ଲାହୋର: ପାକିସ୍ତାନର ଜଳସୀମାରେ ବିପୁଳ ପରିମାଣର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମହଜୁଦ ଥିବା ଜଣାଯାଇଛି। ଏପରିକି ଏହା ବିଶ୍ବର ଚତୁର୍ଥ ବୃହତ୍ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଭଣ୍ଡାର ହୋଇପାରେ ବୋଲି ଆକଳନ କରାଯାଉଛି। ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନର ଭାଗ୍ୟ ଏହା ବଦଳାଇ ଦେବାର କ୍ଷମତା ରଖିଛି। ପାକିସ୍ତାନ ଏହାର ଏକ ବନ୍ଧୁ ରାଷ୍ଟ୍ରର ସହଯୋଗରେ ୩ ବର୍ଷ ଧରି ସର୍ଭେ କରିବା ପରେ ଏହି ଆବିଷ୍କାର କରିଛି ବୋଲି ଡନନ୍ୟୁଜ୍‌ ଟିଭିକୁ ସାକ୍ଷାତ୍‌କାର ଦେଇ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି। 
ବ୍ୟାପକ ଭୌଗୋଳିକ ସର୍ଭେ ପରେ ତୈଳ ଓ ପ୍ରାକୃତିକ ଗ୍ୟାସ ଯେଉଁ ସ୍ଥାନରେ ମହଜୁଦ ରହିଛି ତାହାକୁ ଠାବ କରାଯାଇଛି। ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କୁ ଏ ନେଇ ଅବଗତ ଦିଆଯାଇଛି।

Advertisment

‘ନୀଳ ଜଳ ଅର୍ଥନୀତି’ରୁ ଉପକୃତ ହେବା ପାଇଁ ପାକିସ୍ତାନ ଅଭିଯାନ ଚଳାଇଛି। ଏଥିରେ ସମୁଦ୍ରରୁ ତୈଳ, ପ୍ରାକୃତିକ ଗ୍ୟାସ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ଉତ୍ତୋଳନ ଯୋଜନା ରହିଛି। ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରର ସନ୍ଧାନ ମିଳିବା ପରେ ତାହାର ଉତ୍ତୋଳନ ଓ ନିଲାମ ପ୍ରସ୍ତାବର ସମୀକ୍ଷା କରାଯାଉଛି। କିନ୍ତୁ ଏହାର ବାସ୍ତବ ଉତ୍ତୋଳନ ବହୁବର୍ଷ ଲାଗିଯାଇପାରେ। ତୈଳ କୂଳପ ଖପନ ଏବଂ ସେଥିରୁ ଗ୍ୟାସ୍‌ ଓ ତୈଳ ଉତ୍ତୋଳନ ସମୟସାପେକ୍ଷ ପ୍ରକ୍ରିୟା। ଏଥିପାଇଁ ଅଧିକ ପୁଞ୍ଜିନିବେଶ ସହିତ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। 

ତେବେ ତୈଳ ଓ ଗ୍ୟାସ୍‌ ନିୟାମକ କର୍ତ୍ତୃପକ୍ଷର ପୂର୍ବତନ ସଦସ୍ୟ ମହମ୍ମଦ ଆରିଫ କହିଛନ୍ତି ଯେ ଗ୍ୟାସ୍‌ ଓ ତୈଳର ସନ୍ଧାନ ମିଳିବା ନେଇ ଅଂଶୀଦାରମାନେ ‌ଯଥେଷ୍ଟ ଉତ୍ସାହିତ ଅଛନ୍ତି। କିନ୍ତୁ ସେମାନଙ୍କ ଆଶାନୁରୂପ ଗ୍ୟାସ ଓ ତୈଳ ମିଳିବ ବୋଲି କିଛି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ତୈଳ ଉତ୍ତୋଳନ ପାଇଁ ୫ ବିଲିଅନ ଡଲାରର ନିବେଶ ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିପାଇଁ ୫ ବର୍ଷ ସମୟ ମଧ୍ୟ ଲାଗିଯାଇ ପାରେ ବୋଲି ସେ କହିଛନ୍ତି। ତେବେ ଯଦି ଏଠାରୁ ପାକିସ୍ତାନ ଗ୍ୟାସ୍‌ ଓ ତୈଳ ଉତ୍ତୋଳନ କରିବାକୁ ସକ୍ଷମ ‌ହୁଏ ତାହେଲେ ଆମଦାନି ଉପରେ ଏହାର ନିର୍ଭରଶୀଳତା ହ୍ରାସ ପାଇବ। ତୈଳ ଓ ଗ୍ୟାସ୍‌ ଭଣ୍ଡାର ଉପଯୁକ୍ତ ବିଶ୍ଳେଷଣ ଓ ‌ଉତ୍ତୋଳନ ନହେବା ପର୍ଯ୍ୟନ୍ତ ବର୍ତ୍ତମାନ ଯେଉଁ ଉତ୍ସାହ ଦେଖାଦେଇଛି ତାହାର କିଛି ମାନେ ନାହିଁ ବୋଲି ସେ କହିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ବିଶ୍ବରେ ଏହା ଚତୁର୍ଥ ବୃହତ୍‌ ତୈଳ ଓ ଗ୍ୟାସ୍‌ ସନ୍ଧାନ ବୋଲି କୁହାଯାଉଛି। ବର୍ତ୍ତମାନ ଭେନେଜୁଏଲାରେ ସର୍ବାଧିକ ତୈଳ (୩.୪ ବିଲିଅନ ବ୍ୟାରେଲ) ମହଜୁଦ ରହିଛି।