କିଭଳି ବଜେଟ୍‌କୁ ଗୋପନ ରଖାଯାଏ?

ନୂଆଦିଲ୍ଲୀ: ବଜେଟ୍‌ ହେଉଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଦସ୍ତାବିଜ। ଏହାର ପ୍ରତିଟି ବିଷୟକୁ ଗୋପନ ରଖିବାକୁ ଅର୍ଥ ମନ୍ତ୍ରଣାଳୟ ପ୍ରୟାସ କରିଥାଏ। ଚଳିତ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଗତ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଅର୍ଥ ମନ୍ତ୍ରଣାଳୟକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦିଆଯାଇଛି। ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରାଯାଇଛି। ବାହାରର କୌଣସି ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରଣାଳୟରେ ପ୍ରବେଶ କରିପାରିବେ ନାହିଁ। ମନ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ବା ନର୍ଥ ବ୍ଲକକୁ ପୁଲିସ ଓ ସୁରକ୍ଷା ବାହିନୀ ଦୁର୍ଗ ଭଳି ଜଗି ରହିଛନ୍ତି। ଏଥିପାଇଁ ଇଲେକ୍‌ଟ୍ରୋନିକ୍ ଡିଭାଇସ୍ ସବୁ ଲଗାଯାଇଛି। ଅଧିକାଂଶ କମ୍ପ୍ୟୁଟରରେ ବ୍ୟକ୍ତିଗତ ଇ-ମେଲ୍ ସୁବିଧାକୁ ବନ୍ଦ କରିଦିଆଇଛି। କିଛି କମ୍ପ୍ୟୁଟରରେ ଇ-ମେଲ୍ ସୁବିଧାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଥିସହିତ ଇଣ୍ଟେଲିଜେନ୍ସ ବ୍ୟୁରୋ, ଦିଲ୍ଲୀ ପୁଲିସ ଅଧିକାରୀମାନଙ୍କ ଯାତାୟତ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଚଳିତ ବର୍ଷର ବଜେଟ୍ ପ୍ରସ୍ତୁତିରେ ୧୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମନ୍ତ୍ରଣାଳୟ ଭିତରେ ବନ୍ଦ କରିଦିଆଯାଇଛି। ସେମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। କୌଣସି ପରିସ୍ଥିତି ତାଙ୍କୁ ବାହାରକୁ ଯିବାର ଅନୁମତି ଦିଆଯିବ ନାହିଁ। ସମ୍ଭାବ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତର ମଧ୍ୟ ନିୟୋଜିତ କରାଯାଇଛି। ମନ୍ତ୍ରଣାଳୟରେ ମାତ୍ର ଗୋଟିଏ ଲ୍ୟାଣ୍ଡ୍‌ଲାଇନ୍‌ କାମ କରୁଛି, କିନ୍ତୁ ସେଥିରେ ଆଉଟ୍‌ ଗୋଇଙ୍ଗ୍‌ କଲ୍‌ର ସୁବିଧା ନାହିଁ।

ସମ୍ବନ୍ଧିତ ଖବର