ବିଶ୍ବରେ ଏକ ନମ୍ବର ହେବାକୁ କେତେ ସମୟ ଲାଗିବ: ୬୫୦, ୪୦୦ ନା ୨୪ ବର୍ଷ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆକଳନ ଅନୁସାରେ ୨୦୨୭ ସୁଦ୍ଧା ଜର୍ମାନି ଓ ଜାପାନ ଅର୍ଥନୀତିକୁ ଅତିକ୍ରମ କରି ଭାରତ ତୃତୀୟ ସ୍ଥାନରେ ପହଞ୍ଚିବ। ଆମେରିକା ଓ ଚୀନ୍‌କୁ କେବେ ଭାରତ ଅତିକ୍ରମ କରିବ? ଆଇଏମ୍‌ଏଫ୍ ଆକଳନ ଅନୁସାରେ ୨୦୨୭ ସୁଦ୍ଧା ଜାପାନ ଅର୍ଥନୀତି ୫.୨ ଲକ୍ଷ କୋଟି ଡଳାର ଓ ଜର୍ମାନି ଅର୍ଥନୀତି ୪.୯ ଲକ୍ଷ କୋଟି ଡଲାର ରହିବ। ସେହି ସମୟରେ ଭାରତୀୟ ଅର୍ଥନୀତି ୫.୪ ଲକ୍ଷ କୋଟି ଡଲାରରେ ପରିଣତ ହେବ। ଆମେରିକା ସେହି ସମୟରେ ଭାରତଠାରୁ ବହୁ ଆଗରେ ଅର୍ଥାତ ୩୦.୨୮ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବା ସହ ଚୀନ୍‌ ଅର୍ଥନୀତି ଆକାର ୨୬.୪୪ ଲକ୍ଷ କୋଟି ଡଲାର ହୋଇଯିବ। ତଥ୍ୟକୁ ଅନୁଶୀଳନ କଲେ ଜଣାପଡ଼ୁଛି ଯେ ଜାପାନ ଓ ଜର୍ମାନିକୁ ଭାରତ ଅତିକ୍ରମ କରିବାରେ ବିଶେଷ କିଛି ଅସୁବିଧା ନାହିଁ। କିନ୍ତୁ ଆମେରିକାକୁ ଟପିବା ଲାଗି ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ।

୨୦୧୪-୧୯ ମଧ୍ୟରେ ଭାରତର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୬.୮% ରହିଛି। ଏହି ହାରରେ ଯଦି ଭାରତ ଆଗକୁ ବଢ଼ିବ ଏବଂ ଆମେରିକା ଓ ଚୀନ୍‌ର ହାରାହାରି ଅଭିବୃଦ୍ଧି ଯଥାକ୍ରମେ ୪ ପ୍ରତିଶତ ଓ ୬.୪ ପ୍ରତିଶତ ରହିବ ତେବେ ବିଶ୍ବର ଏକ ନମ୍ବର ରାଷ୍ଟ୍ର ହେବା ଲାଗି ଭାରତକୁ ୪୦୦ ବର୍ଷ ଲାଗିଯିବ। ୨୦୨୧-୨୨ରେ ଭାରତ ୯.୨ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ଏହି ହାରରେ ଗଲେ ବିଶ୍ବର ଏକ ନମ୍ବର ହେବା ଲାଗି ଭାରତକୁ ପାଖାପାଖି ୬୫୦ ବର୍ଷ ସମୟ ଲାଗିବ। ୨୦୪୭ ସୁଦ୍ଧା ବିଶ୍ବର ଏକ ନମ୍ବର ମହାଶକ୍ତି ହେବା ଲାଗି ଭାରତକୁ ବାର୍ଷିକ ୧୪% ହାରରେ ଆଗକୁ ବଢ଼ିବାକୁ ପଡ଼ିବ। ଯଦି ଅତୀତ ଉପରେ ନଜର ପକାଇବା ଏହା କିଛି ବଡ଼ କଥା ନୁହେଁ। ୨୦୦୬-୧୧ ମଧ୍ୟରେ ଭାରତର ହାରାହାରି ବାର୍ଷିକ ଅଭିବୃଦ୍ଧି ୧୪%ରୁ ଅଧିକ ଥିଲା।

ସମ୍ବନ୍ଧିତ ଖବର