ବେଙ୍ଗାଲୁରୁ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍ଏସ୍‌ଆଇ) ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ପ୍ରବେଶ କରିଛି। କମ୍ପାନି ଏହାର ନୂଆ ଇଭି ମଡେଲ୍‌ ଆକ୍ଟିଭା ଇ ଓ ସିକ୍ୟୁ୧କୁ ଉନ୍ମୋଚନ କରିଛି। ଏହି ଦୁଇ ମଡେଲ୍‌ର ବୁକିଂ ନୂଆବର୍ଷରୁ ଆରମ୍ଭ ହେବ ଓ ଫେବ୍ରୁଆରିରୁ ଡେଲିଭରି ଆରମ୍ଭ ହେବ। ଏହି ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁସୁମୁ ଓଟାନି କହିଛନ୍ତି ଯେ ଆମେ ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ପ୍ରବେଶ କରିଥିବାରୁ ଏହା କମ୍ପାନି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମହତ୍ବ। 

Advertisment

ଆକ୍ଟିଭା ଇ ଓ ସିକ୍ୟୁ୧ ଭାରତରେ ସ୍ଥାୟୀ ଗମନାଗମନ ପାଇଁ ଆମ ପ୍ରତିବଦ୍ଧତା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ। ‌ସେହିପରି କମ୍ପାନିର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି ଯେ ଭାରତୀୟ ଇଭି ବଜାରରେ ପ୍ରବେଶ କରି ଆମେ ବେଶ୍ ଉତ୍ସାହିତ। ଆକ୍ଟିଭା ଇର ସ୍ବାପ୍ ହୋଇପାରୁଥିବା ବ୍ୟାଟେରି ଓ ସିକ୍ୟୁ୧ର ଫିକ୍ସଡ୍ ବ୍ୟାଟେରି ଚିନ୍ତାମୁକ୍ତ ମାଲିକାନା ଅନୁଭୂତି ପ୍ରଦାନ କରିବ। ଗାଡ଼ିର ସର୍ଭିସିଂ ପାଇଁ କମ୍ପାନି ପକ୍ଷରୁ ସ୍ବତନ୍ତ୍ର ଟୁଲ୍‌ ଉନ୍ମୋଚନ କରାଯାଇଥିବା ସେ କହିଛନ୍ତି। ଆକ୍ଟିଭା ଇରେ ୧୨ ଇଞ୍ଚର ଡାଇମଣ୍ଡ୍‌ କଟ୍‌ ଆଲୟ ହ୍ବିଲ୍, ୭ ଇଞ୍ଚ ଟିଏଫ୍‌ଟି ସ୍କ୍ରିନ୍, ହୋଣ୍ଡାର ଏଚ୍‌ ସମାର୍ଟ କି ଭଳି ସୁବିଧା ରହିଛି। ଏଥିରେ ୧.୫ କେଡବ୍ଲୁଏଚ୍‌ କ୍ଷମତାର ଦୁଇଟି ସ୍ବା‌ପ୍ ହୋଇପାରୁଥିବ ବ୍ୟାଟେରି ରହିଛି। ଫୁଲ୍ ଚାର୍ଜ ହେଲେ ତାହା ୧୦୨ କିମି ଯାତ୍ରା କରିବ। ଏହା ୭.୩ ସେକେଣ୍ଡରେ ୬୦ କିମି ବେଗରେ ଗତି କରିବାକୁ ପ୍ରସ୍ତୁତ ହୋଇଯିବ ଓ ଏହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୮୦ କିମି। ସିକ୍ୟୁ୧ ହେଉଛି ଦୈନନ୍ଦିନ ଅଳ୍ପ ଦୂର ଯାତ୍ରା କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଏକ ମଡେଲ୍‌। ଏଥିରେ ଏଲ୍‌ଇଡି ହେଡ୍‌ଲାଇଟ୍‌ ଓ ଟେଲ୍‌ ଲ୍ୟାମ୍ପ୍ ଥିବା ବେଳେ ୧.୫ କେଡବ୍ଲୁଏଚ୍‌ ଫିକ୍ସଡ୍‌ ବ୍ୟାଟେରି ରହିଛି ଯାହା ଚାର୍ଜ ହେଲେ ୮୦ କିମି ମାଇଲେଜ୍ ପ୍ରଦାନ କରୁଛି। ଉଲ୍ଲେଖଯୋଗ୍ୟ, କମ୍ପାନି ନଭେମ୍ବରରେ ୪,୭୨,୭୪୯ଟି ଗାଡ଼ି ବିକ୍ରି କରିଛି।