ତଥ୍ୟ ମାଗିଲା ସଂସଦୀୟ କମିଟି, କେତେ ଲୋକ ଚାକିରି ହରାଇଛନ୍ତି?

ନୂଆଦିଲ୍ଲୀ: ମହାମାରୀରେ କେତେ ଲୋକ ନିଜର ଜୀବିକା ହରାଇଛନ୍ତି ତାହାର ପ୍ରକୃତ ତଥ୍ୟ ଦେବାକୁ ଏକ ସଂସଦୀୟ କମିଟି ପକ୍ଷରୁ ଶ୍ରମ ମନ୍ତ୍ରଣାଳୟକୁ କୁହାଯାଇଛି। ନିଯୁକ୍ତି ହାନିର ବାସ୍ତବ ଚିତ୍ର ହାସଲ କରିବା ଲାଗି ଦେଶର ବିଭିନ୍ନ ଲୋକପ୍ରିୟ ଓ ବିଶ୍ବାସଯୋଗ୍ୟ ଏଜେନ୍ସିର ତଥ୍ୟ ଓ ଅଧ୍ୟୟନକୁ ସଂଗ୍ରହ କରି ତାହାକୁ ବ୍ୟବହାର କରିବାକୁ କମିଟି ପକ୍ଷରୁ କୁହାଯାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଂଗ୍ରହ କରୁଥିବା ତଥ୍ୟକୁ ମଧ୍ୟ ବ୍ୟବହାର କରିବା ଲାଗି ମନ୍ତ୍ରଣାଳୟ କମିଟି ପରାମର୍ଶ ଦେଇଛି।

କରୋନା ମହାମାରୀର ମୁକାବିଲା ଲାଗି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି କଠୋର କଟକଣା ଗ୍ରହଣ କରାଯିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହା ନିଯୁକ୍ତି କ୍ଷେତ୍ର ଉପରେ ମଧ୍ୟ ବଡ଼ ଧରଣର ପ୍ରଭାବ ପକାଇଛି। ମହାମାରୀ ଯୋଗୁଁ କେତେ ଲୋକ ଚାକିରି ହରାଇଛନ୍ତି ତାହାର ପ୍ରକୃତ ତଥ୍ୟ କିନ୍ତୁ ସରକାରଙ୍କ ପାଖରେ ନାହିଁ। ଏହି ତଥ୍ୟ ଜାରି କରିବା ଲାଗି ‌ବିଭିନ୍ନ ଲୋକପ୍ରିୟ ଓ ବିଶ୍ବାସଯୋଗ୍ୟ ଏଜେନ୍ସିଗୁଡ଼ିକ ଯେଉଁ ତଥ୍ୟ ସଂଗ୍ରହ କରିଛନ୍ତି ତାହାକୁ ବ୍ୟବହାର କରିବା ଲାଗି କମିଟି ସରକାରଙ୍କୁ କହିଛି। ନିଯୁକ୍ତି ସ୍ଥିତି ବର୍ଣ୍ଣନା କରିବା ଲାଗି ସରକାର ଇପିଏଫ୍‌ଓରେ ନୂତନ ଭାବେ ଯୋଡ଼ି ହେଉଥିବା ସଦସ୍ୟମାନଙ୍କ ତଥ୍ୟ ପ୍ରତି ମାସରେ ଜାରି କରାଯାଉଛି। ୨୦୧୯-୨୦ରେ ଇପିଏଫ୍‌ଓରେ ୭୮.୫୮ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଥିଲେ। ୨୦୨୦-୨୧ ଆର୍ଥିକ ବର୍ଷ ସାରା ମହାମାରୀର ପ୍ରଭାବ ଲାଗି ରହିବା ସତ୍ତ୍ବେ ଇପିଏଫ୍‌ଓରେ ୭୭.୦୮ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଥିଲେ। ଦୁଇ ଆର୍ଥିକ ବର୍ଷର ତଥ୍ୟ ପାଖାପାଖି ସମାନ ରହୁଥିବାରୁ ନିଯୁକ୍ତି କ୍ଷେତ୍ରକୁ ମହାମାରୀ କେତେ ଗମ୍ଭୀର ଭାବେ ପ୍ରଭାବିତ କରିଛି ତାହା ଜଣାପଡ଼ୁନାହିଁ। ୨୦୨୦ର ଏପ୍ରିଲ୍ ଓ ମେ’ ମାସକୁ ବାଦ ଦେଲେ ଅନ୍ୟ ସବୁ ମାସରେ ଇପିଏଫ୍‌ଓର ନୂଆ ସଦସ୍ୟଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

କିଛି ଦିନ ପୂର୍ବେ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ଜାରି କରାଯାଇଥିବା ନିଯୁକ୍ତି ସମ୍ପର୍କିତ ତଥ୍ୟ ଉପରେ ସଂସଦୀୟ କମିଟି ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୯ରୁ ୨୦୨୦ ଭିତରେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫୦ ପ୍ରତିଶତ ଶ୍ରମିକ ଅଣସଂଗଠିତ କ୍ଷେତ୍ରକୁ ଚାଲିଯାଇଥିବା ବିଶ୍ବବିଦ୍ୟାଳୟ ଏହାର ରିପୋର୍ଟରେ ଜଣାଇଥିଲା। ପ୍ରାୟ ୩୦କ୍ଷ ସ୍ବାବଲମ୍ବୀ, ୧୦ ପ୍ରତିଶତ କାଜୁଆଲ ଶ୍ରମିକ, ୯ ପ୍ରତିଶତ ବେତନଭୋଗୀ ଅଣ ସଂଗଠିତ କ୍ଷେତ୍ରକୁ ଚାଲିଆସିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର