ଭୁବନେଶ୍ବର: ହୁରୁନ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ୩୫ ବର୍ଷରୁ କମ୍ ବୟସ ପ୍ରମୁଖ ଭାରତୀୟ ଯୁବ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାର ବିଭୁପ୍ରସାଦ ଦାସ ଓ ବ୍ରିଜେଶ ସାମନ୍ତରାୟଙ୍କ ନାମ ରହିଛି। ବିଭୁ ତାଲିକାର ୧୩୦ ଓ ବ୍ରିଜେଶ ୧୫୦ତମ ସ୍ଥାନରେ ରହିଛନ୍ତି। ଉଭୟ ଉଦ୍ୟୋଗୀ ମିଳିତ ଭାବେ ପ୍ରୋପେଲ୍‌ଡ ନାମକ କମ୍ପାନି ସ୍ଥାପନ କରିଛନ୍ତି। ପ୍ରୋପେଲ୍‌ଡ ହେଉଛି ଏକ ଫିନ୍‌ଟେକ୍ ଷ୍ଟାର୍ଟଅପ୍ ଯାହାକୁ ବିଭୁ, ବ୍ରିଜେଶ ଓ ଭିକ୍ଟର ସେନାପତି ମିଳିତ ଭାବେ ୨୦୧୭ରେ ଆରମ୍ଭ କରିଥିଲେ। ଏହା ଶିକ୍ଷା ଋଣ କ୍ଷେତ୍ରରେ ସକ୍ରିୟ ରହିଛି। 

Advertisment

ଭୁବନେଶ୍ବରରେ ବଢ଼ିଥିବା ବିଭୁ ପୁଲିଜର ପୁରସ୍କାରପ୍ରାପ୍ତ ପୁସ୍ତକ ‘ଲର୍ଡସ୍‌ ଅଫ୍ ଫାଇନାନ୍ସ’ ପଢ଼ିବା ପରେ ଫାଇନାନ୍ସ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ।‌ ସେ ଜଣେ ସାର୍ଟିଫାଏଡ୍‌ ସିଏଫ୍ଏ। କ୍ରେଡିଟ୍‌ ସୁଇସ୍‌ରେ ଆନାଲିଷ୍ଟ ଓ ସିନର୍ଜି କନସଲ୍‌ଟିଂରେ କନସଲଟାଣ୍ଟ ଭାବେ କାର୍ଯ୍ୟ କରିଥିବା ବିଭୁ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାର କ୍ଲାଏଣ୍ଟଙ୍କ ପାଇଁ ମଧ୍ୟ କାମ କରିଛନ୍ତି। ପ୍ରୋପେଲ୍‌ଡ ସ୍ଥାପନ କରିବା ପରଠାରୁ ତାଙ୍କର ଲକ୍ଷ୍ୟ ହେଉଛି ଏକ ସ୍ଥାୟୀ ଶିକ୍ଷା ଫାଇନାନ୍ସ ମଡେଲ୍‌ ବିକାଶ କରିବା ଯାହା ସମସ୍ତ ଅଂଶୀଦାରଙ୍କ ପାଇଁ ଲାଭଦାୟକ ହେବ। ସେହିପରି, ଭୁବନେଶ୍ବରର ଷ୍ଟିୱାର୍ଟ ସ୍କୁଲ୍‌ ଓ ବିପିୟୁଟିରେ ପାଠପଢ଼ିଥିବା ବ୍ରିଜେଶ ସେଣ୍ଟ୍ରମ୍ କ୍ୟାପିଟାଲ୍‌, ଏଚ୍‌ଏସ୍‌ବିସିରେ କାର୍ଯ୍ୟ କରିଥିଲେ।

ଓଡ୍ରଆର୍ଟସ୍‌, ଷ୍ଟକ୍‌ଅପ୍‌, ପ୍ରିଷ୍ଟିନ୍‌ କଟ୍‌ର ମଧ୍ୟ ସେ ହେଉଛନ୍ତି ସହ-ପ୍ରତିଷ୍ଠାତା। ସେ ଆଇଆଇଟି ମାଡ୍ରାସ୍‌ରେ ପାଠପଢ଼ିଥିବା ବେଳେ ଫାଇନାନ୍ସରେ ଏମ୍‌ବିଏ ମଧ୍ୟ କହିଛନ୍ତି। ହୁରୁନ୍‌ ପକ୍ଷରୁ ୩୫ ବର୍ଷ ବୟସରୁ କମ୍ ୧୫୦ ଜଣ ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀଙ୍କ ତାଲିକା ଜାରି କରାଯାଇଛି। ସେଥିରେ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନି ଓ ଝିଅ ଇଶା ଅମ୍ବାନିଙ୍କ ନାମ ମଧ୍ୟ ରହିଛି। ତାଲିକାରେ ସ୍ଥାନ ପାଇଥିବା ୮୨ ପ୍ରତିଶତ ଉଦ୍ୟୋଗୀ ପ୍ରଥମ ପିଢ଼ିର । ଯେଉଁ ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ସର୍ବନିମ୍ନ ବ୍ୟବସାୟ ୫୦ ନିୟୁତ ଡଲାର ଏବଂ ପରବର୍ତ୍ତୀ ପିଢ଼ି ବା ବ୍ୟବସାୟିକ ପରିବାରର ଉଦ୍ୟୋଗୀଙ୍କ ସର୍ବନିମ୍ନ ବ୍ୟବସାୟ ୧୦୦ ନିୟୁତ ଡଲାର ରହିଛି ସେମାନଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି।