ମାନ୍ଦାବସ୍ଥା ମୁକାବିଲା ଏମିତି: ଅର୍ଥନୈତିକ ଉପଦେଷ୍ଟା ଅଲୋଡ଼ା

ଅର୍ଥନୀତି ପାଇଁ ନାହାନ୍ତି ଡୋଭାଲ୍‌ଙ୍କ ଭଳି ବ୍ୟକ୍ତି, ଅର୍ଥନୀତିଜ୍ଞଙ୍କ ବଦଳରେ ପ୍ରଶାସକଙ୍କୁ ଅଧିକ ଗୁରୁତ୍ବ

ନୂଆଦିଲ୍ଲୀ: ଦେଶ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାର ମୁକାବିଲା କରିବା ଲାଗି ସରକାର ‌ଅନେକ ପ୍ରୟାସ କରୁଛନ୍ତି, କିନ୍ତୁ ସୁଫଳ ମିଳୁନାହିଁ। ଏହି ମାନ୍ଦାବସ୍ଥା କେବେ ଦୂର ହେବ ତାହାର ଉତ୍ତର କାହା ପାଖରେ ନାହିଁ। ଅର୍ଥନୀତି ଉପରେ ସରକାରଙ୍କୁ ଯେଉଁମାନେ ପରାମର୍ଶ ଦେଉଛନ୍ତି ସେମାନଙ୍କ ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ସମୟରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ କୌଣସି ବିଷୟରେ ମତ ନରଖିବା ଏବଂ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଅନେକଙ୍କୁ ଚକିତ କରିଛି। କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ବେଳେ ପ୍ରମୁଖ ସଂସ୍ଥାର ମୁଖ୍ୟଙ୍କୁ ଅଣଦେଖା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ନୂଆ କଥା ନୁହେଁ। ବିମୁଦ୍ରୀକରଣ ଘୋଷଣା ବେଳେ ସେହି ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲଙ୍କୁ ବିଶ୍ବାସକୁ ନିଆଯାଇନଥିଲା। ବିମୁଦ୍ରୀକରଣ ସମୟରେ ଉର୍ଜିତ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ। ତାଙ୍କ ବଦଳରେ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ଦାସଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। କେବଳ ବିମୁଦ୍ରୀକରଣ ନୁହେଁ ଜିଏସ୍‌ଟି ଲାଗୁ କରିବା ସମୟରେ ସେହି ସମୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କାମ କରୁଥିବା ଅରବିନ୍ଦ ସୁବ୍ରମଣିଅନଙ୍କୁ ଅଣଦେଖା କରାଯାଇଥିଲା। ତାଙ୍କ ବଦଳରେ ହସମୁଖ ଆଧିଆଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ସରକାର ଅର୍ଥନୀତିଜ୍ଞଙ୍କ ବଦଳରେ ପ୍ରଶାସକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ବାଜପେୟୀ ସରକାରଙ୍କ ପରବର୍ତ୍ତୀ ସମୟକୁ ଯଦି ଅନୁଶୀଳନ କରାଯାଏ ତେବେ ସବୁ ସରକାରରେ ଅର୍ଥନୀତି ବିଶାରଦଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିଲା ବୋଲି କୁହାଯାଇପାରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହ ନିଜ ଘନିଷ୍ଠଙ୍କୁ ଅର୍ଥନୈତିକ ପରାମର୍ଶଦାତା ଦାୟିତ୍ବ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅମଳରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିରକ୍ଷା ମାମଲାରେ ଅଜିତ ଡୋଭାଲ୍‌ଙ୍କୁ ଯେମିତି ବିଶ୍ବାସ କରୁଛନ୍ତି ଅର୍ଥନୀତି ମାମଲା‌ରେ ପରାମର୍ଶ ଦେବା ପାଇଁ ‌ସେଭଳି ଜଣେ ବ୍ୟକ୍ତି ସୃଷ୍ଟି କରିପାରିନାହାନ୍ତି।

ବାଜପେୟୀ ହୁଅନ୍ତୁ ଅଥବା‌ ମନମୋହନ ନିଜର ଅର୍ଥନୈତିକ ପରାମର୍ଶଦାତା ଭାବେ ବିଶିଷ୍ଟ ଅର୍ଥନୀତି ବିଶାରଦଙ୍କୁ ନିଯୁକ୍ତି ଦେଇଥିଲେ। ବାଜପେୟୀଙ୍କ ଅମଳରେ ବିଜୟ କେଲ୍‌କାର୍‌ ଓ ମନମୋହନଙ୍କ ସମୟରେ ସି ରଙ୍ଗରାଜନ ଏହି ଭୂମିକା ନିର୍ବାହ କରିଥିଲେ। ମୋଦୀ ସରକାରଙ୍କ ଅମଳରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଭୂମିକା ନିର୍ଦିଷ୍ଟ ଏକ ପ୍ରସଙ୍ଗ ଭିତରେ ସୀମିତ। ଜନ ଧନ ଯୋଜନା, ସମସ୍ତଙ୍କ ପାଇଁ ଏଲ୍‌ଜିପି, ମୁଦ୍ରା ଯୋଜନା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ଫସଲ ବୀମା ଏବଂ ହାଉସିଂ ଯୋଜନା ଭଳି ‌ଅନେକ ବଡ଼ ଯୋଜନାକୁ ପ୍ରଶାସକଙ୍କ ଜରିଆରେ କାର୍ଯ୍ୟକାରୀ କରାଯାଇଛି। ଅର୍ଥନୈତିକ ମାମଲାଗୁଡ଼ିକରେ ନିତି ଆୟୋଗ ମଧ୍ୟ କୌଣସି ମତ ଦେଉନାହିଁ। ଯୋଜନା କମିସନ ଯୁଗରେ ଏହାର ଉପାଧ୍ୟକ୍ଷ ମଣ୍ଟେକ ସିଂହ ଆଲୁୱାଲିଆଙ୍କ ମତ ବେଶ ଗୁରୁତ୍ବ ରଖୁଥିଲା। କିନ୍ତୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କିମ୍ବା ସଂସ୍ଥାର ସିଇଓ ଅମିତାଭ କାନ୍ତ କୌଣସି ମାମଲାରେ ମତ ରଖୁନାହାନ୍ତି। ଅଧିକାଂଶ ସମୟରେ ସେମାନେ ସରକାରଙ୍କୁ ସୁହାଇବା ଭଳି କଥା ହିଁ କହୁଛନ୍ତି। କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍‌ଙ୍କ ଦ୍ବାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେକୁ ସରକାର ବି ସେତେଟା ଗୁରୁତ୍ବ ଦେଇଥିବା ଭଳି ମନେ ହେଉନାହିଁ।

ସମ୍ବନ୍ଧିତ ଖବର