ଆର୍ଥିକ କାରବାରକୁ ସହଜ କରିବ ‘ସହମତି’ କେମିତି କାମ କରିବ?

୪ ବ୍ୟାଙ୍କ ଚଳାଇଛନ୍ତି ପରୀକ୍ଷା ନିରୀକ୍ଷା

ନୂଆଦିଲ୍ଲୀ, ୧୭/୭: ଆପଣ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଛନ୍ତି କି? ନୂଆ ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି କି? ବୀମା ପଲିସି କିଣୁଛନ୍ତି କି? ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ଯଦି ଏସବୁ କାମ କରୁଥାନ୍ତି ତା’ହେଲେ ଏଥିପାଇଁ ଯଥେଷ୍ଟ କାଗଜପତ୍ର କାମ ଆବଶ୍ୟକ ହେଉଥିବ। ଅନେକ କାଗଜପତ୍ର ବ୍ୟାଙ୍କ ଏବଂ ବୀମା ଭଳି ସଂସ୍ଥାକୁ ଦେବାକୁ ପଡ଼ୁଥିବ। ଏକାଧିକ ସ୍ଥାନରେ ଦସ୍ତଖତ ମଧ୍ୟ କରିବାକୁ ପଡ଼ୁଥିବ। କିନ୍ତୁ ଦେଶରେ ଏବେ ଏଭଳି ଏକ ସୁବିଧା ଆରମ୍ଭ ହେବାକୁ ଯାଉଛି ଯାହାଦ୍ବାରା ଲୋକମାନଙ୍କୁ ଋଣ ଆବେଦନ କରିବା ବେଳେ କିମ୍ବା ବୀମା ପଲିସି କିଣିବା ବେଳେ ଆଉ ଏକାଧିକ କାଗଜପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ କିମ୍ବା ସଂସ୍ଥାଗୁଡ଼ିକୁ ମଧ୍ୟ ଏସବୁ ଖୋଜିବାକୁ ପଡ଼ିବ ନାହିଁ। ‌ଦେଶରେ ଏକ ନୂଆ ବ୍ୟବସ୍ଥା ବିକାଶ ହେଉଛି ଯାହାର ନାମ ‘ସହମତି’ ରହିଛି।

ସହମତି ହେଉଛି ଆକାଉଣ୍ଟ ଏଗ୍ରିଗେଟର ନାମକ ଏକ ସେବା। ଏହାଦ୍ବାରା ଅନେକ ପ୍ରକାର ଆର୍ଥିକ ସେବା ପାଇଁ ଆଉ କାଗଜପତ୍ରର ଆବଶ୍ୟକତା ପଡ଼ିବ ନାହିଁ। ନନ୍ଦନ ନିଲେକାନୀଙ୍କ ସମର୍ଥନ ଓ ସହଯୋଗରେ ବିକଶିତ ହୋଇଥିବା ଏହି ଅଣଲାଭଦାୟକ ସଂସ୍ଥା ସହମତି ଆଗାମୀ ଦିନରେ ଆର୍ଥିକ ସେବା ପ୍ରଦାନକୁ କାଗଜବିହୀନ କରିବ ବୋଲି ଆଶା ରଖାଯାଇଛି। ଆକାଉଣ୍ଟ ଏଗ୍ରିଗେଟର ଭଳି କମ୍ପାନି ଗୁଡ଼ିକ ନିକଟରେ ଗ୍ରାହକଙ୍କ ସବୁ ପ୍ରକାରର ଆର୍ଥିକ ତଥ୍ୟ ରହିବ। ଆବଶ୍ୟକ ସମୟରେ ସେମାନେ ଗ୍ରାହକଙ୍କ ସମ୍ମତି ନେଇ ବ୍ୟାଙ୍କ, ବୀମା ଓ ଅନ୍ୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାକୁ ଯୋଗାଇ ଦେବେ। ପ୍ରଥମତଃ ସହମତିର କାମ ହେଲା ଆର୍ଥିକ ସୂଚନା ବ୍ୟବହାରକାରୀ (ଏଫଆଇୟୁ)ଙ୍କ ଠାରୁ ତଥ୍ୟ ଆଣିବା ଲାଗି ରାଜିନାମା କରିବା। ଦେଶରେ ୬ଟି ସ୍ବୀକୃତିପ୍ରାପ୍ତ ଆର୍ଥିକ ସୂଚନା ପ୍ରଦାନକାରୀ ଅଛନ୍ତି।

