ନୂଆଦିଲ୍ଲୀ : ଭାରତ ସରକାର ଲାପଟପ୍, ଟାବଲେଟ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ଉପରେ ଘୋଷଣା କରିଥିବା କଟକଣାକୁ କୋହଳ କରିବା ସହ ତାହାକୁ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ବିଳମ୍ବିତ କରିଛନ୍ତି । ଲାପଟପ ଓ ଟାବଲେଟ ଆମଦାନୀ ପାଇଁ ଲାଇସେନ୍ସ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ସରକାର ଅଗଷ୍ଟ ୩ ତାରିଖରେ ଘୋଷଣା କରିଥିଲେ । କିନ୍ତୁ ଏବେ ଏହାକୁ ପ୍ରାୟ ଏକ ବର୍ଷ ବିଳମ୍ବିତ କରାଯାଇଛି ଓ ଏହା ସହିତ ଲାଇସେନ୍ସ ବଦଳରେ ଏକ ଆମଦାନୀ ପଂଜୀକରଣ ବ୍ୟବସ୍ଥା ସଂପର୍କରେ ଘୋଷଣା କରାଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଆପଲ, ଏଚପି, ଡେଲ୍ ଟେକ୍ନୋଲୋଜି ଲିମିଟେଡ୍ ଏବଂ ଏଭଳି ଅନେକ ନିର୍ମାତା ସରକାରଙ୍କ ଦ୍ୱାରା ଲଗାଯାଇଥିବା ଆମଦାନୀ ନିଷେଧାଦେଶ ପାଇଁ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇବେ। ଏହା ଦ୍ବାରା ଦେଶରେ ହଠାତ୍ ଏସବୁ ସାମଗ୍ରୀର ନିଅଣ୍ଟ ଦେଖାଯିବ ନାହିଁ ଓ ଦର ବଢିବ ନାହିଁ ।
ସରକାରଙ୍କ ନୂଆ ଯୋଜନା ଅନୁସାରେ ଭାରତରେ ଟାବଲେଟ୍ ଓ ଲାପଟପ୍ ଠାରୁ ଆରମ୍ଭ କରି ଡେସ୍କଟପ୍ କମ୍ପ୍ୟୁଟର ଏବଂ ସର୍ଭର ପର୍ଯ୍ୟନ୍ତ ସବୁ କିଛି ଆଣିଥିବା ସମସ୍ତ କଂପାନିକୁ କେବଳ ପଞ୍ଜୀକରଣ କରିବାକୁ ପଡ଼ିବ।
କିନ୍ତୁ ଏହା ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଲାଇସେନ୍ସ ବ୍ୟବସ୍ଥାର ବିପରୀତ ହେବ। ପୂର୍ବରୁ କଂପାନିଗୁଡ଼ିକ ତୁରନ୍ତ ଆମଦାନୀ ହ୍ରାସ କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ନୂଆ ନିୟମ ରେ ପ୍ରାୟ ୬ରୁ ୯ ମାସ ପର୍ଯ୍ୟନ୍ତ ଆମଦାନୀ ସାମଗ୍ରୀ ଉପରେ କୌଣସି ସୀମା ଲାଗୁ ହେବ ନାହିଁ। କମ୍ପାନିମାନଙ୍କ ପାଇଁ ଆମଦାନୀ କୋଟା ଧୀରେ ଧୀରେ କାର୍ଯ୍ୟକାରୀ ହୋଇପାରେ ଓ ସେହି ସମୟରେ କମ୍ପାନିଗୁଡ଼ିକ ଭାରତରେ ଏସବୁ ସାମଗ୍ରୀର ଉତ୍ପାଦନ ଆରମ୍ଭ କରିଦେବେ ।