ଦଶନ୍ଧୀର ସବୁଠୁ କମ୍ ସୁଧରେ ଗୃହ ଋଣ

ମୁମ୍ବାଇ: ଗୃହ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ଏକ ଖୁସି ଖବର। ଦେଶର ଅଗ୍ରଣୀ ବ୍ୟାଙ୍କଗୁଡ଼ିକ ଏବେ କମ୍ ସୁଧରେ ଗୃହ ଋଣ ଦେଉଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଠାରୁ ଆରମ୍ଭ କରି ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଭଳି ବ୍ୟାଙ୍କ ସେମାନଙ୍କ ଗୃହ ଋଣ ସୁଧ ହ୍ରାସ କରିଛନ୍ତି। ବ୍ୟାଙ୍କଗୁଡ଼ିକ ପାଖରେ ଏବେ ବିପୁଳ ପରିମାଣର ନଗଦ ରାଶି ରହିଛି ଯାହାକୁ ସେମାନେ ଋଣ ଆକାରରେ ଦେବାକୁ ଚାହୁଛନ୍ତି। ତେଣୁ ଋଣକୁ ଆକର୍ଷଣୀୟ କରିବା ଲାଗି ସୁଧରେ ହ୍ରାସ କରୁଛନ୍ତି। ସୁଧ କମାଇବା ନେଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ବ୍ୟାଙ୍କଗୁଡ଼ିକ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ନଜରରେ ରଖି ସେମାନଙ୍କ ପାଇଁ ସୁଧ ହ୍ରାସ କରିଛନ୍ତି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ପକ୍ଷରୁ ଯଥାକ୍ରମେ ୬.୭% ଓ ୬.୬୫% ସୁଧରେ ଗୃହ ଋଣ ଦିଆଯାଉଛି। ତେବେ ଯେଉଁ ଗ୍ରାହକମାନଙ୍କ କ୍ରେଡିଟ୍‌ ସ୍କୋର ୮୦୦ରୁ ଅଧିକ ‌କେବଳ ସେମାନଙ୍କୁ ଏହି ସୁବିଧା ମିଳିବ। ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଗୃହ ଋଣ ସୁଧ ହ୍ରାସ ଅଭିଯାନ ମାର୍ଚ୍ଚ ୧ରେ ଆରମ୍ଭ କରାଯାଇଥିଲା। ଏହା ପ୍ରୋସେସିଂ ଫି’ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଥିବା ଜଣାପଡ଼ିଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିନା ପ୍ରୋସେସିଂ ଫି’ରେ ଷ୍ଟେଟ୍‌ ବ୍ୟାଙ୍କ ୬.୭୫% ସୁଧରେ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଦେଉଛି। ମୋବାଇଲ୍ ଆପ୍‌ ୟୋନୋ ଜରିଆରେ ଋଣ ପାଇଁ ମହିଳାମାନେ ଆବେଦନ କଲେ ସେମାନଙ୍କୁ ସୁଧରେ ୦.୦୫% ରିହାତି ମିଳୁଛି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ ନୂଆ ଓ ପୁରୁଣା ଗ୍ରାହକଙ୍କୁ ୬.୭୫% ସୁଧ ହାରରେ ଗୃହ ଋଣ ଦିଆଯାଉଛି। ମାର୍ଚ୍ଚ ୩୧ ଭିତ‌ରେ ଋଣ ନେଲେ ୩୦ ହଜାର ଟଙ୍କାର ଫ୍ଲାଟ୍ ପ୍ରୋସେସିଂ ଫି’ ଲାଗିବ ଏବଂ ସୁଧ ୦.୦୫% କମ୍ ରହିବ। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଧ୍ୟ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣର ସୁଧକୁ ୬.୭% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ବିଗତ ୧୦ ବର୍ଷରେ ଏହା ସବୁଠୁ କମ୍ ସୁଧ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏମ୍‌କେ ଗ୍ଲୋବାଲ୍‌ର ରିପୋର୍ଟ ଅନୁସାରେ ଗୃହ ଋଣରେ ଷ୍ଟେଟ୍‌ ବ୍ୟାଙ୍କର ବଜାର ଭାଗ ସର୍ବାଧିକ ୩୪ ପ୍ରତିଶତ ଥିବା ବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୯ ପ୍ରତିଶତ ଓ ଆଇସିଆଇସିଆଇ ବ୍ୟାଙ୍କର ୧୩ ପ୍ରତିଶତ ରହିଛି। ଗୃହ ଋଣରେ ଏନ୍‌ପିଏ ହାର ବହୁତ କମ୍ ରହୁଥିବାରୁ ଏଥିରେ ବିପଦ ମାତ୍ରା ଅପେକ୍ଷାକୃତ କମ୍। ସେଥିପାଇଁ ବ୍ୟାଙ୍କଗୁଡ଼ିକ ନିଜ ପାଖରେ ଥିବା ବଳକା ପାଣ୍ଠିକୁ ଗୃହ ଋଣ ଆକାରରେ ଦେବା ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର