ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ୟୁପିଆଇ ବିପ୍ଳବ ଆଣିବା ସହ ବହୁ ଲୋକଙ୍କ ପାଇଁ ବରଦାନ ସାଜିଛି। କିନ୍ତୁ କିଛି ଲୋକଙ୍କ ପାଇଁ ତାହା ଅସୁବିଧା ମଧ୍ୟ ସୃଷ୍ଟି କରିଛି। ହୋଟେଲ୍ର କର୍ମଚାରୀମାନେ ଟିପ୍ସ ପାଇବାରେ ସମସ୍ୟା ସାମ୍ନା କରୁଛନ୍ତି। ହୋଟେଲ୍ର ନୀତି ଅନୁସାରେ କୌଣସି ଅତିଥିଙ୍କୁ ଫୋନ୍ ନମ୍ବର, ୟୁପିଆଇ ଆଇଡି ଓ ବ୍ୟକ୍ତିଗତ ବିବରଣୀ ଦେବାକୁ କର୍ମଚାରୀମାନଙ୍କୁ ବାରଣ କରାଯାଇଛି। ବହୁ ଅତିଥି ଏବେ ଆଉ ନଗଦ ଟଙ୍କା ପାଖରେ ରଖୁନାହାନ୍ତି। ସେମାନେ କୌଣସି କର୍ମଚାରୀଙ୍କୁ ଟିପ୍ସ ଦେବାକୁ ଚାହିଲେ ୟୁପିଆଇରେ ଦେବାକୁ ଆଗ୍ରହ ଦେଖାଉଛନ୍ତି। ମାତ୍ର ହୋଟେଲ୍ର ରହିଥିବା ନୀତି ପାଇଁ କର୍ମଚାରୀମାନେ ସେହି ଟିପ୍ସ ଗ୍ରହଣ କରିପାରୁନାହାନ୍ତି।
ଟିପ୍ସ ଜରିଆରେ ମିଳୁଥିବା ରାଶି କର୍ମଚାରୀମାନଙ୍କୁ ବହୁ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରୁଥିଲା। କର୍ମକ୍ଷେତ୍ରକୁ ଯିବା ଲାଗି ଗମନାଗମନ ଭଡ଼ାଠାରୁ ଆରମ୍ଭ କରି ପିଲାମାନଙ୍କ ପାଇଁ ସ୍କୁଲର ବିଭିନ୍ନ ଜିନିଷ କିଣିବାରେ ସେମାନେ ସେହି ଅର୍ଥରାଶିକୁ ବ୍ୟବହାର କରନ୍ତି। ଏକ ହୋଟେଲ୍ର ଜଣେ କର୍ମଚାରୀ କହିଛନ୍ତି ଯେ ପୂର୍ବରୁ ସପ୍ତାହକୁ ୪୦୦-୫୦୦ ଟଙ୍କାର ଟିପ୍ସ ମିଳୁଥିଲା। ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି। କେରାନା ମହାମାରୀ ପରେ ଡିଜିଟାଲ୍ କାରବାର ବୃଦ୍ଧି ପାଇବା ସହ ଏହି ଅସୁବିଧା ସୃଷ୍ଟି ହୋଇଛି।