ଭୁବନେଶ୍ବର: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ୍‌ ବଜାର ହେଉଛି ଭୁବନେଶ୍ବର। ୨୦୨୫ର ତୃତୀୟ ତ୍ରୈମାସିକ କିନ୍ତୁ ବଜାର ପାଇଁ ଏତେଟା ଭଲ ନଥିଲା। ଏହି ତିନି ମାସରେ ଘର ବିକ୍ରିରେ ୨୬ ପ୍ରତିଶତର ହ୍ରାସ ହୋଇଛି। ଦେଶର ଯେଉଁ ୧୫ଟି ବଡ଼ ଦ୍ବିତୀୟ ଶ୍ରେଣୀର ସହର ରହିଛି, ସେଥି ମଧ୍ୟରୁ ଭୁବନେଶ୍ବରରେ ବିକ୍ରି ସର୍ବାଧିକ କମିଥିବା ପ୍ରପ୍‌ଇକ୍ବିଟି ନାମକ ଏକ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି। ଭୁବନେଶ୍ବରରେ କେବଳ ଘର ବିକ୍ରି କମିନାହିଁ, ବରଂ ନୂତନ ପ୍ରକଳ୍ପ ଉନ୍ମୋଚନ ମଧ୍ୟ ୮୮ ପ୍ରତିଶତ ହ୍ରାସ ପାଇଛି। 

Advertisment

ଦେଶର ୧୫ଟି ଦ୍ବିତୀୟ ଶ୍ରେଣୀ ସହରରେ ରିଅଲ ଇଷ୍ଟେଟ୍‌ ସ୍ଥିତିକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ବଜାରଗୁଡ଼ିକରେ ତୃତୀୟ ତ୍ରୈମାସିକରେ ୩୯,୨୦୧ଟି ଘର ବିକ୍ରି ହୋଇଥିଲା ଯାହା ପୂର୍ବବର୍ଷର ସେହି ସମୟ ବିକ୍ରି ତୁଳନାରେ ଚାରି ପ୍ରତିଶତ କମ୍। ୨୦୨୫ର ଜୁଲାଇରୁ ସେପ୍ଟେମ୍ବର ଭିତରେ ନୂଆ ଘର ଯୋଗାଣ ୧୦ ପ୍ରତିଶତ ହ୍ରାସ ସହ ୨୮,୭୨୧ ୟୁନିଟ୍‌କୁ ଖସଯାଇଛି। ଘର ବିକ୍ରି ଓ ନୂଆ ପ୍ରକଳ୍ପ ଉନ୍ମୋଚନ କ୍ଷେତ୍ରରେ ଗୁଜରାଟର ଅହମଦାବାଦ ସବୁଠୁ ଆଗରେ ରହିଛି। ଆଠଟି ସହରରେ ନୂତନ ଉନ୍ମୋଚନ କମିଛି।

ଗୁଜରାଟର ଅନ୍ୟ ତିନି ସହର ସୁରଟ, ଗାନ୍ଧୀ ନଗର ଓ ଭଦୋଦରାରେ ମଧ୍ୟ ବିକ୍ରି ବଢ଼ିଛି। ଏ ସମ୍ପର୍କରେ ପ୍ରପ୍‌ଇକ୍ବିଟିର ପ୍ରତି‌ଷ୍ଠାତା ସମିର ଜାସୁଜା କହିଛନ୍ତି ଯେ ସୁଲଭ ଓ ମଧ୍ୟମ ଆୟବର୍ଗରେ ନୂତନ ପ୍ରକଳ୍ପ ଉନ୍ମୋଚନ କମିଛି। ଘର ତିଆରି ଖର୍ଚ୍ଚ ବଢ଼ୁଥିବା ବେଳେ ବଡ଼ ଘର ନେବା ଲାଗି ଲୋକଙ୍କ ଭିତରେ ଆଗ୍ରହ ଦେଖାଦେଇଛି। ସେଥିପାଇଁ ବିଭିନ୍ନ ବଜାରରେ ଘର ବିକ୍ରିରେ ହ୍ରାସ ଘଟିଛି। ତେବେ ଏହାସତ୍ତ୍ବେ ଦ୍ବିତୀୟ ଶ୍ରେଣୀ ବଜାରଗୁଡ଼ିକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ସହରଗୁଡ଼ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବେଳେ ଭିତ୍ତିଭୂମିରେ ଉନ୍ନତି ଆଣୁଛନ୍ତି। ସେଥିପାଇଁ ସେଠାରେ ଆବାସିକ, ବାଣିଜ୍ୟି ଓ ରିଟେଲ୍‌ ରିଅଲ ଇଷ୍ଟେଟ୍‌ ବିକ୍ରି ବଢ଼ୁଥିବା ଶ୍ରୀ ଜାସୁଜା କହିଛନ୍ତି।