ହୋଟେଲ୍‌, ରେସ୍ତୋରାଁ ଅଧିକ ଦରରେ ପାଣି ବୋତଲ ବିକି ପାରିବେ

ନୂଆଦିଲ୍ଲୀ: ଦେଶର ହୋଟେଲ୍‌ ଏବଂ ରେସ୍ତୋରାଁଗୁଡ଼ିକ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ପାଣି ବୋତଲ ବିକ୍ରି କରିପାରିବେ। ସେମାନଙ୍କ ଉପରେ ଲିଗାଲ୍‌ ମେଟ୍ରୋଲୋଜି ନିୟମ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବିଚାରପତି ଆର୍‌ ଏଫ୍‌ ନରିମାନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏମ୍‌ଆର୍‌ପିରେ ପାଣି ବୋତଲ ବିକ୍ରି କରିବା ପାଇଁ ଏଭଳି ଅନୁଷ୍ଠାନଗୁଡ଼ିକ ବାଧ୍ୟ ନୁହନ୍ତି। ହୋଟେଲ୍‌ ଏବଂ ରେସ୍ତୋରାଁଗୁଡ଼ିକରେ ହେଉଥିବା ବିକ୍ରି ସାଧାରଣ ନୁହେଁ। କୌଣସି ବ୍ୟକ୍ତି କେବେ ବି ପାଣି ବୋତଲ କିଣିବା ପାଇଁ ହୋଟେଲ୍‌ କିମ୍ବା ରେସ୍ତୋରାଁ ଯାଇନଥାନ୍ତି। ସେଭଳି ସ୍ଥାନକୁ ଯାଉଥିବା ଗ୍ରାହକମାନେ ଏହାର ପରିବେଶକୁ ଉପଭୋଗ କରିଥାନ୍ତି। ସେହି ପରିବେଶ ସୃଷ୍ଟି କରିବାରେ ହୋଟେଲ୍‌ ଏବଂ ରେସ୍ତୋରାଁଗୁଡ଼ିକ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ହୋଟେଲ୍‌ ଏବଂ ରେସ୍ତୋରାଁରେ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ପାଣି ବୋତଲ ବିକ୍ରି ଉପରେ ରୋକ ଲଗାଇବା ପାଇଁ ସରକାର ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ତାହାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର