ଅକ୍ଟୋବରରୁ ଗୃହ, ଗାଡ଼ି ଋଣ ସୁଧ କମିବ

ମୁମ୍ବାଇ : ‌ରେପୋ ରେଟ୍‌ ସହିତ ଗୃହ, ଗାଡ଼ି, ବ୍ୟକ୍ତିଗତ ଏବଂ ଏମ୍‌ଏସ୍‌ଏମ୍‌ଇ ଋଣକୁ ଯୋଡ଼ିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଯେଉଁ ସବୁ ଋଣର ସୁଧ ହାର ପରିବର୍ତ୍ତନଶୀଳ (ଫ୍ଲୋଟିଂ) ସେଗୁଡ଼ିକୁ ‌ରେପୋ ରେଟ୍‌ ସହ ଯୋଡ଼ିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ଏହି କାମ ଶେଷ କରିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି।

ରିଜର୍ଭ ବ୍ୟାଙ୍କର ଏହି ନିର୍ଦେଶ ପ୍ରଭାବରେ ‌ଗ୍ରାହକମାନଙ୍କୁ ଆସନ୍ତା ମାସ ଠାରୁ କମ୍ ସୁଧରେ ଗାଡ଼ି ଓ ଘର କିଣିବା ଲାଗି ଋଣ ମିଳିବ। ଏହା ବ୍ୟତୀତ ବ୍ୟକ୍ତିଗତ ଋଣ ସୁଧ ହାର ବି କମିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ କମ୍ ସୁଧରେ ଋଣ ହାସଲ କରିପାରିବେ। ରେପୋ ରେଟ୍ ବ୍ୟତୀତ ଅନ୍ୟ ଯେଉଁ ସବୁ ବେଞ୍ଚ୍‌ମାର୍କ ସୁଧ ହାର ରହିଛି ସେହି ଅନୁସାରେ ନିଜ ସୁଧ ହାରରେ ଅତିକମ୍‌ରେ ତିନି ମାସରେ ଥରେ ଲେଖାଏଁ ପରିବର୍ତ୍ତନ ଆଣିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ଦେଶରେ କାରବାର କରୁଥିବା ଡଜନେ ପାଖାପାଖି ବ୍ୟାଙ୍କ ନିଜ ସୁଧ ହାରକୁ ରେପୋ ରେଟ୍ ସହିତ ଯୋଡ଼ିସାରିଲେଣି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ କାରଣ ଯୋଗୁ ଏମ୍‌ସିଏଲ୍‌ଆର୍‌ ବ୍ୟବସ୍ଥାରେ ରିଜର୍ଭ ବ୍ୟାଙ୍କ ସୁଧ ହାରର ନିଷ୍ପତ୍ତି ଠିକ୍ ଭାବେ ପ୍ରତିଫଳିତ ହେଉନାହିଁ। ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ କମାଇବା ସତ୍ତ୍ବେ ବ୍ୟାଙ୍କ ଋଣ ସୁଧ ହାର ସେହି ଅନୁପାତରେ କମୁନାହିଁ। ରେପୋ ରେଟ୍‌ ହ୍ରାସର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ବାରମ୍ବାର ଅନୁରୋଧ କରାଯାଉଥିଲା। କିନ୍ତୁ ବ୍ୟାଙ୍କଗୁଡ଼ିକୁ ତାହାକୁ ଶୁଣୁନଥିଲେ। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମକୁ ବ୍ୟାଙ୍କଗୁଡ଼ିକ ଲାଗି ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର