ନୂଆଦିଲ୍ଲୀ: ୫ଜିର ସବୁଠୁ ବଡ଼ ଆକର୍ଷଣ ହେଉଛି ଡାଉନ୍ଲୋଡ୍ ସ୍ପିଡ୍। ଏଥିରେ ପ୍ରତି ସେକେଣ୍ଡ୍ରେ ୧୦ ଜିବି ଡାଟା ଡାଉନ୍ଲୋଡ୍ ହେବ। ଯାହା ବର୍ତ୍ତମାନର ୪ଜି ଡାଉନ୍ଲୋଡ୍ ସ୍ପିଡ୍ର ୧୦୦ ଗୁଣାରୁ ଅଧିକ। ୪ଜିରେ ସେକେଣ୍ଡ୍ ପିଛା ୨୧ ଏମ୍ବି ଡାଟା ଡାଉନ୍ଲୋଡ୍ ହେଉଛି। ୫ଜିରେ ଏକ ୫ଜିବିର ସିନେମା ୩୫ ସେକେଣ୍ଡ୍ରେ ଡାଉନ୍ଲୋଡ୍ ହୋଇଯିବ। ୪ଜିରେ ତାହାକୁ ଡାଉନ୍ଲୋଡ୍ କରିବା ଲାଗି ୪୦ ମିନିଟ୍, ୩ଜିରେ ଦୁଇ ଘଣ୍ଟା ଓ ୨ଜିରେ ୨.୮ ଦିନ ସମୟ ଲାଗିବ।
୫ଜିର ଅନ୍ୟତମ ଆକର୍ଷଣ ହେଉଛି ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଣ୍ଟରନେଟ୍। ଏଥିରେ ଇଣ୍ଟରନେଟ୍ରେ ବିଳମ୍ବ ହେବ ନାହିଁ। ଫଳରେ ୪କେ ମାନର ଭିଡିଓ ପ୍ରସାରଣ, ଭିଡିଓ କଲ୍ କରିବା, ବଡ଼ ଦଳ ମଧ୍ୟରେ ମଲ୍ଟିମିଡିଆ ବ୍ୟବହାର କରି ଆଲୋଚନା କରିବା, ଭିଡିଓ ଷ୍ଟ୍ରିମିଂ ଓ ଲାଇଭ୍ ଭିଡିଓ ଗେମ୍ ଖେଳିବା ଅତ୍ୟନ୍ତ ସହଜ ହୋଇଯିବ।
୫ଜିରେ ଯେକୌଣସି ସ୍ଥାନରେ ରହି ଡାଟାକୁ ପରିଚାଳନା କରିହେବ। ଟେଲି ମେଡିସିନ୍ କ୍ଷେତ୍ରରେ ଏହା ବିପ୍ଳବ ଆଣିବ। ଦୂର ସ୍ଥାନରେ ଥିବା ଡାକ୍ତର ରୋଗୀଙ୍କ ଅସ୍ତ୍ରୋପଚାର କରିପାରିବେ। ସ୍ମାର୍ଟ ଚଷମା ଭଳି ଓୟାରେବଲ୍ କ୍ଷେତ୍ରରେ ମଧ୍ୟ ୫ଜି ବିପ୍ଳବ ଆଣିପାରିବ। ଗ୍ରାହକମାନଙ୍କ ପାଇଁ ୫ଜିର ସବୁଠୁ ବଡ଼ ଲାଭ ହେଉଛି ଏଥିରେ ଉନ୍ନତ ନେଟ୍ୱର୍କ ମିଳିବ। ଏଭଳିକି ଷ୍ଟାଡ଼ିୟମ ଭଳି ଭିଡ଼ ସ୍ଥାନରେ ମଧ୍ୟ ଗ୍ରାହକମାନେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ହାସଲ କରିପାରିବେ।