ଦ୍ର ହିରାନନ୍ଦାନି ଏବେ ଭାରତର ନାଗରିକତ୍ୱ ଛାଡ଼ି ସାଇପ୍ରସରେ ବାସ କରିବା ପାଇଁ ନିଷ୍ପତ୍ତି ନେବାପରେ ଚର୍ଚାକୁ ଆସିଛନ୍ତି। ଅନେକ ଧନୀ ବ୍ୟକ୍ତି ଟିକସ ଜନିତ ସୁବିଧା ପାଇବା ପାଇଁ ଭାରତ ଛାଡ଼ି ବିଦେଶ ପଳାଉଥିବାବେଳେ ୬୩ ବର୍ଷୀୟ ସୁରେନ୍ଦ୍ର ହିରାନନ୍ଦାନି କିନ୍ତୁ ଏଥିପାଇଁ ସାଇପ୍ରସର ନାଗରିିକତ୍ୱ ଗ୍ରହଣ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଭାରତୀୟ ପାସପୋର୍ଟରେ ବିଦେଶରେ କାର୍ଯ୍ୟ କରିବା ଲାଗି ଭିସା ହାସଲ କରିବା କଷ୍ଟକର ହୋଇଥିବାରୁ ସେ ଦେଶ ଛାଡ଼ିଛନ୍ତି ବୋଲି କହିଛନ୍ତି। ଭାରତର ଟିକସ ହାର କିମ୍ବା ଏ ସମ୍ପର୍କିତ କୌଣସି କାରଣରୁ ସେ ଭାରତ ଛାଡ଼ି ନାହାନ୍ତି ବୋଲି କହିଛନ୍ତି। ତେବେ ତାଙ୍କ ପୁଅ ହର୍ଷ ଏବେ ବି ଭାରତର ନାଗରିକ ରହି ଭାରତରେ କମ୍ପାନିର ବ୍ୟବସାୟ ଦେଖୁଛନ୍ତି ବୋଲି ସେ କହିଛନ୍ତି। ହର୍ଷ ହେଉଛନ୍ତି ସୁରେନ୍ଦ୍ର ହିରାନନ୍ଦାନିଙ୍କ ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମ ଲାଭ କରିଥିବା ପୁଅ। ତେବେ ସୁରେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ଅଭିନେତା ଅକ୍ଷୟ କୁମାରଙ୍କ ଭଉଣୀ ଅଳକା ଭାଟିଆ।  ଫୋର୍ବସ ମାଗାଜିନ୍‌ ଅନୁଯାୟୀ ସୁରେନ୍ଦ୍ର ହିରାନନ୍ଦାନିଙ୍କ ନେଟ୍‌ ସମ୍ପତ୍ତି ପ୍ରାୟ ୧.୨୯ ବିଲିଅନ୍‌ ଡଲାର ଇଥିବାବେଳେ ସେ ଭାରତର ୧୦୦ ଜଣ ବଡ଼ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ଭାରତର ରିଅଲ ଇଷ୍ଟେଟ କ୍ଷେତ୍ରର ବ୍ୟବସାୟକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି। ରିଅଲ ଇଷ୍ଟେଟ ବ୍ୟବସାୟୀମାନେ ବାର୍ଷିକ ୧୨ ପ୍ରତିଶତ ସୁଧରେ ଋଣ ଆଣୁଥିଲାବେଳେ ଲାଭ ୧୦ ପ୍ରତିଶତରୁ ଅଧିକ ହେଉନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଆଜି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସୁଯୋଗ ମିଳନ୍ତା ତାହେଲେ ସେ ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ଅନୁମତିକୁ ସହଜ କରିବା ଲାଗି ପ୍ରବର୍ତାଇବା ଲାଗି ପ୍ରଚେଷ୍ଟା କରନ୍ତେ ବୋଲି ସେ ମତ ଦେଇଛନ୍ତି। ମର୍ଗାନ୍‌ ଷ୍ଟାନ୍‌ଲେ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ରୁଚିର ଶର୍ମା ଓ ତାଙ୍କ ସହଯୋଗୀମାନେ ପ୍ରସ୍ତୁତ କରିଥିବା ରିପୋର୍ଟରେ ୨୦୧୪ ମସିହାରୁ ୨୩ ହଜାର ଧନୀ ଭାରତୀୟ ଭାରତର ନାଗରିକତ୍ୱ ଛାଡ଼ି ସାରିଲେଣି। କେବଳ ୨୦୧୭ରେ ୭ ହଜାର ଭାରତୀୟ ଭାରତର ନାଗରିକତ୍ୱ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର