ଚେନ୍ନାଇ: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ଏହାର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ୧୯୯୬ ମେ’ ୬ରେ କମ୍ପାନି ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଭାରତର ସବୁଠୁ ବିଶ୍ବସନୀୟ ଅଟୋମୋବାଇଲ୍ ବ୍ରାଣ୍ଡ୍ରେ ପରିଣତ ହୋଇପାରିଛି। ଏହି ଅବସରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଉନ୍ସୋ କିମ୍ କହିଛନ୍ତି ଯେ ବିଶ୍ବ ବିନିର୍ମାଣ ଓ ବାଣିଜ୍ୟ ପାଇଁ ଭାରତକୁ କେନ୍ଦ୍ର ସ୍ଥଳରେ ରଖି ୨୯ ବର୍ଷ ପୂର୍ବେ ମିଳିତ ପ୍ରଗତିର ଲକ୍ଷ୍ୟ ନେଇ ହୁଣ୍ଡାଇ ଏହାର ଯାତ୍ରା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଆମେ ଯେଉଁ ପଥ ଅତିକ୍ରମ କରିଛୁ, ତାହାକୁ ନେଇ ବେଶ୍ ଗର୍ବିତ। କେବଳ ସ୍ମାର୍ଟ ଗମନାଗମନ ସମାଧାନ ନୁହେଁ, ଗ୍ରାହକଙ୍କ ସହିତ ଗମ୍ଭୀର ସମ୍ପର୍କ ଏକ ନବସୃଜନ ଓ ସ୍ଥାୟିତ୍ବକୁ ପ୍ରତିଫଳିତ କରୁଥିବା ଏକ ଭବିଷ୍ୟତ ରହିଛି। ବିଶ୍ବସ୍ତରୀୟ ଦୃଷ୍ଟିକୋଣ ‘ମାନବତା ପାଇଁ ପ୍ରଗତି’କୁ ପାଥେୟ କରି କମ୍ପାନି ଉତ୍ପାଦ ଓ ସେବାରେ ରୂପାନ୍ତରଣ ଜାରି ରଖି ସମାଜ ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରରେ ଅତ୍ୟାଧୁନିକ କାରଖାନା ସହ କମ୍ପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ୧୯୯୮ରେ ତାହା କାର୍ଯ୍ୟକ୍ଷମ ହୋଇଥିଲା ଯାହା କୋରିଆ ବାହାରେ କମ୍ପାନିର ପ୍ରଥମ କାରଖାନା ଥିଲା। ସାଣ୍ଟ୍ରୋଠାରୁ କ୍ରେଟା ଏବଂ ଆଓନିକ୍ ୫ ଠାରୁ ଆଇପିଓ ପର୍ଯ୍ୟନ୍ତ ଭାରତର ଯାତ୍ରା ସହ କମ୍ପାନିର ଯାତ୍ରା ସମନ୍ବିତ ରହିଛି। ଗତ ୨୯ ବର୍ଷ ଯାତ୍ରାରେ କମ୍ପାନି ଭାରତରେ ୬୦୦ କୋଟି ଡଲାର ନିବେଶ କରିଥିବା ବେଳେ ୧୨.୭ ନିୟୁତ ଗାଡ଼ି ବିକ୍ରି କରିଛି ଏବଂ ୧୫୦ରୁ ଅଧିକ ଦେଶକୁ ୩.୭ ନିୟୁତ ଗାଡ଼ି ରପ୍ତାନି କରିଛି। ନିକଟରେ କମ୍ପାନି ଚେନ୍ନାଇ କାରଖାନାର ଆଧୁନିକୀକରଣ ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ କରିଛି। ମହାରାଷ୍ଟ୍ରର ତାଲେଗାଓଁରେ ସ୍ଥାପନ କରାଯାଉଥିବା କମ୍ପାନିର ନୂଆ କାରଖାନାରୁ ୨୦୨୫ ଚତୁର୍ଥ ତ୍ରୈମାସିକରେ ଉତ୍ପାଦନ ଆରମ୍ଭ କରିବା ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/07/0FCwKhO6q3xQr6JLoVlY.jpg)