ନୂଆଦିଲ୍ଲୀ: ଭାରତର ଅଧା କର୍ମଚାରୀ ସେମାନଙ୍କ ଚାକିରିର ସୁରକ୍ଷାକୁ ନେଇ ଚିନ୍ତିତ। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ପିପୁଲ୍ ଆଟ୍ ୱାର୍କ ୨୦୨୩: ଏ ଗ୍ଲୋବାଲ୍ ୱାର୍କଫୋର୍ସ ସର୍ବେକ୍ଷଣରରେ ଅଂଶଗ୍ରହଣ କରିଥିବା ୪୭ ପ୍ରତିଶତ ଲୋକ ନିଜ ଚାକିରିର ସୁରକ୍ଷାକୁ ନେଇ ଚିନ୍ତା କରୁଥିବା କହିଛନ୍ତି। ଯୁବ କର୍ମଚାରୀମାନଙ୍କ ମଧ୍ୟରେ ଚାକିରିକୁ ନେଇ ଚିନ୍ତା ଅଧିକ ରହିଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ବିଶ୍ବାସ ଜିତିବା ଲାଗି ନିଯୁକ୍ତିଦାତାମାନେ ସେମାନଙ୍କ ପ୍ରତି ନିଜ ପ୍ରତିବଦ୍ଧତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ସର୍ବେକ୍ଷଣରେ ୩୨,୦୦୦ରୁ ଅଧିକ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା ଯେଉଁଥିରୁ ଅଧା ଲୋକଙ୍କ ବୟସ ୧୮-୨୪ ବର୍ଷ ମଧ୍ୟରେ ରହିଛି। ଚାକିରି ସୁରକ୍ଷିତ ବୋଲି ଭାବୁନଥିବା ଅଧା ଲୋକ କହିଛନ୍ତି। ଅର୍ଥନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପ୍ରଯୁକ୍ତି ଶିଳ୍ପରେ ବ୍ୟାପକ ଛଟେଇ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ଆଦିକୁ ନେଇ କର୍ମଚାରୀମାନେ ଚିନ୍ତିତ ରହିଛନ୍ତି। ସର୍ବେକ୍ଷଣରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୬ ଜଣ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ କୌଣସି ପେସା ସୁରକ୍ଷିତ ନୁହେଁ। ୨୫ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷରେ ଏଆଇର ବ୍ୟବହାର ବ୍ୟାପକ ହେବ ଓ ମାନୁଆଲ୍ କାମ ହ୍ରାସ ପାଇବ।
ରିପୋର୍ଟରୁ ଜଣାପଡ଼ିଛି ଯେ ରିଅଲ ଇଷ୍ଟେଟ୍ କ୍ଷେତ୍ର (୫୬ ପ୍ରତିଶତ) ଓ ନିର୍ମାଣ କ୍ଷେତ୍ର (୫୫ ପ୍ରତିଶତ)ରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଚାକିରିର ସୁରକ୍ଷାକୁ ନେଇ ଅଧିକ ଚିନ୍ତା ରହିଛି। ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ମିଡିଆ ଓ ସୂଚନା ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଚାକିରିର ସୁରକ୍ଷା ନେଇ ଅଧିକ ଚିନ୍ତିତ। ଯୁବପିଢ଼ିଙ୍କ ମଧ୍ୟରୁ ୨୦ ପ୍ରତିଶତ ଆସନ୍ତା ୧୨ ମାସରେ ନିଜ ଚାକିରି ବଦଳାଇବାକୁ ଚାହୁଥିବା ବେଳେ ୨୫ ପ୍ରତିଶତ ନିଜସ୍ବ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି।