ରୁଷ ଛାଡ଼ିଲେ ଶତାଧିକ କଂପାନି: ଉତ୍ପାଦନ ବନ୍ଦ କଲେ ଗାଡ଼ି କଂପାନି, ଆପଲ୍‌, ଡେଲ୍‌ ବିକ୍ରି ବନ୍ଦ କଲେ

ଫେସବୁକ୍‌, ଟ୍ବିଟରର କଟକଣା

ନୂଆଦିଲ୍ଲୀ, ୬/୩: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଶତାଧିକ ଆନ୍ତର୍ଜାତିକ ଖାତି ସମ୍ପନ୍ନ ସଂସ୍ଥା ରୁ‌‌ଷରେ ବ୍ୟବସାୟ ବନ୍ଦ କରିଥିବା ବିଷୟରେ ଘୋଷଣା କରିଛନ୍ତି। ଏହି କଂପାନିଗୁଡ଼ିକ ମଧ୍ୟରେ ୟୁରୋପୀୟ ଦେଶଗୁଡ଼ିକର ଅଧିକ ସଂସ୍ଥା ରହିଛନ୍ତି। ଗାଡ଼ି ନିର୍ମାତାଙ୍କ ଠାରୁ ଆରମ୍ଭ କରି ପ୍ରଯୁକ୍ତି, ଫେସନ୍ ଓ ରିଟେଲ୍, ଶକ୍ତି, ବିମାନ ଚଳାଚଳ, ଜାହାଜ ଓ ଲଜି‌ଷ୍ଟିକ୍ସ, ଫାଇନାନ୍ସ, ଗଣମାଧ୍ୟମ ଓ ମନୋରଞ୍ଜନ ଏବଂ କ୍ରୀଡ଼ା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବିଦେଶୀ କଂପାନିଗୁଡ଼ିକ ରୁଷରେ ଉତ୍ପାଦନ, ରପ୍ତାନି ଓ କାରବାର ଆଦି ବନ୍ଦ କରିଛନ୍ତି। ଏହା ଦ୍ବାରା ରୁଷ୍‌ର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ୧୯୯୮ରେ ରୁଷ ଅର୍ଥନୀତି ଯେଉଁଭଳି ଦୁର୍ବଳ ହୋଇଥିଲା ସେହି ସ୍ତରକୁ ଖସିଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବହୁ ସଂସ୍ଥା ରପ୍ତାନି କଟକଣା ଲଗାଇଥିବାରୁ ରୁଷିଆ ଯେଉଁ ସବୁ ସାମଗ୍ରୀ ଆମଦାନି କରୁଥିଲା ତାହା ପାଇବ ନାହିଁ। ଗାଡ଼ି କଂପାନିଗୁଡ଼ିକ ମଧ୍ୟରେ ମର୍ସିଡିସ୍-ବେଞ୍ଜ ରୁଷରେ ସ୍ଥାପନ କରିଥିବା ଯୌଥ ଉଦ୍ୟୋଗର ଅଂଶଧନ ବିକ୍ରି କରିବା ବିଷୟରେ ଘୋଷଣା କରିଛନ୍ତି। ଜେନେରାଲ୍ ମୋଟର୍ସ ଓ ଭଲ୍‌ଭୋ ପକ୍ଷରୁ ରୁଷକୁ ଗାଡ଼ି ରପ୍ତାନି ବନ୍ଦ କରାଯାଇଛି। ଫକ୍ସୱାଗନ ଉଭୟ ଉତ୍ପାଦନ ଓ ରପ୍ତାନି ବନ୍ଦ କରିଛି। ‌ଫୋର୍ଡ ଏହାର ସବୁ କାରବାର ବନ୍ଦ କରିଛି। ମିତସୁବିସି ରୁଷରେ କାର ବିକ୍ରି ବନ୍ଦ କରିବ ବୋଲି ଘୋଷଣା କରିଛି। ହା‌ର୍ଲି-ଡେଭିଡ୍‌ସନ୍‌ ରୁଷକୁ ରପ୍ତାନି ବନ୍ଦ କରିଛି। ଜାଗୁଆର ଲ୍ୟାଣ୍ଡ୍‌ରୋଭର ଓ ଆଷ୍ଟନ ମାର୍ଟିନ୍ ମଧ୍ୟ ରପ୍ତାନି ବନ୍ଦ କରିଛନ୍ତି। ବିଏମ୍‌ଡବ୍ଲୁ, ହୋଣ୍ଡା ଓ ଡେମ୍‌ଲର ଭଳି ସଂସ୍ଥା ମଧ୍ୟ ରୁଷରେ ନିଜର କାରବାର ବନ୍ଦ କରିଥିବା ଘୋଷଣା କରିଛନ୍ତି।


ଆପଲ୍‌, ଫେସବୁକ୍, ଟ୍ବିଟର୍‌, ମାଇକ୍ରୋସଫ୍ଟ, ଡେଲ୍‌, ଓରାକଲ୍, ଇଣ୍ଟେଲ୍‌ ଓ ଏୟାରବିଏନ୍‌ବି ଭଳି ପ୍ରଯୁକ୍ତି ସଂସ୍ଥା ମଧ୍ୟ ରୁଷ ଉପରେ କଟକଣା ଲଗାଇଛନ୍ତି। ମାଇକ୍ରୋସଫ୍ଟ ଓ ଡେଲ୍‌ ନିଜର ଉତ୍ପାଦ ବିକ୍ରି ବନ୍ଦ କରିଥିବା ବେଳେ ଓରାକଲ୍‌ ଏହାର ସବୁ କାରବାର ବନ୍ଦ କରିଛି। ଇଣ୍ଟେଲ୍‌ ରୁଷ ଓ ବେଲାରୁଷକୁ ରପ୍ତାନି ବନ୍ଦ କରିଛନ୍ତି। ଫେସବୁକ୍ ପକ୍ଷରୁ ରୁଷ ଖବରଗୁଡ଼ିକୁ ବ୍ଲକ୍‌ କରାଯାଇଥିବା ବେଳେ ଟ୍ବିଟର୍‌ ମଧ୍ୟ ରୁଷର ପୋଷ୍ଟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆପଲ୍ ଏହାର ଉତ୍ପାଦ ବିକ୍ରି ବନ୍ଦ କରିଛି। ସ‌ାମସଙ୍ଗ୍‌ ମଧ୍ୟ ରୁଷ୍‌କୁ ଫୋନ୍ ରପ୍ତାନି ବନ୍ଦ କରିଥିବ‌ା ବେଳେ ସେଠାରେ ବିକ୍ରି ମଧ୍ୟ ବନ୍ଦ କରିଛି। ଫେସନ ଓ ରିଟେଲ୍‌ କଂପାନି ମଧ୍ୟରେ ଏଚ୍‌ଆଣ୍ଡ୍‌ଏମ୍‌, ହର୍ମେସ, ଆଡିଡାସ୍‌, ନାଇକ୍, ପ୍ୟୁମା ଓ ଆଇକିଆ ରୁଷରେ ନିଜର କାରବାର ବନ୍ଦ କରିଛନ୍ତି। ପେସାଦାର ସେବା ପ୍ରଦାନକାରୀ ସଂସ୍ଥା ଗ୍ରାଣ୍ଟ୍‌ ଥରଣ୍ଟନ୍, ଆସେଞ୍ଚର ଓ ମ୍ୟାକିନ୍‌ସେ ଏବଂ ବୋଷ୍ଟନ କନସଲଣ୍ଟିଂ ନିଜ ସେବାକୁ ବନ୍ଦ କରିଛନ୍ତି। ଶକ୍ତି କଂପାନି ମଧ୍ୟରେ ଟୋଟାଲ୍ ଏନର୍ଜି, ବ୍ରିଟିଶ ପେଟ୍ରୋଲିୟମ୍, ଏକ୍ସନ୍ ମୋବିଲ୍, ଇକ୍ବିନର ଓ ସେଲ୍ ନିଜ କାରବାରକୁ ସୀମିତ କରିବା ଆରମ୍ଭ କରିଛନ୍ତି। କିଛି ସଂସ୍ଥା କାରବାରକୁ ବନ୍ଦ କରିଦେଇଛନ୍ତି। ବିମାନ କଂପାନି ବୋଇଙ୍ଗ୍‌ ପକ୍ଷରୁ ରୁଷିଆନ୍ ଏୟାରଲାଇନ୍ସକୁ ସେବା ଯୋଗାଣ ବନ୍ଦ କରାଯାଇଛି। ଏୟାରବସ୍ ମଧ୍ୟ ସେଭଳି ପଦକ୍ଷେପ ନେଇଛି। ମାଏର୍‌ସ୍କ, ଫେଡ୍‌ଏକ୍ସ, ୟୁପିଏସ୍‌, ଡିଏଚ୍‌ଏଲ୍‌, ହାପାଗ ଲଏଡ୍, ଏମ୍‌ଏସ୍‌ସି ରୁଷରେ ଡେଲିଭରି ବନ୍ଦ କରିଛନ୍ତି।

ଗଣମାଧ୍ୟମ ଓ ମ‌ନୋରଞ୍ଜନ କ୍ଷେତ୍ରରେ ବିଶ୍ବସ୍ତରରେ ଚର୍ଚ୍ଚିତ ଥିବା କଂପାନିଗୁଡ଼ିକ ମଧ୍ୟ ରୁଷ ବିରୋଧରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡିଜ୍‌ନି ଏହାର ସମସ୍ତ ରିଲିଜ୍‌କୁ ବନ୍ଦ କରିଦେଇଥିବା ବେ‌ଳେ ୱର୍ନର ମିଡିଆ ‘ଦି ବ୍ୟାଟ୍‌ମ୍ୟାନ୍‌’ର ରିଲିଜ୍‌କୁ ଅଟକାଇ ଦେଇଛି। ସ୍ପଟିଫାଏ ରୁଷରେ ଏହାର କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ ନେଟ୍‌ଫ୍ଲିକ୍ସ ପକ୍ଷରୁ ରୁଷର ସରକାରୀ ଟିଭିକୁ ବ୍ଲକ୍ କରାଯାଇଛି। ୟୁଟ୍ୟୁବ୍ ମଧ୍ୟ ରୁଷର ଗଣମାଧ୍ୟମ ଉପରେ ରୋକ ଲଗାଇଛି। ଆର୍ଥିକ କଂପାନି ଗୁଡ଼ିକ ମଧ୍ୟରେ ମାଷ୍ଟରକାର୍ଡ ଓ ଭିସା ରୁଷରେ ସେମାନଙ୍କ କାରବାର ବନ୍ଦ କରିଛନ୍ତି। ନରୱେର ସଂସ୍ଥା ସୋଭରେଜ୍ ୱେଲ୍‌ଥ ଫଣ୍ଡ୍‌ ରୁଷର ୪୭ଟି କଂପାନିରେ ଥିବା ଅଂଶଧନ ବିକ୍ରି କରିବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର