ମୁମ୍ବାଇ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ରବିବାର ଦିନ ୪,୦୦,୦୦୦ ଲୋକ ବିମାନରେ ଯାତ୍ରା କରିଛନ୍ତି। ଉପଲବ୍ଧ ହୋଇଥିବା ସାପ୍ତାହିକ ତଥ୍ୟକୁ ବିଚାରକୁ ନେଲେ ଦିନକୁ ୨୭୦୭ଟି ବିମାନରେ ହାରାହାରି ୩,୬୫,୦୦୦ ଲୋକ ଯାତ୍ରା କରିଛନ୍ତି। ଏହାର ପୂର୍ବ ସପ୍ତାହରେ ଦିନକୁ ହାରାହାରି ୩,୬୪,୦୦୦ ଜଣ ୨୬୭୨ଟି ବିମାନରେ ଯାତ୍ରା କରିଥିଲେ। ସେହିଭଳି ଆମୋଦପ୍ରମୋଦ ସ୍ଥଳୀକୁ ଲୋକମାନେ ଅଧିକ ସଂଖ୍ୟାରେ ଏବେ ଯାଉଛନ୍ତି। କିଣାକିଣି ଏବଂ ଆମୋଦପ୍ରମୋଦ ପାଇଁ କରୋନା ଆରମ୍ଭ ବେଳେ ଯେତିକି ଲୋକ ଯାଉଥିଲେ ଏବେ ଏସବୁ ସ୍ଥାନକୁ ୮.୭ ପ୍ରତିଶତ ଅଧିକ ସଂଖ୍ୟକ ଲୋକ ଯାତ୍ରା କରୁଛନ୍ତି।
ଉପଲବ୍ଧ ତଥ୍ୟ ଅନୁସାରେ ନିକଟରେ ଗୋଟିଏ ସପ୍ତାହରେ ଦେଶରେ ୪,୧୨,୦୦୦ ଯାନ ପଞ୍ଜୀକରଣ ହୋଇଛି। ୨୦୧୯ ମସିହାର ଏହି ସପ୍ତାହ ତୁଳନାରେ ଏହା ୫ ପ୍ରତିଶତ ଅଧିକ। କ୍ରମାଗତଭାବେ ଦୁଇ ସପ୍ତାହ ହେଲା ଗାଡ଼ି ପଞ୍ଜୀକରଣ ୪,୧୦,୦୦୦ରୁ ଅଧିକ ରହିଛି। ଅନ୍ୟପକ୍ଷରେ ଦେଶର ପ୍ରମୁଖ ସହରଗୁଡ଼ିକରେ ସକାଳ ୯ଟା ସମୟରେ ୨୦୧୯ ମସିହାରେ ଯେତିକି ଲୋକ ଏବଂ ଗାଡ଼ି ରାସ୍ତାରେ ଯା’ଆସ କରୁଥିଲେ ଦିଲ୍ଲୀରେ ବର୍ତ୍ତମାନ ତାହା ୨୪ ପ୍ରତିଶତ ଏବଂ ମୁମ୍ବାଇରେ ୩୯ ପ୍ରତିଶତ କମ୍ ରହିଛି।
୨୦୧୯ରେ ଦେଶରେ ଯେତିକି ବିଦ୍ୟୁତ୍ ଉତ୍ପାଦନ ହୋଇଥିଲା ତାହା ତୁଳନାରେ ୨୪.୪ ପ୍ରତିଶତ ବୃଦ୍ଧି ଘଟିଛି। ଗତ ସପ୍ତାହରେ ବିଦ୍ୟୁତ୍ ଉତ୍ପାଦନକାରୀମାନେ ୪୧୦୮ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିଛନ୍ତି। ୨୦୧୯ରେ ଏହା ୩୩୦୩ ନିୟୁତ ୟୁନିଟ ରହିଥିଲା। ତେବେ ଚଳିତବର୍ଷର ସାପ୍ତାହିକ ହିସାବରେ ବିଦ୍ୟୁତ୍ ଉତ୍ପାଦନ ୫ ପ୍ରତିଶତ କମିଛି। ଅର୍ଥନୀତିର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ବିଳମ୍ବରେ ପ୍ରକାଶ ପାଉଥିବାରୁ ବିଶେଷଜ୍ଞମାନେ ଏଠାରେ ପ୍ରଦାନ କରାଯାଇଥିବା ତଥ୍ୟ ଅର୍ଥନୀତିର ସ୍ଥିତି ଜାଣିବାରେ ଆଗୁଆ ସହାୟକ ହେଉଛି। ଅନ୍ୟପକ୍ଷରେ ରେଳବାଇର ମାଲ ପରିବହନ ଅଭିବୃଦ୍ଧି ହ୍ରାସ ଘଟିଛି। ଗତ ସପ୍ତାହରେ ମାଲ ପରିବହନରେ ୩.୩୪ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଏହା ପୂର୍ବ ସପ୍ତାହରେ ୮.୯୧ ପ୍ରତିଶତ ବୃଦ୍ଧି ହୋଇଥିଲା। ମାଲ ମାହାସୁଲ ଗତ ସପ୍ତାହରେ ୧୩.୩୮ ପ୍ରତିଶତ ବଢ଼ିଥିବାବେଳେ ଏହା ପୂର୍ବ ସପ୍ତାହରେ ୧୩.୪୩ ପ୍ରତିଶତ ବୃଦ୍ଧି ଘଟିଥିଲା।