ଏଟିଏମ୍‌ରୁ ଦିନକୁ କେତେ ଟଙ୍କା ଉଠାଇ ହେବ

ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଡେବିଟ୍‌ କାର୍ଡ ପ୍ରଦାନ କରାଯାଇଥାଏ। ବ୍ୟାଙ୍କ ଜମାରାଶି ଏବଂ ଅନ୍ୟାନ୍ୟ ମାନଦଣ୍ଡ ଅନୁସାରେ ଏହି କାର୍ଡ ଦିଆଯାଇଥାଏ। ଫଳରେ କାର୍ଡ ଅନୁସାରେ ବ୍ୟାଙ୍କ ଗ୍ରାହକଙ୍କୁ ଟଙ୍କା ଉଠାଇବାକୁ ଅନୁମତି ପ୍ରଦାନ କରିଥାଏ। ଏଠାରେ କେଉଁ ବ୍ୟାଙ୍କରୁ ଗ୍ରାହକମାନେ ଦିନକୁ ସେମାନଙ୍କ ଡେବିଟ୍‌ କାର୍ଡ ମାଧ୍ୟମରେ ଏଟିଏମ୍‌ରୁ କେତେ ଟଙ୍କା ଉଠାଇ ପାରୁଛନ୍ତି ବା ଉଠାଇବା ସୁବିଧା ରହିଛି ତାହାର ସୂଚନା ପ୍ରଦାନ କରାଯାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ
ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ୭ ପ୍ରକାରର ଭିନ୍ନ ଭିନ୍ନ କାର୍ଡ ପ୍ରଦାନ କରିଥାଏ। ଏହି ଅନୁସାରେ ଗ୍ରାହକମାନେ ଦିନକୁ ୨୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଏଟିଏମ୍‌ରୁ ଉଠାଇବା ଅନୁମତି ପାଇଥାନ୍ତି। ଏସ୍‌ବିଆଇ କ୍ଲାସିକ୍ ଆଣ୍ଡ୍ ମାଏଷ୍ଟ୍ରୋ ଡେବିଟ୍ କାର୍ଡଧାରୀମାନେ ଦିନକୁ ୨୦ ହଜାର ଟଙ୍କା ଉଠାଇ ପାରୁଥିବାବେଳେ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଡେବିଟ୍‌କାର୍ଡଧାରୀମାନେ ୪୦ ହଜାର ଟଙ୍କା, ଗୋଲ୍ଡ ଇଣ୍ଟରନ୍ୟାସନାଲ ଡେବିଟ୍‌କାର୍ଡଧାରୀମାନେ ୫୦ ହଜାର ଟଙ୍କା, ପ୍ଲାଟିନମ୍ ଇଣ୍ଟରନ୍ୟାସନାଲ ଡେବିଟକାର୍ଡ ଧାରୀମାନେ ୧ ଲକ୍ଷ ଟଙ୍କା ଉଠାଇ ପାରୁଛନ୍ତି। ସେହିଭଳି ଅନ୍ୟ କାର୍ଡଗୁଡ଼ିକ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଟଙ୍କା ଉଠାଣ ସୀମା ରହିଛି।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ
ସେଣ୍ଟ୍ରାଲ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର କାର୍ଡ ପ୍ରଦାନ କରିଥାଏ। ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସେଣ୍ଟ୍ରାଲ ବ୍ୟାଙ୍କର ରୁପେ ବା ନନ୍‌ ପର୍ସନାଲାଇଜ୍‌ ଡେବିଟ୍‌ କାର୍ଡରେ ଜଣେ ବ୍ୟକ୍ତି ଦିନକୁ ୪୦ ହଜାର ଟଙ୍କା ଉଠାଇ ପାରିବା ସୁବିଧା ରହିଥିବାବେଳେ ପର୍ସନାଲାଇଜ୍‌ ଡେବିଟ୍‌ କାର୍ଡ (ନାମ ଲେଖାଥିବା)ର ଗ୍ରାହକମାନେ ଦିନକୁ ଏଟିଏମ୍‌ରୁ ୧ ଲକ୍ଷ ଟଙ୍କା ଉଠାଇବା ନିୟମ ରହିଛି।
ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ
ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଡେବିଟ୍‌ କାର୍ଡ ପ୍ରଦାନ କରାଯାଇଥାଏ। ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ନର୍ମାଲ ବା ସ୍ବାଭାବିକ କାର୍ଡରେ ଜଣେ ବ୍ୟକ୍ତି ଦିନକୁ ୨୦ ହଜାର ଟଙ୍କା ଏବଂ ପ୍ଲାଟିନମ୍ କାର୍ଡରେ ୫୦ ହଜାର ଟଙ୍କା ଉଠାଇବା ସୁବିଧା ରହିଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନ୍‌ବିର ଗ୍ରାହକମାନେ ପ୍ଲାଟିନମ୍ ଓ ରୁପେ ଡେବିଟ୍ କାର୍ଡ ଜାରିଆରେ ଏଟିଏମରୁ ଦିନକୁ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇ ପାରିବେ। ତେ‌ବେ ଯଦି ଗ୍ରାହକଙ୍କ ନିକଟରେ କ୍ଲାସିକ ରୁପେ କାର୍ଡ କିମ୍ବା ମାଷ୍ଟର ଡେବିଟ୍ କାର୍ଡ ରହିଥାଏ ତାହେଲେ ସଂପୃକ୍ତ ଗ୍ରାହକ ଏଟିଏମ୍‌ରୁ ଦିନକୁ ଅଧିକ ୨୫ ହଜାର ଟଙ୍କା ଉଠାଇ ପାରିବେ।
ଆଇସିଆଇସିଆଇ ବ୍ୟାଙ୍କ
ଆଇସିଆଇସିଆଇ ବ୍ୟାଙ୍କର ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବ୍ୟାଙ୍କର ପ୍ଲାଟିନମ୍ ଚିପ୍ ଡେବିଟ୍‌ କାର୍ଡ ଜରିଆରେ ଜଣେ ବ୍ୟକ୍ତି ଏଟିଏମ୍‌ରୁ ଦିନକୁ ୧ ଲକ୍ଷ ଟଙ୍କା ଉଠାଇ ପାରିବେ। ଏଥିସହିତ ଭିଜା ସିଗ୍‌ନେଚର ଡେବିଟ୍‌ କାର୍ଡଧାରୀମାନେ ଦିନକୁ ଦେଢ଼ ଲକ୍ଷ ଟଙ୍କା ଉଠାଇବା ସୁବିଧା ରହିଛି।
ଏଚ୍‌ଡିଏଫ୍‌ସି ବ୍ୟାଙ୍କ
ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ଲାଟିନମ୍ ଚିପ୍‌ ଡେବିଟ୍ କାର୍ଡଧାରୀମାନେ ଏଟିଏମ୍‌ରୁ ଦିନକୁ ୧ ଲକ୍ଷ ଟଙ୍କା ଉଠାଇ ପାରିବେ। ବ୍ୟାଙ୍କର ୱେବସାଇଟ୍‌ରେ ଏହି ସୂଚନା ରହିଛି।
ଏକ୍ସିସ୍‌ ବ୍ୟାଙ୍କ
ଏକ୍ସିସ ବ୍ୟାଙ୍କର ଗ୍ରାହକମାନେ ରୁପେ ପ୍ଲାଟିନମ କାର୍ଡ ମାଧ୍ୟମରେ ଏଟିଏମରୁ ଦିନକୁ ୪୦ ହଜାର ଟଙ୍କା ଉଠାଇ‌ ହେବ। କିନ୍ତୁ ଯଦି ଗ୍ରାହକଙ୍କ ନିକଟରେ ଭିଜା ଟାଇଟାନିୟମ ପ୍ରାଇମ୍ ପ୍ଲସ କିମ୍ବା ସିକ୍ୟୁୟର ପ୍ଲସ ଡେବିଟ୍ କାର୍ଡ ରହିଛି ତାହେଲେ ସଂପୃ୍କ୍ତ ଗ୍ରାହକ ଏଟିଏମରୁ ଦିନକୁ ୫୦ ହଜାର ଟଙ୍କା ଉଠାଇ ପାରିବେ।

ସମ୍ବନ୍ଧିତ ଖବର