‘ହାଓଡି ମୋଦୀ’ ପରେ ଆମେରିକା ସହ ବାଣିଜ୍ୟିକ ସମ୍ପର୍କରେ ସୁଧାର ଆସିପାରେ

ୱାସିଂଟନ/ନୂଆଦିଲ୍ଲୀ: ଆମେରିକାର ହଷ୍ଟନ୍‌ଠାରେ ରବିବାର ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଧ୍ୟ ସୁଧୁରିବ ବୋଲି ଆଶା କରାଯାଉଛି। ସୀମିତ ବାଣିଜ୍ୟ ରାଜିନାମା ହେବାର ସମ୍ଭାବନା ରହିଛି। ନିକଟରେ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରସ୍ପର ବିରୋଧରେ ବାଣିଜ୍ୟ କ୍ଷେତ୍ରରେ ନେଇଥିବା କେତେକ କଠୋର ପଦକ୍ଷେପକୁ କୋହଳ କରିବା ଆଶା ରହିଛି। ସୀମିତ ବାଣିଜ୍ୟ ରାଜିନାମା ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି। ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ସୀମିତ ବାଣିଜ୍ୟ ରାଜିନାମା ହୋଇପାରେ। ମୋଦୀ ଓ ଟ୍ରମ୍ପ ଉକ୍ତ ରାଜିନାମାରେ ସ୍ବାକ୍ଷର କରିପାରନ୍ତି। କେବଳ ଭାରତ ନୁହେଁ ଟ୍ରମ୍ପ ଚୀନ୍ ଏବଂ ଜାପାନ ସହିତ ମଧ୍ୟ ବାଣିଜ୍ୟ ରାଜିନାମା କରିବା ସମ୍ଭାବନା ରହିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ ଆମେରିକାର କେଉଁ କେଉଁ ଉତ୍ପାଦ ଉପରୁ ଶୁଳ୍କ ହ୍ରାସ କରିବ ଏବଂ ଭାରତକୁ ଆମେରିକା କେଉଁ କେଉଁ ଉତ୍ପାଦ ଉପରେ ଅଗ୍ରାଧିକାର ସୁବିଧା ପ୍ରଦାନ କରିବ ସେ ନେଇ ଦୁଇ ଦେଶ ମଧ୍ୟରେ ବିଚାରବିମର୍ଶ ଏବେ ଜାରି ରହିଛି। ପୂର୍ବରୁ ଟ୍ରମ୍ପ ଭାରତ ଆମେରିକାର ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ କରୁଛି ବୋଲି ଅଭିଯୋଗ କରିଆସୁଛନ୍ତି। ଏହି ଅଭିଯୋଗ କରିବା ସହିତ ଭାରତକୁ ପ୍ରଦାନ କରାଯାଇ ଆସୁଥିବା ଜିଏସପି (ଜେନେରାଲାଇଜଡ ସିଷ୍ଟମ୍ ଅଫ୍ ପ୍ରିଫରେନ୍‌ସେସ୍‌)କୁ ମଧ୍ୟ ଟ୍ରମ୍ପ ଗତ ଜୁନ ମାସରୁ ପ୍ରତ୍ୟାହାର କରିନେଇଛନ୍ତି।

ସମ୍ବନ୍ଧିତ ଖବର