ମାନବ ମସ୍ତିଷ୍କରେ ଲାଗିବ ଚିପ୍: ପରୀକ୍ଷଣକୁ ଆମେରିକାର ଅନୁମତି, ମସ୍ତିଷ୍କକୁ କମ୍ପ୍ୟୁଟର ସହ ଯୋଡ଼ିବ

ଦୃଷ୍ଟିବାଧିତ ଦେଖିପାରିବେ, ପକ୍ଷାଘାତ ରୋଗୀ ଚାଲିବେ

ନୂଆଦିଲ୍ଲୀ: ମଣିଷ ମୁଣ୍ଡରେ ଲାଗିବ ଚିପ୍। ଏବେ ଅସମ୍ଭବ ମନେ ହେଉଥିବା ବହୁ କାର୍ଯ୍ୟ ସମ୍ଭବ ହେବ। ଦୃଷ୍ଟିହୀନମାନେ ଦୁନିଆକୁ ଦେଖିପାରିବେ। ପକ୍ଷାଘାତ ରୋଗୀଙ୍କ ଅଙ୍ଗପ୍ରତ୍ୟଙ୍ଗ ସ୍ବାଭାବିକ ହୋଇପାରିବ। ଏଭଳି ଚମତ୍କାର ଶକ୍ତି ଏହି ଚିପ୍‌ରେ ରହିଛି। ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ପ୍ରତିଷ୍ଠା କରିଥିବା କଂପାନି ନ୍ୟୁରାଲିଙ୍କ୍‌ ସେହି ଚିପ୍ ବିକାଶ କରିଛି। ତାହାକୁ ମାନବ ମସ୍ତିଷ୍କରେ ପରୀକ୍ଷଣ କରିବା ଲାଗି ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। ଏହି ପରୀକ୍ଷଣ ସଫଳ ହେଲେ ମାନବ ଜାତି ପାଇଁ ତାହା ବରଦାନ ସାବ୍ୟସ୍ତ ହେବ। ପୂର୍ବରୁ ଏହି ଚିପ୍‌କୁ ପଶୁମାନଙ୍କଠାରେ ବ୍ୟବହାର କରାଯାଇଥିଲା। ତାହାକୁ ନେଇ ବାଦବିବାଦ ସୃଷ୍ଟି ହେବା ପରେ ସରକାର ତଦନ୍ତ ନିର୍ଦେଶ ଦେଇଥିଲେ। ୨୦୧୬ରେ ମସ୍କ ନ୍ୟୁରାଲିଙ୍କ୍‌କୁ ସ୍ଥାପନ କରିଥିଲେ ମଧ୍ୟ ମାନବ ଶରୀରରେ ପରୀକ୍ଷଣ ଲାଗି ଏହା ବର୍ତ୍ତମାନ ସୁଦ୍ଧା ସଂଘର୍ଷ କରୁଥିଲା।

ନ୍ୟୁରାଲିଙ୍କ୍‌ ବିକାଶ କରିଥିବା ଚିପ୍‌ ମଣିଷର ମସ୍ତିଷ୍କକୁ ବାହାରେ ଥିବା କମ୍ପ୍ୟୁଟର, ମୋବାଇଲ୍‌ କିମ୍ବା ଅନ୍ୟ ଯେକୌଣସି ପ୍ରକାର ଡିଭାଇସ୍‌ ସହ ଯୋଡ଼ିବ। ଫଳରେ ସ୍ନାୟୁଜନିତ ରହିଥିବା ସମସ୍ୟାକୁ ସହଜରେ ସମାଧାନ କରାଯାଇପାରିବ। ମଣିଷର ବୁଦ୍ଧିମତା ଓ କୃତ୍ରିମ ବୁଦ୍ଧିମତାର ମିଶ୍ରଣରେ ଏହି ଚିପ୍ କାମ କରିବ। ନ୍ୟୁରାଲିଙ୍କ୍‌ ମତରେ ଏହା ଏକ ଅଦୃଶ୍ୟ ଚିପ୍ ଯାହାକୁ ଅତି ସହଜରେ ମସ୍ତିଷ୍କରେ ପ୍ରତିରୋପଣ କରାଯାଇପାରିବ।

ସ୍ନାୟୁଗତ ସମସ୍ୟା, ପକ୍ଷାଘାତ, ମେରୁଦଣ୍ଡରେ ଆଘାତ ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିବା ରୋଗୀମାନଙ୍କ ମସ୍ତିଷ୍କରୁ ଯେଉଁ ବିଷୟରେ ହଟିଯାଇଛି ନ୍ୟୁରାଲିଙ୍କ୍‌ର ଚିପ୍ ଜରିଆରେ ତାହାକୁ ପୁନଃ ସକ୍ରିୟ କରାଯାଇପାରିବ। ଫଳରେ ଏଭଳି ସମସ୍ୟା ଭୋଗୁଥିବା ରୋଗୀଙ୍କ ଜୀବନରେ ଉଲ୍ଲେଖନୀୟ ଉନ୍ନତି ହୋଇପାରିବ। ମଣିଷ ଓ ମେସିନ ଭିତରେ ନିରବଚ୍ଛିନ୍ନ ସମ୍ପର୍କ ସ୍ଥାପନ କରିବା ଭଳି ପ୍ରଯୁକ୍ତି ବିକାଶ କରିବାକୁ ନ୍ୟୁରାଲିଙ୍କ୍‌ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର