କର୍ମଚାରୀଙ୍କୁ ଅଧିକ ବୋନସ ରାଶି ଫେରାଇବାକୁ କହିଲା ହୋଣ୍ଡା କଂପାନି

ନୂଆଦିଲ୍ଲୀ: ଜାପାନର କାର୍‌ ନିର୍ମାତା ହୋଣ୍ଡା ଆମେରିକାର ଓହିଓ କାରଖାନାରେ କାମ କରୁଥିବା କର୍ମଚାରୀମାନଙ୍କୁ ଅଧିକ ବୋନସ୍ ଦେଇ ସେମାନଙ୍କ ମନ ଖୁସି କରିଦେଇଥିଲା। କିନ୍ତୁ ଭୁଲବଶତଃ ବୋନସ ରାଶି ଅଧିକ ହୋଇଯାଇଛି। ସେହି ରାଶି ଫେରାଇବା ଲାଗି କଂପାନି ଏହାର କର୍ମଚାରୀଙ୍କୁ କହିଥିବା ଜଣାପଡ଼ିଛି। କଂପାନି ଏହା ମଧ୍ୟ ଜଣାଇଛି ଯେ ଯଦି କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବେ ନିଜ ଆଡ଼ୁ ଅତିରିକ୍ତ ବୋନସ ରାଶି ନଫେରାଇବେ ତେବେ ସେମାନଙ୍କ ଦରମାରୁ ତାହା କଟାଯିବ। ବୋନସ୍ ରାଶି ଫେରାଇବା ଲାଗି କର୍ମଚାରୀଙ୍କୁ କୁହାଯାଇଥିବା କଥାକୁ ହୋଣ୍ଡା ସ୍ବୀକାର କରିଛି। ତେବେ କେତେ ପ୍ରତିଶତ ରାଶି ଫେରସ୍ତ ମଗାଯାଇଛି ତାହା ଜଣାଇନାହିଁ। ଅତିରିକ୍ତ ରାଶି ଫେରସ୍ତ ମାଗିବା ଆଇନସିଦ୍ଧ ବୋଲି କଂପାନି କହିଛି। ଜଣେ କର୍ମଚାରୀଙ୍କ ପତ୍ନୀ କହିବାନୁସାରେ ତାଙ୍କ ସ୍ବାମୀଙ୍କୁ ୧୦% ବୋନସ ରାଶି ଫେରାଇବାକୁ କୁହାଯାଉଛି। ତାହା ବେଶ ମୋଟା ଅଙ୍କର ହୋଇଥିବାରୁ ଫେରସ୍ତ କରିବାକୁ ସେମାନଙ୍କ ମନ ହେଉନାହିଁ। କାରଣ ସେହି ଅର୍ଥରାଶିକୁ ବ୍ୟବହାର କରି ସେମାନେ ଗାଡ଼ି ଓ ଘର ଋଣର କିସ୍ତି ଦେଇପାରିବେ ଓ ଦୁଇ ତିନି ସପ୍ତାହର ରାସନ କିଣିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର