ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ଶରୀରରେ ରୋଗ ବୃଦ୍ଧି ପାଉଥିବା ବେଳେ ବଜାରରେ ବିଭିନ୍ନ କମ୍ପାନିର ଔଷଧ ବିକ୍ରି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।ଥରେ କଳ୍ପନା କରି ଦେଖନ୍ତୁ ତ ଆମେ ଅସୁସ୍ଥ ହେବା ପାଇଁ ଯେଉଁ ଔଷଧ ଉପରେ ବିଶ୍ୱାସ କରୁଛେ ଯଦି ସେହି ଔଷଧ ନକଲି ହୁଏ ତେବେ କ’ଣ ହେବ?
ତେଣୁ କିଣୁଥିବା ଔଷଧ ଅସଲି କି ନକଲି ତାହା ଜାଣିବା ଅତ୍ୟନ୍ତ ଜରୁରୀ। ନିମ୍ନରେ କିଛି ସରଳ ସୂଚନା ରହିଛି। ଯାହାକୁ ଆଧାର କରି ଗ୍ରାହକ ନକଲି ଔଷଧକୁ ସହଜରେ ଚିହ୍ନଟ କରିବା ପାରିବେ।
ଗ୍ରାହକ ପ୍ରଥମେ ଔଷଧର ପ୍ୟାକେଜିଂ ଏବଂ ଲେବଲିଂକୁ ଭଲଭାବରେ ଯାଞ୍ଚ କରନ୍ତୁ। ନକଲି ଔଷଧର ପ୍ୟାକେଜିଂରେ ପ୍ରାୟତଃ ବନାନ ତ୍ରୁଟି ସହିତ ଫଣ୍ଟ ଓ ରଙ୍ଗରେ ଭିନ୍ନତା ରହିଥା୍ଏ। ଅସଲି ଔଷଧରେ ସବୁକିଛି ସ୍ପଷ୍ଟ ଏବଂ ଠିକ୍ ଭାବରେ ଲେଖାଯାଇଥାଏ।
ଅନେକ ଔଷଧ କମ୍ପାନି ସେମାନଙ୍କ ଔଷଧରେ ହୋଲୋଗ୍ରାମ କିମ୍ବା ସ୍ୱତନ୍ତ୍ର ସୁରକ୍ଷା ସିଲ୍ ଲଗାଇଥାଆନ୍ତି। ଯାହାକୁ ଗ୍ରାହକମାନେ ଆଲୋକ ପାଖରେ ରଖି ଯାଞ୍ଚ କରି ପାରିବେ। ଯଦି ଏହା କ୍ଷତିଗ୍ରସ୍ତ, କୁଞ୍ଚିତ କିମ୍ବା ନକଲି ଦେଖାଯାଏ, ତେବେ ସତର୍କ ହୋଇଯାଆନ୍ତୁ।
ଅସଲି ଔଷଧରେ ଏମଆରପି ଏବଂ ନିର୍ମାଣକାରୀ କମ୍ପାନିର ନାମ ଏବଂ ଠିକଣା ପ୍ୟାକେଜିଂରେ ସ୍ପଷ୍ଟ ଭାବରେ ଲେଖାଯାଇଥାଏ। ନକଲି ଔଷଧ ଉପରେ ଏହି ସୂଚନା ଅସମ୍ପୂର୍ଣ୍ଣ ସହିତ ଅନେକ ସମୟରେ ଭୁଲ ରହିଥାଏ।
କିଛି ଔଷଧର ଏକ ସ୍ୱତନ୍ତ୍ର ଗନ୍ଧ ଥାଏ। ଯଦି ଔଷଧରୁ ଅଦ୍ଭୁତ କିମ୍ବା ତୀବ୍ର ଗନ୍ଧ ନିର୍ଗତ ହେଉଛି ତେବେ ଏହା ଅସ୍ୱାଭାବିକ। ତେଣୁ ଏଥିପ୍ରତି ସତର୍କ ହୋଇଯାଆନ୍ତୁ। ଯଦି ଆପଣଙ୍କୁ ପାଣିରେ ଏକ ଟାବଲେଟ୍ କିମ୍ବା କ୍ୟାପସୁଲ୍ ଦ୍ରବୀଭୂତ କରିବାକୁ ପଡିବ, ତେବେ ଯାଞ୍ଚ କରନ୍ତୁ ଯେ ଏହା ଠିକ୍ ଭାବରେ ଦ୍ରବୀଭୂତ ହେଉଛି କି ନାହିଁ। ନକଲି ଔଷଧ ପାଣିରେ ପ୍ରାୟତଃ ଠିକ୍ ଭାବରେ ଦ୍ରବୀଭୂତ ହୁଏ ନାହିଁ।
ଯଦି ଆପଣ ବଜାର ମୂଲ୍ୟ ଅପେକ୍ଷା ବହୁତ ଶସ୍ତା ଔଷଧ ପାଆନ୍ତି, ତେବେ ସତର୍କ ରୁହନ୍ତୁ। ଗ୍ରାହକମାନଙ୍କୁ ପ୍ରଲୋଭିତ କରିବା ପାଇଁ ନକଲି ଔଷଧ ପ୍ରାୟତଃ କମ୍ ମୂଲ୍ୟରେ ବିକ୍ରି ହୋଇଥା୍ଏ। ମନେରଖନ୍ତୁ, ଶସ୍ତା ମୂଲ୍ୟକୁ ବଳି ଦେଇ ଆପଣଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାନ୍ତୁ ନାହିଁ।
ସର୍ବଦା ଏକ ପଞ୍ଜିକୃତ ଏବଂ ନିର୍ଭରଯୋଗ୍ୟ ମେଡିକାଲ୍ ଷ୍ଟୋରରୁ ଔଷଧ କିଣନ୍ତୁ। ରାସ୍ତା କଡ଼ରୁ କିମ୍ବା ଅଜଣା ସ୍ଥାନରୁ ଔଷଧ କିଣିବାର ଭୁଲ କରନ୍ତୁ ନାହିଁ। ଔଷଧ କିଣିବା ସମୟରେ ସର୍ବଦା ବିଲ୍ ସଂଗ୍ରହ କରନ୍ତୁ। ଯାହାକି ଆବଶ୍ୟକ ପଡ଼ିଲେ ଅଭିଯୋଗ ଦାଖଲ କରିବାରେ ସାହାଯ୍ୟ କରିବ।
କିଛି ଔଷଧ କମ୍ପାନି ଅନଲାଇନରେ ସେମାନଙ୍କର ଔଷଧ ଟ୍ରାକ୍ କରିବାର କ୍ଷମତା ପ୍ରଦାନ କରନ୍ତି। ଆପଣ ସେମାନଙ୍କ ୱେବସାଇଟରେ ପ୍ୟାକେଜିଂରେ ଦିଆଯାଇଥିବା କୋଡ୍ ପ୍ରବେଶ କରି ଔଷଧ ବିଷୟରେ ଯାଞ୍ଚ କରିପାରିବେ।