ନୂଆଦିଲ୍ଲୀ: ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିସନ୍ ଅଧୀନରେ ଦେଶର ବିଭିନ୍ନ ରୁଟ୍ରେ ହାଇଡ୍ରୋଜେନ୍ ଚାଳିତ ବସ୍ ଓ ଟ୍ରକ୍ ଚଳାଚଳର ପରୀକ୍ଷଣ କରାଯିବ। ସେଥିପାଇଁ ଦେଶର ୧୦ଟି ରୁଟ୍ ଚୟନ କରାଯାଇଛି। ସେହି ରୁଟ୍ରେ ଭୁବନେଶ୍ବର-କୋଣାର୍କ-ପୁରୀ ଓ ଜାମସେଦପୁର-କଳିଙ୍ଗନଗର ରୁଟ୍ ନାମ ରହିଛି। ହାଇଡ୍ରୋଜେନ୍ ଚାଳିତ ବସ୍ ଓ ଟ୍ରକ୍ ଚଳାଚଳ ପାଇଁ ପାଞ୍ଚଟି ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଆସିଥିବା ପ୍ରସ୍ତାବଗୁଡ଼ିକୁ ଅନୁଶୀଳନ କରିବା ପରେ ପାଞ୍ଚ ପାଇଲଟ୍ ପ୍ରକଳ୍ପ ପାଇଁ ୩୯ଟି ହାଇଡ୍ରୋଜେନ୍ ଚାଳିତ ବସ୍ ଓ ଟ୍ରକ୍ ଚଳାଚଳ କରିବା ଏବଂ ୯ଟି ହାଇଡ୍ରୋଜେନ୍ ଇନ୍ଧନ ଷ୍ଟେସନ୍ ଖୋଲିବାକୁ ଅନୁମୋଦନ ପ୍ରଦାନ କରିଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ୧୫ଟି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଓ ୨୨ଟି ହେଉଛି ହାଇଡ୍ରୋଜେନ୍ ଦହନଶୀଳ ଇଞ୍ଜିନ ଥିବା ଗାଡ଼ି।
ସେଗୁଡ଼ିକ ଗ୍ରେଟର ନୋଏଡା-ଦିଲ୍ଲୀ-ଆଗ୍ରା, ଭୁବନେଶ୍ବର-କୋଣାର୍କ-ପୁରୀ, ଅହମ୍ମଦାବାଦ-ଭଭୋଦରା-ସୁରଟ, ସାହିବାବାଦ-ଫରିଦାବାଦ-ଦିଲ୍ଲୀ, ପୁଣେ-ମୁମ୍ବାଇ, ଜାମସେଦପୁର-କଳିଙ୍ଗନଗର, ଥିରୁଅନନ୍ତପୂରମ-କୋଚି, କୋଚି-ଏଡାପାଲି, ଜାମନଗର-ଅହମଦାବାଦ ଏବଂ ବିଶାଖାପାଟଣା-ବୟଭରମ୍ ରୁଟ୍ରେ ଚାଲିବ। ଏହି ପ୍ରକଳ୍ପଗୁଡ଼ିକୁ ଟାଟା ମୋଟର୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏନ୍ଟିପିସି, ଅଶୋକ ଲେଲ୍ୟାଣ୍ଡ, ଏଚ୍ପିସିଏଲ୍, ବିପିସିଏଲ୍ ଓ ଆଇଓସିଏଲ୍କୁ ପ୍ରଦାନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୨୦୮ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ। ଆସନ୍ତା ୧୮-୨୪ ମାସ ଭିତରେ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ ହେବ। କେନ୍ଦ୍ର ସରକାର ପରିବହନ କ୍ଷେତ୍ରରେ ହାଇଡ୍ରୋଜେନ୍ ଇନ୍ଧନର ବାଣିଜ୍ୟିକ ବ୍ୟବହାର ପ୍ରୋତ୍ସାହିତ କରିବାକୁ ଚାହୁଛନ୍ତି। ଏହି ପରୀକ୍ଷଣ ସମୟରେ ସରକାର ହାଇଡ୍ରୋଜେନ୍ ଇନ୍ଧନର ପ୍ରଦର୍ଶନର ବିଭିନ୍ନ ଦିଗକୁ ଅନୁଶୀଳନ କରିବେ। ଅର୍ଥନୈତିକ ଦୃଷ୍ଟିରୁ ତାହା ଲାଭଦାୟକ ହେଲେ ଏହି ପ୍ରକଳ୍ପକୁ ସମ୍ପ୍ରସାରଣ କରାଯିବ। କେନ୍ଦ୍ର ସରକାର ୨୦୨୩ ଜାନୁଆରି ୪ରେ ୧୯,୭୪୪ କୋଟି ଟଙ୍କାର ଜାତୀୟ ଗ୍ରିନ୍ ହାଇଡ୍ରୋଜେନ୍ ମିସନ୍ର ଶୁଭାରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/04/X8UkDoJLyy1MWhwIW0Gp.jpg)