ନୂଆଦିଲ୍ଲୀ: ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଫେସ୍ବୁକ୍ ଏବେ ଭାରତ, ବ୍ରାଜିଲ୍, ଜାପାନ, ନ୍ୟୁଜିଲାଣ୍ଡ୍ ସମେତ ସମୁଦାୟ ୭୦ଟି ଦେଶରେ ଛୋଟ ଛୁଆଙ୍କ ପାଇଁ ‘ମେସେଞ୍ଜର୍ କିଡ୍ସ୍’ ଆପ୍ ଲଞ୍ଚ୍ କରିଛି। ଯେଉଁ ଯେଉଁ ଦେଶମାନଙ୍କରେ ଏହି ଆପ୍ ଲଞ୍ଚ୍ ହୋଇଛି ଫେସ୍ବୁକ୍ ତାର ୱେବ୍ସାଇଟ୍ରେ ତାହାର ତାଲିକା ପ୍ରକାଶ କରିଛି।
ଏହି ଆପ୍ ଆପେଲ୍ ଆପ୍ ଷ୍ଟୋର୍ ଓ ଗୁଗୁଲ୍ ପ୍ଲୋ ଷ୍ଟୋର୍ ଏବଂ ଆମାଜୋନ୍ ଆପ୍ ଷ୍ଟୋର୍ରୁ ଡାଉନ୍ଲୋଡ୍ କରିହେବ। ଏଥରକୁ ମିଶାଇ ‘ମେସେଞ୍ଜର୍ କିଡ୍ସ୍’ ଆପ୍ ଦ୍ବିତୀୟ ଥର ପାଇଁ ଲଞ୍ଚ୍ କରାଗଲା। ଏହାକୁ ୨୦୧୭ ମସିହାରେ ଆମେରିକାର ଲଞ୍ଚ୍ କରାଯାଇଥିବା ବେଳେ ୨୦୧୮ରେ କାନାଡାରେ ଲଞ୍ଚ୍ ହୋଇଥିଲା। ଏବେ ଫେସ୍ବୁକ୍ ଏହାକୁ ନୂଆ ଭାବେ ବଜାରକୁ ନେଇ ଆସିଛି।
କୋଭିଡ୍-୧୯ କାରଣରୁ ବିଭିନ୍ନ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ଏହି ଲକ୍ଡାଉନ୍ ସମୟରେ ପିଲାମାନେ ଘରେ ବସି ଅନେକ କଥା ଶିଖିପାରିବେ ବୋଲି ଫେସ୍ବୁକ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
‘ମେସେଞ୍ଜର୍ କିଡ୍ସ୍’ ଆପ୍ରେ ଅଭିଭାବକମାନଙ୍କ ସକାଶେ ଏକ ଖାସ୍ ଫିଚର୍ ରଖାଯାଇଛି। ଯାହା ଜରିଆରେ ସେମାନେ ନିଜ ପିଲାଙ୍କ ଆକାଉଣ୍ଟ୍ ଉପରେ ନଜର ରଖିପାରିବେ। ଏହି ଫିଚର୍ର ନାମ ‘ସୁପର୍ଭାଇଜ୍ଡ ଫ୍ରେଣ୍ଡିଂ’। ଏହା ଜରିଆରେ ନିଜ ପିଲାର ପ୍ରେଣ୍ଡ୍ ଲିଷ୍ଟ୍ରେ କିଏ ସାମିଲ୍ ହେଉଛି ତାହା ବାପାମାଆ ଜାଣିପାରିବେ। କାହା ନିକଟରୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ଆସୁଛି ଓ କାହା ନିକଟକୁ ଯାଉଛି ତାହା ମଧ୍ୟ ଜାଣିପାରିବେ ବାପାମାଆ।