ନୂଆଦିଲ୍ଲୀ: ଆକ୍ଟିଭା ଓ ସାଇନ୍ ଭଳି ଲୋକପ୍ରିୟ ବ୍ରାଣ୍ଡ୍ର ଗାଡ଼ି ବିକ୍ରି କରୁଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଇଲେକ୍ଟ୍ରିକ୍ ଯାନ ବିପ୍ଳବରେ ପଛରେ ରହିବାକୁ ଚାହୁନାହିଁ। ଏହା ଆସନ୍ତା ବର୍ଷ ନିଜର ପ୍ରଥମ ଇଲେକ୍ଟ୍ରିକ ଯାନକୁ ବଜାରରେ ଉପସ୍ଥାପନ କରିବା ବିଷୟରେ ବିଚାର କରୁଛି। ଚଳିତ ବର୍ଷ ଉତ୍ସବ ଋତୁ ଶେଷ ହେବା ପରେ ନିଜର କିଛି ହାତଗଣତି ଡିଲର୍ ସହଯୋଗୀଙ୍କ ଜରିଆରେ କଂପାନି ଏହାର ଇଲେକ୍ଟ୍ରିକ୍ ସ୍କୁଟରର ପରୀକ୍ଷାମୂଳକ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି।
ହୋଣ୍ଡାର ସଭାପତି, ଏମ୍ଡି ଓ ସିଇଓ ଆତ୍ସୁସି ଓଗାତା କହିଛନ୍ତି ଯେ ଆସନ୍ତା ଆର୍ଥିକ ବର୍ଷରୁ ଇଲେକ୍ଟ୍ରିକ୍ ଯାନ ବଜାରରେ ପ୍ରବେଶ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଏନେଇ ଜାପାନର ହୋଣ୍ଡା ମୋଟର କଂପାନି ସହ ବ୍ୟାପକ ଆଲୋଚନା କରାଯାଇଛି। ଯଦିଓ ଚୂଡ଼ାନ୍ତ ରୂପରେଖ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ କିନ୍ତୁ ଆସନ୍ତା ଆର୍ଥିକ ବର୍ଷରେ ଆମର ପ୍ରଥମ ଇଲେକ୍ଟ୍ରିକ୍ ଯାନ ଆଣିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଓଗାତା କହିଛନ୍ତି ବିଶ୍ବର ବିଭିନ୍ନ ଦେଶରେ ଇଲେକ୍ଟ୍ରିକ୍ ଯାନକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସେଥିପାଇଁ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି। ତେଣୁ ବହୁ କଂପାନି ଇଲେକ୍ଟ୍ରିକ୍ ଗାଡ଼ି ଆଣିବା ଉପରେ କାର୍ଯ୍ୟ କରୁଛନ୍ତି। ସହରାଞ୍ଚଳରେ ଅଳ୍ପ ଦୂର ଯାତ୍ରା କରିବା ଲାଗି ଏବେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ହେଉଛି। ଦୂର ସ୍ଥାନକୁ ଯାତ୍ରା କରିବା କିମ୍ବା ଗ୍ରାମାଞ୍ଚଳରେ ଏବେବି ଦହନଶୀଳ ଇଞ୍ଜିନ ବିଶିଷ୍ଟ ଗାଡ଼ିକୁ ପସନ୍ଦ କରାଯାଉଥିବା ସେ କହିଛନ୍ତି।
ଶ୍ରୀ ଓଗାତା କହିଛନ୍ତି ଯେ ହଠାତ୍ ସବୁ ଗାଡ଼ି ଇଲେକ୍ଟ୍ରିକ୍ ଯାନକୁ ରୂପାନ୍ତରିତ ହେବନାହିଁ। ଗତ ଏକ ଦଶନ୍ଧି ଭିତରେ ଏହି ପ୍ରଯୁକ୍ତିରେ ହେଉଥିବା ବିକାଶ ଉପରେ ଆମେ ନଜର ରଖିଛୁ। ଯେଉଁଭଳି ଭାବେ ଏହା ଆଗକୁ ବଢ଼ୁଛି ସେଥିରୁ ଏହା ଜଣାପଡ଼ୁଛି ଯେ ଏକ୍ଷେତ୍ରରେ ହଠାତ୍ କୌଣସି ବଡ଼ଧରଣର ପରିବର୍ତ୍ତ ହେବ ନାହିଁ। ସେଥିପାଇଁ ଆମେ ଭାରତୀୟ ବଜାର ଲାଗି ଇଲେକ୍ଟ୍ରିକ୍ ଯାନ ବିଷୟରେ ବିଚାର କରୁନଥିଲୁ। ଆମେ ଆସନ୍ତା ଆର୍ଥିକ ବର୍ଷରେ ଯେଉଁ ଇଲେକ୍ଟ୍ରିକ୍ ସ୍କୁଟର ଆଣିବୁ ତାହା ଆମ କେବଳ ଏକ ନୂଆ ଉତ୍ପାଦ ଭାବେ ଆସିବ। ସବୁ ଉତ୍ପାଦଗୁଡ଼ିକୁ ଇଲେକ୍ଟ୍ରିକ୍ ଗାଡ଼ିରେ ପରିଣତ କରିବାର ଆମର କୌଣସି ଯୋଜନା ନାହିଁ ବୋଲି ଓଗାତା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶର ଅନ୍ୟ ଦୁଇ ପ୍ରମୁଖ ଦୁଇ ଚକିଆ ଗାଡ଼ି ନିର୍ମାତା ହିରୋ ମୋଟୋକର୍ପ ଓ ଟିଭିଏସ୍ ମୋଟର କଂପାନି ଇଲେକ୍ଟ୍ରିକ୍ ଗାଡ଼ିକୁ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ତାଇୱାନ୍ର ଏକ ବ୍ୟାଟେରି କଂପାନି ସହ ହିରୋ ମୋଟୋକର୍ପ ବୁଝାମଣା କରିଛି। ସେହିପରି ଟିଭିଏସ୍ ପକ୍ଷରୁ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ ୧୦୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଘୋଷଣା କରାଯାଇଛି।