ନୂଆଦିଲ୍ଲୀ: ବ୍ୟାଙ୍କରେ ଗ୍ରାହକମାନେ ରଖିଥିବା ଜମାର ସୁରକ୍ଷା ଲାଗି ତାହା ଉପରେ ବୀମା ସୁରକ୍ଷା ରହିଛି। ବ୍ୟାଙ୍କ ବୁଡ଼ିଗଲେ ଗ୍ରାହକମାନଙ୍କୁ ସେହି ବୀମା ରାଶି ମିଳିଥାଏ। ବର୍ତ୍ତମାନ ବୀମା ରାଶି ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି। ଅର୍ଥାତ ବ୍ୟାଙ୍କରେ ଗ୍ରାହକ ଯେତେ ଟଙ୍କା ରଖିଥିଲେ ମଧ୍ୟ ଯଦି ତାହା ବୁଡ଼ିଯାଏ ତେବେ ଗ୍ରାହକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ବୀମା ରାଶି ଆକାରରେ ଫେରସ୍ତ ମିଳିବ। ତେବେ ସବୁ ଗ୍ରାହକଙ୍କ ଜମାରାଶିର ବୀମା ହୋଇନଥିବା ଜଣାପଡ଼ିଛି। ଦେଶରେ ମାତ୍ର ୫୦.୯% ଜମା ରାଶିର ବୀମା ସୁରକ୍ଷା ରହିଛି। ଅନ୍ୟ ୪୯.୧% ଜମାରାଶିକୁ ବୀମାଭୁକ୍ତ କରାଯାଇନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ବୀମା ଦ୍ବାରା ସୁରକ୍ଷିତ ହୋଇଥିବା ଖାତା ସଂଖ୍ୟା ଥିଲା ୨୪୭.୮ କୋଟି। ଏହା ମୋଟ ୨୫୨.୬ କୋଟି ଖାତାର ୯୮.୧ ପ୍ରତିଶତ ସହ ସମାନ। ଏହାର ଅର୍ଥ ହେଉଛି ୪.୮ କୋଟି ଖାତା ପାଇଁ କୌଣସି ବୀମା ସୁରକ୍ଷା ନାହିଁ। ବ୍ୟାଙ୍କ ଖାତାଗୁଡ଼ିକର ବୀମା ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ନାମକ ସଂସ୍ଥା କରିଥାଏ। ଦେଶରେ ଥିବା ମୋଟ ୧,୪୯,୬୭,୭୭୬ କୋଟି ଟଙ୍କା ମୂଲ୍ୟର ଜମା ରାଶି ମଧ୍ୟରୁ ମାତ୍ର ୭୬,୨୧,୨୫୮ କୋଟି ଟଙ୍କା ବୀମାଭୁକ୍ତ ହୋଇଛି। ଅର୍ଥାତ ୫୦.୯% ଜମା ରାଶି ଲାଗି ବୀମା ସୁରକ୍ଷା ଥିବା ବେଳେ ବଳକା ୪୯.୧% ବୀମା ରାଶି ଲାଗି କୌଣସି ବୀମା ସୁରକ୍ଷା ନାହିଁ।
ପୂର୍ବରୁ ବ୍ୟାଙ୍କ ଖାତା ପିଛା ବୀମା ରାଶି ପରିମାଣ ୧ ଲକ୍ଷ ଟଙ୍କା ଥିଲା। ୨୦୨୦ ଫେବ୍ରୁଆରି ୪ରେ ତାହାକୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସବୁ ବ୍ୟାଙ୍କ ଡିଆଇସିଜିସି ଜରିଆରେ ନିଜ ଗ୍ରାହକଙ୍କ ଜମା ରାଶିର ବୀମା କରିପାରିବେ। ଏଥିପାଇଁ ସେମାନଙ୍କୁ ପ୍ରିମିୟମ୍ ଗଣିବାକୁ ପଡ଼ିବ। ବ୍ୟାଙ୍କଗୁଡ଼ିକ ସବୁ ଗ୍ରାହକଙ୍କ ଜମା ରାଶିର ବୀମା କରିନଥିବା ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଏହାର କାରଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ କୁହାଯାଇଛି ଯେ ହୁଏତ ବ୍ୟାଙ୍କଗୁଡ଼ିକ ପ୍ରିମିୟମ୍ ଦେଉନଥିବାରୁ ସବୁ ଖାତାକୁ ବୀମା ସୁରକ୍ଷା ଦେଇନାହାନ୍ତି। ଅନ୍ୟ ଏକ କାରଣ ହେଉଛି ବିପୁଳ ପରିମାଣର ଜମା ରଖିଥିବା ଗ୍ରାହକଙ୍କୁ ଯେହେତୁ ଅତିବେଶିରେ ୫ ଲକ୍ଷ ଟଙ୍କାର ବୀମା ରାଶି ଦିଆଯିବ ତେଣୁ ତାଙ୍କର ସବୁ ଜମାରାଶିକୁ ବୀମାଭୁକ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବ୍ୟାଙ୍କ ଭାବୁଥାଇପାରନ୍ତି। ଡିଆଇସିଜିସିରେ ୨୦୫୮ଟି ବ୍ୟାଙ୍କ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୯ଟି ବାଣିଜ୍ୟିକ ବ୍ୟାଙ୍କ । ସେଥିରେ ୪୩ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୨ଟି ସ୍ଥାନୀୟ ଅଂଚଳର ବ୍ୟାଙ୍କ, ୬ଟି ପେମେଂଟ୍ ବ୍ୟାଙ୍କ ଓ ୧୦ଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ରହିଛି। ୧୯୧୯ଟି ସମବାୟ ବ୍ୟାଙ୍କ ମଧ୍ୟରେ ଡିଆଇସିଜିସିରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।