ନୂଆଦିଲ୍ଲୀ: ଆଇଆଇଟି-ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେ ସଚିନ୍ ଓ ବିନ୍ନି ବଂଶଲ ଭଲ ସାଙ୍ଗ ଥିଲେ। ପାଠପଢ଼ା ଶେଷ ହେବା ପରେ ସେମାନେ ଆମାଜନ୍ରେ ଇଣ୍ଟର୍ଣ୍ଣ ଓ ପରେ କର୍ମଚାରୀ ଭାବେ ଯୋଗ ଦେଇଥିଲେ। କିଛି ଦିନ କାମ କରିବା ପରେ ସେମାନେ ଚାକିରି ଛାଡ଼ି ଦେଇଥିଲେ। ୧୧ ବର୍ଷ ପୂର୍ବେ ୨୦୦୭ ମସିହାରେ ବେଙ୍ଗାଲୁରୁରେ ସେମାନେ ଫ୍ଲିପ୍କାର୍ଟକୁ ପ୍ରତିଷ୍ଠା କରିଥିଲେ। ଉଭୟ ସଚିନ୍ ଓ ବିନ୍ନିଙ୍କ ଘର ହେଉଛି ଚଣ୍ଡିଗଡ଼ରେ। ସେମାନଙ୍କ ସାଙ୍ଗିଆ ସମାନ ହୋଇଥିଲେ ମଧ୍ୟ ସେମାନେ ସମ୍ପର୍କୀୟ ନୁହନ୍ତି। କେବଳ ସାଙ୍ଗ। ଉଭୟ ସାଙ୍ଗ ଗୋଟିଏ ସ୍କୁଲ୍ରେ ପାଠ ପଢ଼ିଥିଲେ। ଏହା ପରେ ଏକସଙ୍ଗେ ଆଇଆଇଟି-ଦିଲ୍ଲୀରେ ନାମ ଲେଖାଇଥିଲେ। ପ୍ରଥମେ ଅନଲାଇନ୍ ବୁକ୍ ଷ୍ଟୋର୍ ଭାବେ ଫ୍ଲିପ୍କାର୍ଟ କାମ ଆରମ୍ଭ କରିଥିଲା। ଏହା ପରେ ଅନ୍ୟ ସାମଗ୍ରୀକୁ ସାମିଲ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବେଙ୍ଗାଲୁରୁର ଏକ ୨ବିଏଚ୍କେ ଫ୍ଲାଟ୍ରୁ ଫ୍ଲିପ୍କାର୍ଟର ଯାତ୍ରା ଆରମ୍ଭ ହୋଇଥିଲା। ୨୦୦୯ରେ କଂପାନିି ଦିଲ୍ଲୀରେ ଓ ୨୦୦୯ରେ ମୁମ୍ବାଇରେ ଏହାର କାର୍ଯ୍ୟାଳୟ ଖୋଲିଥିଲା ସେହି ଫ୍ଲିପ୍କାର୍ଟର ଏବେ ବେଙ୍ଗାଲୁରୁରେ ୮.୩ ଲକ୍ଷ ବର୍ଗଫୁଟର ବିଶାଳକାଳୟ କାର୍ଯ୍ୟାଳୟ ରହିଛି। କୌଣସି ଛୋଟ ସହରଠାରୁ ଏହା କମ୍ ନୁହେଁ। ସବୁ ପ୍ରକାର ସୁବିଧା ସୁଯୋଗ ସେହି କାର୍ଯ୍ୟାଳୟ ଭିତରେ ରହିଛି। ନିଜ ଆଡ଼କୁ ବିଦେଶୀ ନିବେଶକ ଆକୃଷ୍ଟ କରିବା ପାଇଁ ୨୦୧୧ରେ ଫ୍ଲିପ୍କାର୍ଟ ସିଙ୍ଗାପୁରରେ ପହଞ୍ଚିଥିଲା। ଇତି ମଧ୍ୟରେ ଅନ୍ୟ ଛୋଟ ଛୋଟ କଂପାନି ଯଥା ମିନ୍ତ୍ରା, ଇବେ, ଫୋନ୍ପେ, ଚକ୍ପକ୍ ଆଦିକୁ କିଣି ଫ୍ଲିପ୍କାର୍ଟ ନିଜର କାୟା ବିସ୍ତାର କରିଚାଲିଲା। ଫ୍ଲିପ୍କାର୍ଟ ହିଁ ସେହି କଂପାନି ଯାହା ଲୋକମାନଙ୍କୁ କ୍ୟାସ୍ ଅନ୍ ଡେଲିଭରି (ସିଓଡି) ବିକଳ୍ପ ପ୍ରଦାନ କରିଥିଲା। ତାହା ଏତେ ସଫଳ ହୋଇଥିଲା ଯେ ଲୋକମାନଙ୍କ ଘରେ ଘରେ ଫ୍ଲିପ୍କାର୍ଟ ପହଞ୍ଚିଯାଇଥିଲା।
ଭାରତୀୟ ଲୋକମାନଙ୍କ ସପିଙ୍ଗ୍ ଅଭ୍ୟାସକୁ ଫ୍ଲିପ୍କାର୍ଟ ବଦଳାଇ ଦେଇଥିଲା। ଫ୍ଲିପ୍କାର୍ଟର ସଫଳତାରେ ଉତ୍ସାହିତ ଆମାଜନ୍ ଭଳି କଂପାନି ଭାରତ ଆସିବାକୁ ବାଧ୍ୟ ହୋଇଥିଲା ଓ ବିପୁଳ ପରିମାଣର ପୁଞ୍ଜିନିବେଶ କରି ଫ୍ଲିପ୍କାର୍ଟର ପ୍ରମୁଖ ପ୍ରତିଦ୍ୱନ୍ଦୀ ହୋଇପାରିଥିଲା। ୨୦୧୪ ପୂର୍ବରୁ ଭାରତରେ ପ୍ରଥମେ ଅଫ୍ଲାଇନ୍ ଷ୍ଟୋର୍ରେ ନୂଆ ଉତ୍ପାଦକୁ ଉନ୍ମୋଚନ ଓ ବିକ୍ରି କରାଯାଉଥିଲା। ଏହା ପରେ ତାହା ଅନ୍ଲାଇନ୍ରେ ଉପଲବ୍ଧ ହେଉଥିଲା। ସେହି ଧାରାକୁ ଫ୍ଲିପ୍କାର୍ଟ ବଦଳାଇ ଦେଇଥିଲା। ବିଶେଷ କରି ସ୍ମାର୍ଟଫୋନ୍ଗୁଡ଼ିକୁ ପ୍ରଥମେ ଅନଲାଇନ୍ରେ ଉନ୍ମୋଚନ କରି ବିକ୍ରି କରାଗଲା। ଫୋନ୍ କଂପାନିଗୁଡ଼ିକ ଫ୍ଲିପ୍କାର୍ଟ ଜରିଆରେ ବିପୁଳ ପରିମାଣର ଫୋନ୍ ବିକ୍ରି କରିଥିଲେ। ଭାରତରେ ଇଣ୍ଟରନେଟ୍ର ବେଗକୁ ବିଚାରକୁ ନେଇ ଫ୍ଲିପ୍କାର୍ଟ ନିଜର ଏକ ଲାଇଟ୍ ଭର୍ସନ୍ ଆରମ୍ଭ କରିଥିଲା। ଏହା ପରେ ମୋବାଇଲ୍ ଆପ୍ ଜରିଆରେ ଲୋକମାନଙ୍କୁ ସପିଙ୍ଗ୍ କରିବାର ସୁଯୋଗ ଦେଇଥିଲା। ଦାମୀ ଉତ୍ପାଦଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ଇଏମ୍ଆଇ ସୁବିଧା ମଧ୍ୟ ଦେଇଥିଲା। ଏହା ଗ୍ରାହକଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା। ପୁରୁଣା ଉତ୍ପାଦକୁ ଏକ୍ସଚେଞ୍ଜ କରିବାର ବିକଳ୍ପ ମଧ୍ୟ ଫ୍ଲିପ୍କାର୍ଟ ନିଜ ଗ୍ରାହକଙ୍କୁ ପ୍ରଦାନ କରିଥିଲା।