ଆୟକର ମାମଲାରେ ହୁୱେଇ ସିଇଓଙ୍କୁ ସମନ

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ଏକ ମାମଲାର ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ଚୀନ୍‌ର ଟେଲିକମ୍ ସଂସ୍ଥା ହୁୱେଇ ଇଣ୍ଡିଆର ସିଇଓ ଲି ଜିଓଙ୍ଗୱେଇ ଓ ଅନ୍ୟ ତିନି ଅଧିକାରୀ ସିଏଫ୍‌ଓ ସନ୍ଦୀପ ଭାଟିଆ, ଟିକସ ମୁଖ୍ୟ ଅମିତ ଦୁଗଲ ଓ ଟ୍ରାନ୍ସଫର ପ୍ରାଇସିଂ ଇନ୍‌ଚାର୍ଜ ଲଙ୍ଗ୍‌ ଚେଙ୍ଗ୍‌ଙ୍କୁ ସମନ ଜାରି କରିଛନ୍ତି। ଆୟକର ବିଭାଗ ମାଗିଥିବା କିଛି ତଥ୍ୟ କଂପାନି ଦେଉନଥିବା ଅଭିଯୋଗ ରହିଛି। ସଠିକ୍ ତଥ୍ୟ ମିଳୁନଥିବାରୁ ତଦନ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆୟକର ନିୟମର ଧାରା ୨୭୮-ବି ଆଧାରରେ କଂପାନି ଅଧିକାରୀଙ୍କୁ ସମନ ଜାରି କରାଯାଇଛି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହେବେ ତେବେ ସର୍ବାଧିକ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଆୟକର ବିଭାଗକୁ ହୁୱେଇର ଅଧିକାରୀମାନେ ଦେଇଥିବା ବୟାନକୁ ତର୍ଜମା କରି କୋର୍ଟ ଜାଣିବାକୁ ପାଇଛନ୍ତି ଯେ ସେମାନେ ଜାଣିଶୁଣି କିଛି ପ୍ରଶ୍ନର ଭୁଲ ଉତ୍ତର ଦେଇଛନ୍ତି। ସେମାନେ ଦେଇଥିବା ଉତ୍ତର ପରସ୍ପର ସହ ମେଳ ଖାଉନାହିଁ। ନିଜ ଉତ୍ତର ଜରିଆରେ ସେମାନେ ତଦନ୍ତ ଅଧିକାରୀଙ୍କୁ ଦ୍ବନ୍ଦ୍ବରେ ପକାଇବାକୁ ପ୍ରୟାସ କରିଥିବା ଭଳି ମନେ ହେଉଛି। କଂପାନିର ହିସାବ ଖାତା ଓ ଅନ୍ୟାନ୍ୟ ଦସ୍ତାବିଜକୁ ତଦନ୍ତ ଅଧିକାରୀଙ୍କୁ ନଦେବା ଲାଗି ସେମାନେ ମସୁଧା କରିଛନ୍ତି। ତଥ୍ୟ ଦେବା ଲାଗି ଅଯଥାରେ ସେମାନେ ଅଧିକ ସମୟ ମାଗିଥିଲେ। କୋର୍ଟ ଜାଣିବାକୁ ପାଇଛନ୍ତି ଯେ ଏହି ଅଧିକାରୀମାନେ କଂପାନିର ଦୈନନ୍ଦିନ କାର୍ଯ୍ୟର ଦେଖାଶୁଣା କରିବା ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର