ନୂଆଦିଲ୍ଲୀ: ରାତି ପାହିଲେ ଧନତେରାସ ଥିବା ବେଳେ ଦୀପାବଳିକୁ ଆଉ କିଛିଦିନ ବାକି ଅଛି। ଏଭଳି ସମୟରେ ଆପଣ ସୁନା କିଣିବାକୁ ଇଚ୍ଛା ଥିଲେ ବି ଟଙ୍କା ସାଜୁଛି ବାଧକ। ତେବେ ଏଭଳି ଅସୁବିଧା ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଆପଣ ଘରେ ବସି ୧ଟଙ୍କାରେ ସୁନା କିଣିପାରିବେ।

Advertisment

ଧନତେରାସରେ ସୁନା ଓ ରୂପା କିଣିବାକୁ ଶୁଭ ବୋଲି କୁହାଯାଉଥାଏ। ପ୍ରତିବର୍ଷ ଧନତେରାସରେ ଅନ୍ୟଦିନ ଅପେକ୍ଷା ସୁନା ଓ ରୁପା ବହୁମାତ୍ରାରେ ବିକ୍ରି ହୋଇଥ‌ାଏ ବୋଲି ଅଳଙ୍କାର ବ୍ୟବସାୟୀମାନେ କହିଥାଆନ୍ତି। ଚଳିତଥର ବି ଏହି ବ୍ୟବସାୟ ଭଲ ରହିବ ବୋଲି ଅଳଙ୍କାର ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।

ଆସନ୍ତାକାଲି (ନଭେମ୍ବର ୧୦ ତାରିଖରେ) ଧନତେରାସ ପଡ଼ୁଛି। ଏମିତିରେ ଆପଣ ଘରେ ବସି ୧ଟଙ୍କାରେ ଶୁଦ୍ଧସୁନା କିଣି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ୧ଟଙ୍କାରେ ସୁନା ଗ୍ରାହକ କେଉଁଠାରୁ ଆଉ କେମିତି କିଣି ପାରିବେ।

ଯଦି ଆପଣ ପେଟିଏମ୍ ବ୍ୟବହାର କରୁଛନ୍ତି ତେବେ ଖୁବ ସହଜରେ ୧ଟଙ୍କାରେ ସୁନା କିଣି ପାରିବେ। ପେଟିଏମ୍ ଖୋଲିବା ପ‌ରେ ସର୍ଚରେ ଗୋଲ୍‌ଡ ଲେଖନ୍ତୁ। ଏହାପରେ ଆପଣଙ୍କ ସାମ୍ନାରେ ପେଟିଏମ୍ ଗୋଲଡର ବିକଳ୍ପ ଆସିବ। ଯାହାଉପରେ କ୍ଲିକ କରିବା ପରେ ଆପଣ ଯେତେ ଇଚ୍ଛା ସେତେ ସୁନା କ୍ରୟ କରି ପାରିବେ।

ଯଦି ଏଥିରେ ଆପଣ ଅଧିକ ଟଙ୍କା ନିବେଶ କରିବାକୁ ଚାହୁଁ ନାହାନ୍ତି ତେବେ ଏଠାରେ ୧ଟଙ୍କାରେ ବି ସୁନା ମିଳୁଛି। ପେମେଣ୍ଟ ସମୟରେ ଆପଣଙ୍କୁ ସୁନାର ମୂଲ୍ୟ ଓ ଏହାର ୩ ପ୍ରତିଶତ ପୈଠ କରିବାକୁ ହେବ।

ଉଦାହରଣ ସ୍ବରୂପ, ଯଦି ପେଟିଏମ ଜରିଆରେ ଗ୍ରାହକ ୧ଟଙ୍କାରେ ସୁନା କିଣୁଛନ୍ତି ତେବେ ତାଙ୍କୁ, ୦.୦୦୦୧ଗ୍ରାମର ସୁନା ମିଳିବ। ଏହା ଉପରେ ୩ ପ୍ରତିଶତ ଜିଏସଟି ଯୋଡ଼ିବା ପରେ ୧.୦୪ଟଙ୍କା ଗ୍ର‌ାହକଙ୍କୁ ପୈଠ କରିବାକୁ ହେବ। ତେବେ ଏହି ସୁନାକୁ ଆପଣ ଅନଲାଇନ ଜରିଆରେ ବିକ୍ରି କରି ବି ପାରିବେ।