ସେଗୁଡ଼ିକ ହେଲେ ଏନଏସଇଏଲ ଆସେଟ୍ ଡାଟା ଲିମିଟେଡ, ସିଏଏମଏସ ଫିନସର୍ଭ ଫାଇନାନ୍ସିଆଲ ସର୍ଭି‌ସେସ ଲିମିଟେଡ, କୁକିଜାର୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ, ଫିନସେକ୍ ଏଏ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ୟୁଡଲି ଫିନସଫ୍ଟ ପ୍ରାଇଭେଟ ଲିମିଟେଡ ଏବଂ ଜିଓ ଇନଫ‌େର୍ମେସନ ସଲ୍ୟୁସନ୍ସ ଲିମିଟେଡ। ଆର୍ଥିକ ସୂଚନା ପ୍ରଦାନକାରୀକୁ ଏମାନଙ୍କ ମଧ୍ୟରୁ କୌଣିସି ଗୋଟିଏ ସଂସ୍ଥା ସହିତ ରାଜିନାମା କରିବାକୁ ହେବ। ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଆଦି ଏହି ବ୍ୟବସ୍ଥାରେ ସାମିଲ ହେବା ପାଇଁ ରାଜି ଥିବା ଜଣାଯାଇଛି।

କେମିତି କାମ କରିବ?
ଆକାଉଣ୍ଟ ଏଗ୍ରି‌ଗେଟର କିଭଳି କାମ କରିବ ତାହା ଏଠାରେ ଜାଣିବା। ଧରନ୍ତୁ ଆପଣ ଗୋଟିଏ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଛନ୍ତି। ତାହା ପରେ ସଂପୃକ୍ତ ବ୍ୟାଙ୍କ ଆପଣଙ୍କର ଆର୍ଥିକ ସୂଚନା ମାଗିବ। ଅର୍ଥାତ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ଦରମା, ପୂର୍ବରୁ କୌଣସି ଋଣ ନେଇଛନ୍ତି କି ନାହିଁ ଏବଂ ଆପଣଙ୍କ ଋଣ ପରିଶୋଧ ଇତିହାସ କିଭଳି ରହିଛି ଭଳି ତଥ୍ୟ ବ୍ୟାଙ୍କ ଆବଶ୍ୟକ କରିବ। ଏହାପରେ ଆପଣ ଯେଉଁ ଆକାଉଣ୍ଟ ‌ଏଗ୍ରିଗେଟର ସହିତ ତଥ୍ୟ ଦେବା ନେଇ ସମ୍ମତି ଜଣାଇଛନ୍ତି ସେହି ସଂସ୍ଥାଠାରୁ ଆପଣଙ୍କ ତଥ୍ୟ ସଂପୃକ୍ତ ବ୍ୟାଙ୍କ ବା ଆର୍ଥିକ ସଂସ୍ଥାକୁ ମିଳିଯିବ। ଆକାଉଣ୍ଟ ଏଗ୍ରିଗେଟର କୌଣସି ତଥ୍ୟ ନିଜେ ରଖିବ ନାହିଁ। ସେ ଗୋଟିଏ ପାଇପଲାଇନ ଭଳି କାମ କରି ଗୋଟିଏ ସଂସ୍ଥାରୁ ତଥ୍ୟ ଆଣି ଅନ୍ୟକୁ ଯୋଗାଇ ଦେବ। ଅର୍ଥାତ୍ ଆର୍ଥିକ ସୂଚନା ପ୍ରଦାନକାରୀଙ୍କ ଠାରୁ ଆଣି ଆର୍ଥିକ ସୂଚନା ବ୍ୟବହାରକାରୀଙ୍କୁ ପ୍ରଦାନ କରିବ। ଏହା ଫଳରେ ବିନା କାଗଜପତ୍ରରେ ଏବଂ କମ୍ ସମୟ ମଧ୍ୟରେ ଆପଣଙ୍କ ଋଣ ମଞ୍ଜୁର ହୋଇଯିବ। ଏହାଦ୍ବାରା ତଥ୍ୟର ଲୋକତନ୍ତ୍ରୀକରଣ ହେବ ଏବଂ ‌ଲୋକମାନଙ୍କୁ ତଥ୍ୟ ହିଁ ସଶକ୍ତ କରିବ ବୋଲି କୁହାଯାଉଛି।

୪ ବ୍ୟାଙ୍କ ଚଳାଇଛନ୍ତି ପରୀକ୍ଷା ନିରୀକ୍ଷା
ଆକାଉଣ୍ଟ ଏଗ୍ରିଗେଟର ସଂପର୍କରେ ଅତିକମ୍‌ରେ ୪ଟି ବ୍ୟାଙ୍କ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ସେମାନେ ହେଲେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ। ସମସ୍ତଙ୍କ ପାଇଁ ଏହି ସେବାକୁ ଉପଲବ୍ଧ କରିବା ପୂର୍ବରୁ କିଛି ବଛା ବଛା ଗ୍ରାହକଙ୍କୁ ନେଇ ବ୍ୟାଙ୍କଗୁଡ଼ିକ ଏହି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଗତ ସପ୍ତାହରେ ଏହାର ପରୀକ୍ଷା ଆରମ୍ଭ ହୋଇଛି। ଏସବୁ ବ୍ୟାଙ୍କ କେତେ ହଜାର ଗ୍ରାହକଙ୍କୁ ନେଇ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ବୋଲି ସହମତିର ସିଇଓ ତଥା ସହ ପ୍ରତିଷ୍ଠାତା ବି ଜି ମହେଶ କହିଛନ୍ତି। ସମସ୍ତଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବା ପୂର୍ବରୁ କିଛି ସପ୍ତାହ ଯାଏ ଏହାର ପରୀକ୍ଷାନିରୀକ୍ଷା ଚାଲିବ ବୋଲି ମହେଶ କହିଛନ୍ତି। ଏଥିସହିତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, କୋଟାକା ମହିନ୍ଦା ବ୍ୟାଙ୍କ ସହିତ ଆଇଡିଏଫସି ବ୍ୟାଙ୍କ ଏହି ବ୍ୟବସ୍ଥାରେ ଖୁବଶୀଘ୍ର ଯୋଗଦେବେ ବୋଲି ଜଣାଯାଇଛି। ସେହିଭଳି ବଜାଜ ଫାଇନାନ୍ସ, ଲେଣ୍ଡିଂକାର୍ଟ ଏବଂ ଡିଏମଆଇ ଫାଇନାନ୍ସ ଭଳି ଅଣବ୍ୟାଙ୍କିଂ ସଂସ୍ଥା ମଧ୍ୟ ଏଥିରେ ଯୋଗଦେବେ ବୋଲି ମହେଶ କହିଛନ୍ତି। ବୀମା କମ୍ପାନିଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରିବା ଲାଗି କଥାବାର୍ତ୍ତା ଚାଲିଛି। ଏହି ପରୀକ୍ଷା ସଫଳ ହେବା ପରେ ଯଦି ସେବାକୁ ସାର୍ବଜନୀନ କରାଯାଏ ଦେଶର ଆର୍ଥିକ ବ୍ୟବସ୍ଥାରେ ଏହା ଆଉ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର