ହୋଟେଲ୍‌ରେ ବୁକିଂ ବୃଦ୍ଧି: ବ୍ୟବସାୟ କାର୍ଯ୍ୟକ୍ରମ ବୁକିଂରେ ବି ଉନ୍ନତି

ନୂଆଦିଲ୍ଲୀ: କରୋନା ମହାମାରୀର ଭୟ ଏକ ପ୍ରକାର ଦୂର ହୋଇଥିବା ବେଳେ ହୋଲି ଉତ୍ସବ ଆସୁଥିବାରୁ ଦେଶର ବିଭିନ୍ନ ହୋଟେଲ୍‌ରେ ବୁକିଂ ବୃଦ୍ଧି ପାଇଛି। ଜାନୁଆରିରେ ବୁକିଂ ନିରାଶାଜନକ ରହିବା ପରେ ଫେବ୍ରୁଆରିରେ ମାତ୍ର ୧୫% ବଢ଼ିଥିଲା। ମାର୍ଚ୍ଚରେ କିନ୍ତୁ ବୁକିଂରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ତେଣୁ ମାର୍ଚ୍ଚ ଓ ଏପ୍ରିଲ ମାସରେ ବୁକିଂ ହାର ୨୫% ବଢ଼ିବ ବୋଲି ହୋଟେଲ୍‌ ଶିଳ୍ପ ଆଶା ରଖିଛି। କୋଭିଡ୍‌ ଭୟ ଦୂର ହୋଇଥିବାରୁ ଲୋକମାନେ ଚିତ୍ତବିନୋଦନ ପାଇଁ ଆଗ୍ରହ ଦେଖାଇଛନ୍ତି। ଦେଶ ଭିତର‌ରେ ସେମାନେ ବୁଲାବୁଲି କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କାରଣ ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣା ଏପର୍ଯ୍ୟନ୍ତ ହଟିନାହିଁ। ଚଳିତ ମାସ ୨୭ରୁ ବିଦେଶ ବିମାନ ଉଡ଼ାଣ ଆରମ୍ଭ ହେବା ପରେ ଦେଶ ଭିତର ହୋଟେଲ୍ ବୁକିଂରେ ହ୍ରାସ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସପ୍ତାହର ଶେଷ ଦିନଗୁଡ଼ିକ ପାଇଁ ବୁକିଂ ଅଧିକ ରହୁଛି। ସେହି ଅନୁସାରେ ଭଡ଼ା ମଧ୍ୟ ବଢ଼ୁଛି। ଆମୋଦପ୍ରମୋଦ ସୁବିଧା ଥିବା ସ୍ଥାନଗୁଡ଼ିକ ବ୍ୟତୀତ ଦିଲ୍ଲୀ ଓ ମୁମ୍ବାଇ ଭଳି ମଟ୍ରୋ ସହରଗୁଡ଼ିକରେ ଥିବା ହୋଟେଲ୍‌ରେ ମଧ୍ୟ ବୁକିଂ ଅଧିକ ରହୁଛି। ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପୁଣି ଥରେ ହୋଟେଲ୍‌ରେ ସେମାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବା ଆରମ୍ଭ କରିଛନ୍ତି। ମହାମାରୀ ପ୍ରଭାବରେ ଦୀର୍ଘ ଦୁଇ ବର୍ଷ ହୋଟେଲ୍ କାରବାର ମାନ୍ଦା ଥିଲା। ଏତେ ହଠାତ୍ ଚାହିଦାରେ ବୃଦ୍ଧି ହେଉଥିବାରୁ ହୋଟେଲ୍‌ ଭଡ଼ା ୨୦୧୯ ତୁଳନାରେ ୨ରୁ ୩ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବ୍ୟବସାୟ କାର୍ଯ୍ୟକ୍ରମ ଲାଗି ବୁକିଂ ଭଡ଼ାରେ ୫୦% ବୃଦ୍ଧି ଘଟିଛି। ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ ଓ କୋଲକାତାରେ ହୋଟେଲ ବୁକିଂ ପାଇଁ ଏବେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଉଦୟପୁର, ମସୁରି, ଡେରାଡୁନ, ଜୟପୁର ଓ ଅମୃତସରରେ ଥିବା ହୋଟେଲ୍‌ଗୁଡ଼ିକରେ ମଧ୍ୟ ବୁକିଂ ଅଧିକ ରହୁଥିବାରୁ ସେଠାରେ ଭଡ଼ା ବଢ଼ିଛି। ହୋଟେଲ୍ ଶିଳ୍ପ ଲାଗି ଆଗାମୀ ମାସଗୁଡ଼ିକ ଆହୁରି ଅଧିକ ଖୁସି ଆଣିଦେବ। ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇରେ ବହୁ ଶୁଭ ଦିନ ଥିବାରୁ ବିବାହ କାର୍ଯ୍ୟକ୍ରମ ଲାଗି ହୋଟେଲ୍‌ଗୁଡ଼ିକରେ ଭିଡ଼ ହେବ। ବହୁ କର୍ପୋରେଟ୍ ସଂସ୍ଥା ବ୍ୟବସାୟ ଯାତ୍ରାୟାତ ଆରମ୍ଭ କରୁଥିବାରୁ ହୋଟେଲ୍‌ ଚାହିଦା ବଢ଼ିବ।

ସମ୍ବନ୍ଧିତ ଖବର