ନୂଆଦିଲ୍ଲୀ : ଆସନ୍ତା ୭ ତାରିଖରେ  ନୋଇଡାଠାରେ ଅନୁଷ୍ଠିତ ହେବାକୁଥିବା ଅଟୋ ଏକ୍ସପୋରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଏକ ଧମାକା କରିବାକୁ ଯାଉଛି । କମ୍ପାନି ଗୋଟିଏ ଦୁଇଟି ନୁହେଁ ୧୧ଟି ନୂଆ ଦୁଇଚକିଆ ମଡେଲର ଉନ୍ମୋଚନ କରିବ ବୋଲି ଘୋଷଣା କରିଛି । ପ୍ରଥମ ଥର ପାଇଁ ଅଟୋ ଏକ୍ସପୋରେ ହୋଣ୍ଡା ପକ୍ଷରୁ ଏତେ ପରିମାଣର ନୂଆ ମଡେଲ୍‌ ଉନ୍ମୋଚନ କରାଯିବ ।

Advertisment

ଅଟୋ ଏକ୍ସପୋରେ ହୋଣ୍ଡା ଯେଉଁ ପାଭିଲିୟନ୍‌ କରିବ ତାହାର ବିଷୟ ବସ୍ତୁ ହେଉଛି ‘ଟ୍ରାନ୍ସଫର୍ମିଂ ଦି ୱେ ଇଣ୍ଡିଆ ରାଇଡ୍‌ସ ଆହେଡ୍‌ । ହୋଣ୍ଡା ନିଜ ପାଭିଲିଅନ୍‌ରେ ନୂଆ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିବ ଏବଂ ଆଗାମୀ ଦିନରେ ଯାତାୟାତ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନର ସମ୍ଭାବନା ରହିଛି ସେ ସମ୍ପର୍କିତ ପରିକଳ୍ପନାକୁ ମଧ୍ୟ ପ୍ରଦର୍ଶିତ କରିବ । ହୋଣ୍ଡା ଏକ ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ୍‌ର ମୋଟରସାଇକଲ୍‌ ଉନ୍ମୋଚନ କରିବ। ୨୦୧୭-୧୮ରେ କଂପାନି କ୍ଲିକ୍‌, ଆଫ୍ରିକା ଟ୍ଵିନ୍‌ ଏବଂ ଗ୍ରାଜିଆ ଭଳି ନୂଆ ଉତ୍ପାଦ ଉନ୍ମୋଚନ କରିଥିଲା । ପ୍ରଥମ ଥର ପାଇଁ କଂପାନି ପକ୍ଷରୁ ୨୦୧୮ ପାଇଁ ୧୦ଟି ନୂଆ ଆକର୍ଷଣୀୟ ଅପ୍‌ଗ୍ରେଡ୍‌କୁ ଉନ୍ମୋଚନ କରାଯିବ। ସେଥି ମଧ୍ୟରେ ରହିବ ୬ଟି ସ୍ଥାନୀୟ ଉତ୍ପାଦିତ ହେଉଥିବା ମୋଟରସାଇକଲ୍‌ ଏବଂ ୪ଟି ଅନ୍ତର୍ଜାତିକ ଫନ୍‌ ବାଇକ୍‌ । ଟୋକିଓ ମୋଟର ସୋ’ ୨୦୧୭ରେ ଉନ୍ମୋଚିତ ହୋଇଥିବା କଂପାନିର ନୂଆ ଇଲେକ୍ଟିକ୍‌ ଯାନ ପରିକଳ୍ପନା-ପିସିଏକ୍ସ ଇଲେକ୍ଟିକ୍‌ ସ୍କୁଟର୍‌କୁ ଅଟୋ ଏକ୍ସପୋ ୨୦୧୮ରେ ଉନ୍ମୋଚନ କରାଯିବ। ରେସିଂ ପ୍ରେମୀମାନଙ୍କ ପାଇଁ ହୋଣ୍ଡା ଏହାର ୨୦୧୭ ମୋଟୋ ଜିପି ବିଜୟୀ ବାଇକ୍‌ ଆର୍‌ସି୨୧୩ଭି କୁ ପ୍ରଦର୍ଶିତ କରିବ ।