ସ୍ତ୍ରୀଙ୍କ ଏଟିଏମ୍‌ କାର୍ଡକୁ ସ୍ୱାମୀ ବି ବ୍ୟବହାର କରିପାରିବେନି

ବେଙ୍ଗାଲୁରୁ: ଜଣକର ଏଟିଏମ୍‌ କାର୍ଡକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ଏକ ଉପଭୋକ୍ତା ଅଦାଲତ ଏହା କହିଛନ୍ତି। ବେଙ୍ଗାଲୁରୁର ଜଣେ ମହିଳାଙ୍କ ସହିତ ଘଟିଥିବା ଘଟଣା ଓ ସେ ଦାଖଲ କରିଥିବା ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ିବା ସତ୍ତ୍ୱେ ମହିଳାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କର ଏତିକିି ମାତ୍ର ଭୁଲ ଥିଲା ଯେ ସେ ନିଜ ସ୍ୱାମୀଙ୍କୁ ତାଙ୍କର କାର୍ଡ ଓ ଏଟିଏମ୍‌ ପିନ୍‌ ଦେଇଥିଲେ ଯାହା ଆଇନ ଅନୁସାରେ ଦେବା କଥା ନୁହେଁ। କୌଣସି ବ୍ୟକ୍ତି ନିଜ କାର୍ଡ ଓ ପିନ୍‌କୁ ଅନ୍ୟ କାହାକୁ ଦେଇପାରିବେ ନାହିଁ ବୋଲି ନିୟମ ରହିଛି। ଘଟଣାଟି ଘଟିଥିଲା ଏହିଭଳି। ବେଙ୍ଗାଲୁରୁର ବନ୍ଦନା ନାମକ ଜଣେ ମହିଳା ମାତୃତ୍ୱ ଛୁଟିରେ ଘରେ ଥିଲେ। ସେ ନିଜ ସ୍ୱାମୀ ରାଜେଶଙ୍କୁ ତାଙ୍କ ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବର ଦେଇ ଟଙ୍କା ଉଠାଇ ଆଣିବାକୁ କହିଥିଲେ। ରାଜେଶ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍‌ରୁ ୨୫ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଟଙ୍କା ଏଟିଏମ୍‌ରୁ ବାହାରିଲା ନାହିଁ, କିନ୍ତୁ ବନ୍ଦନାଙ୍କ ଖାତାରୁ ୨୫ ହଜାର ଟଙ୍କା କଟିଗଲା। ଏହା ଜାଣିବା ପରେ ସେ ତୁରନ୍ତ ଷ୍ଟେଟ୍‌ ବ୍ୟାଙ୍କର କଲ୍‌ ସେଣ୍ଟର୍‌କୁ ଫୋନ୍‌ କରି ନିଜର ସମସ୍ୟା କଥା କହିଥିଲେ। କଲ୍‌ ସେଣ୍ଟର୍‌ରୁ ଉତ୍ତର ଆସିଥିଲା ଯେ ଏହା ଏଟିଏମ୍‌ ମେସିନ୍‌ର କୌଣସି ତ୍ରୁଟି ହୋଇପାରେ। ଯଦି ସେଭଳି ହୋଇଥିବ ତେବେ ୨୪ ଘଣ୍ଟା ଭିତରେ ଟଙ୍କା ଆପଣଙ୍କ ଖାତାରେ ଜମା ହୋଇଯିବ। ଦିନ ପରେ ଦିନ ବିତିଗଲା କିନ୍ତୁ ତାଙ୍କ ଟଙ୍କା ଆଉ ଖାତାକୁ ଫେରିଲା ନାହିଁ। ତେଣୁ ବନ୍ଦନା ଓ ରାଜେଶ ବାଧ୍ୟ ହୋଇ ବ୍ୟାଙ୍କ ଶାଖାରେ ଲିଖିତ ଅଭିଯୋଗ କରିଥିଲେ। ବ୍ୟାଙ୍କରୁ ଯେଉଁ ଉତ୍ତର ମିଳିଲା ତାହା ଜାଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା ଯେ ଏଟିଏମ୍‌ରେ କାରବାର ଠିକ୍‌ ଥିଲା ଓ ଏଟିଏମ୍‌ଟି ହେଉଛି ନନ୍‌-ଟ୍ରାନ୍ସଫରେବଲ୍‌। ସେଠାରୁ ନିରାଶ ହେବା ପରେ ବନ୍ଦନା ଓ ରାଜେଶ ବ୍ୟାଙ୍କ ଲୋକପାଳ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଲୋକପାଳଙ୍କ ଉତ୍ତର ଥିଲା ‘ପିନ୍‌ ସେୟାର କରାଯାଇଛି’ (ପିନ୍‌ ଅନ୍ୟ ଜଣଙ୍କୁ ଦିଆଯାଇଛି)। ଏହା ଜଣାଇ ବ୍ୟାଙ୍କ ଲୋକପାଳ ମାମଲାଟିକୁ ବନ୍ଦ କରିଦେଇଥିଲେ। ଅନ୍ୟ ଉପାୟ ନପାଇ ସେମାନେ ଉପଭୋକ୍ତା ଅଦାଲତରେ ମାମଲା ଦାୟର କରିଥିଲେ। କୋର୍ଟ ମଧ୍ୟ ଏହି ରାୟ ଦେଇଥିଲେ ଯେ, ବନ୍ଦନା ନିଜର ଏଟିଏମ୍‌ କାର୍ଡ ଓ ପିନ୍‌ ନମ୍ବରକୁ ସ୍ୱାମୀଙ୍କୁ ଦେବା ବଦଳରେ ଏକ ସେଲ୍‌ଫ ଚେକ୍‌ କିମ୍ବା ଅଥରାଇଜେସନ୍‌ ଲେଟର୍‌ (ସ୍ୱୀକୃତି ଚିଠି) ଦେଇପାରିଥାନ୍ତେ।

ସମ୍ବନ୍ଧିତ ଖବର