ରେଳ ବୋର୍ଡରେ ଐତିହାସିକ ସଂସ୍କାର : କର୍ପୋରେଟ୍‌ ସଂସ୍ଥା ଭଳି ପରିଚାଳିତ ହେବ, ପ୍ରଥମ ସିଇଓ, ଚାରି ସଦସ୍ୟଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ : ରେଳବାଇ ଇତିହାସରେ ପ୍ରଥମ ଥର ଲାଗି ରେଳ ବୋର୍ଡର ପୁନର୍ଗଠନ କରାଯାଇଛି। କର୍ପୋରେଟ୍ ସଂସ୍ଥା ଭଳି ଏହାକୁ ପରିଚାଳନା କରାଯିବ। ଏହାର ପ୍ରଥମ ସିଇଓ ଭାବେ ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି। ରେଳ ବୋର୍ଡର ପୁନର୍ଗଠନ କରିବା ଲାଗି ୨୦୧୯ ଡିସେମ୍ବରରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଥିଲା। ରେଳ ବୋର୍ଡରେ ଭିତିଭୂମି, ପରିଚାଳନା, ବ୍ୟବସାୟ ବିକାଶ ଏବଂ ରୋଲିଂ ଷ୍ଟକ୍ ଓ ଫାଇନାନ୍ସ ପାଇଁ ଚାରି ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ବୋର୍ଡରେ ଶିଳ୍ପ, ଆର୍ଥିକ, ଅର୍ଥନୀତି ଓ ପରିଚାଳନା କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ। ବୋର୍ଡରେ ଜଣେ କ୍ୟାଡର କଣ୍ଟ୍ରୋଲିଂ ଅଫିସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ମାନବ ସମ୍ବଳ ଦାୟିତ୍ବ ତାଙ୍କ ହାତରେ ରହିବ ଓ ତାଙ୍କୁ ଜଣେ ନିର୍ଦେଶକ-ମାନବ ସମ୍ବଳ ସହାୟତା ପ୍ରଦାନ କରିବେ।

ରେଳ ବୋର୍ଡରେ ଆଜି ଜଣେ ସିଇଓଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଭିତିଭୂମି ପାଇଁ ପ୍ରଦୀପ କୁମାର, ରୋଲିଂ ଷ୍ଟକ୍ ପାଇଁ ପି ସି ଶର୍ମା, ପରିଚାଳନା ଓ ବ୍ୟବସାୟ ବିକାଶ ପାଇଁ ପି ଏସ୍‌ ମିଶ୍ର ଓ ଅର୍ଥ ପାଇଁ ମଞ୍ଜୁଲା ରଙ୍ଗରାଜନଙ୍କୁ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଏହି ସମସ୍ତ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପୂର୍ବରୁ ରେଳର ବିଭିନ୍ନ ସେବାଗୁଡ଼ିକ ଟ୍ରାଫିକ୍, ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍, ସିଗ୍‌ନାଲ୍‌, ଟେଲିକମ୍, ଷ୍ଟୋର, ମାନବ ସମ୍ବଳ ଓ ଆକାଉଣ୍ଟ୍‌ ଭଳି ବିଭିନ୍ନ ବିଭାଗ ଅଧୀନରେ ଥିଲା। ଏହି ବିଭାଗଗୁଡ଼ିକୁ ଉପରୁ ତଳ ପର୍ଯ୍ୟନ୍ତ ଅଲଗା ଅଲଗା କରି ରଖାଯାଇଥିଲା ଏବଂ ଜଣେ ସଚିବ ସ୍ତରୀୟ ଅଧିକାରୀ ବିଭାଗର ନେତୃତ୍ବ ନେଉଥିଲେ। ତାଙ୍କୁ ରେଳ ବୋର୍ଡର ସଦସ୍ୟ ମଧ୍ୟ କୁହାଯାଉଥିଲା।

ସମ୍ବନ୍ଧିତ ଖବର