ମନରେଗାକୁ ଭରସା, ଅଧିକ ୪୦ ହଜାର କୋଟି

ବ୍ୟାବସାୟିକ ପରିବେଶ ଆହୁରି ସରଳ ହେବ

ଆତ୍ମନିର୍ଭର ଭାରତ ଅଭିଯାନର ପଞ୍ଚମ ତଥା ଶେଷ ପର୍ଯାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାତଟି ପଦକ୍ଷେପ ଘୋଷଣା କରିଛନ୍ତି। ମନରେଗାକୁ ଅଧିକ ଟଙ୍କା ଦେବା ସହ ଅନ୍‌ଲାଇନ୍ ପାଠପଢ଼ା ଉପରେ ଜୋର୍‌ ଦେଇଛନ୍ତି। ଭବିଷ୍ୟତର ମହାମାରୀ ମୁକାବିଲା ଲାଗି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ ବୋଲି କହିଛନ୍ତି। ଏଥିସହିତ ଶିଳ୍ପ ଜଗତକୁ ମଧ୍ୟ ସେ ଆଜି ଅନେକ ପ୍ରକାର ଆଶ୍ବସ୍ତି ଦେଇଛନ୍ତି। ତାହାକୁ ନେଇ ଆମର ଏହି ଉପସ୍ଥାପନା…

ମନରେଗାକୁ ଅଧିକ ୪୦ ହଜାର କୋଟି
ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ଲୋକମାନଙ୍କୁ ରୋଜଗାର ମାଧ୍ୟମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)କୁ ଅଧିକ ୪୦ ହଜାର କୋଟି ଟଙ୍କା ଦେଇଛନ୍ତି। ଚଳିତ ବର୍ଷ ବଜେଟ୍‌ରେ ମନରେଗା ପାଇଁ ୬୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଏବେ ଆଉ ୪୦ ହଜାର କୋଟି ଟଙ୍କା ଦିଆଯାଇଛି। ଏହାଦ୍ବାରା ‌ଲୋକଙ୍କ ପାଇଁ ୩୦୦ କୋଟି ଦିନର କାର୍ଯ୍ୟଦିବସ ସୃଷ୍ଟି ହେବ। କରୋନା ସଙ୍କଟ ମୁକାବିଲା ଲାଗି ଲାଗୁ କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବ ଯୋଗୁଁ ଅନ୍ୟ ରାଜ୍ୟଗୁଡ଼ିକରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ‌କୋଟି କୋଟି ଲୋକ ସେମାନଙ୍କ ଗାଁକୁ ଫେରୁଛନ୍ତି। ଗାଁରେ ପହଞ୍ଚିବା ପରେ ମନରେଗା ମାଧ୍ୟମରେ ସେମାନଙ୍କୁ ରୋଜଗାର ମାଧ୍ୟମ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନିଜ ଗାଁକୁ ଫେରୁଥିବା ଶ୍ରମିକମାନେ ମନରେଗାରେ ନିଜ ନାମ ପଞ୍ଜୀକରଣ କଲେ ସେମାନଙ୍କୁ କାମ ମିଳିବ। ବିଶେଷ କରି ଆଗାମୀ ମୌସୁମୀ ଋତୁରେ ସେମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ଅନେକ ସ୍ଥାୟୀ ଓ ଜୀବନଜୀବିକା ସମ୍ପର୍କିତ ସମ୍ପତ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଉତ୍ପାଦନ ବୃଦ୍ଧି ପାଇବ ଓ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ବ୍ୟାବସାୟିକ ପରିବେଶ ଆହୁରି ସରଳ ହେବ
ନୂଆଦିଲ୍ଲୀ: ବ୍ୟବସାୟ ଆରମ୍ଭ କରିବା ନେଇଁ ପ୍ରସ୍ତୁତ ରୢାଙ୍କିଂରେ ଭାରତ ଯଥେଷ୍ଟ ଉ‌ନ୍ନତି କରିଛି। ଏଥିସହିତ ଦେବାଳିଆ ମାମଲାର ସମାଧାନରେ ମଧ୍ୟ ଦେଶ ବିଶେଷ ପଦକ୍ଷେପ ନେଇଛି। ଏଥିଯୋଗୁ ବ୍ୟବସାୟ କରିବା‌ରେ ଭାରତର ସାମଗ୍ରିକ ରୢାଙ୍କିଂରେ ଉନ୍ନତି ଆସିପାରିଛି। ଏହାସତ୍ତ୍ବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ କ୍ଷେତ୍ରରେ ଅଧିକ ସଂସ୍କାରଧର୍ମୀ ପଦକ୍ଷେପ ଆଜି ଘୋଷଣା କରିଛନ୍ତି। ସେହି ସଂସ୍କାର ଗୁଡ଼ିକ ମଧ୍ୟରେ ରହିଛି ଭାରତର କମ୍ପାନି ଗୁଡ଼ିକ ସେମାନଙ୍କ ସିକ୍ୟୁରିଟିଜ୍‌କୁ ସିଧାସଳଖ ଅନୁମତି ଥିବା ଦେଶଗୁଡ଼ିକରେ ତାଲିକାଭୁକ୍ତ କରିପାରିବେ। ଏନ୍‌ସିଡିକୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରୁଥିବା ଘରୋଇ କମ୍ପାନି ଗୁଡ଼ିକୁ ତାଲିକାଭୁକ୍ତ କମ୍ପାନି ଭାବେ ବିବେଚନା କରାଯିବ ନାହିଁ। ଏନ୍‌ସିଏଲ୍‌ଏଟି ପାଇଁ ଅତିରିକ୍ତ/ସ୍ବତନ୍ତ୍ର ବେଞ୍ଚ ସ୍ଥାପନ କ୍ଷମତା ପ୍ରଦାନ। ଛୋଟ କମ୍ପନି, ଗୋଟିଏ ବ୍ୟକ୍ତି ଦ୍ବାରା ପରିଚାଳିତ କମ୍ପାନି, ଉତ୍ପାଦକ କମ୍ପାନି ଏବଂ ଷ୍ଟାର୍ଟ ଅପ୍ ଗୁଡ଼ିକର ଦୋଷତ୍ରୁଟି ପାଇଁ କମ୍ ଜରିମାନା ଆଦାୟ କରାଯିବ।

ସମ୍ବନ୍ଧିତ ଖବର