ନୂଆଦିଲ୍ଲୀ: ଟାଟା ମୋଟର୍ସ, ଟୟୋଟା, ରେନୋ ଏବଂ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପରେ ଆଜି ହୁଣ୍ଡାଇ ମୋଟର ଇଣ୍ଡିଆ ଏହାର ବିଭିନ୍ନ ମଡେଲ୍ ଗାଡ଼ି ମୂଲ୍ୟ ହ୍ରାସ ଘୋଷଣା କରିଛି। ଜିଏସ୍ଟି ସଂସ୍କାର ଦ୍ବାରା ଟିକସ ହ୍ରାସ ପାଇଛି। ଏହାର ଲାଭ ଗ୍ରାହକଙ୍କୁ ଦେବାପାଇଁ ଗାଡ଼ି କମ୍ପାନିଗୁଡ଼ିକ କାର୍ ଦାମ୍ କମାଇ ଚାଲିଛନ୍ତି।
ହୁଣ୍ଡାଇ ମୋଟର ଇଣ୍ଡିଆ ଜିଏସ୍ଟି ହ୍ରାସର ସମସ୍ତ ଲାଭ ଗ୍ରାହକଙ୍କୁ ଦେବ ବୋଲି କହିଛି। ନୂଆ ମୂଲ୍ୟ ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ ହେବ। ହୁଣ୍ଡାଇର କାର୍ ମୂଲ୍ୟ ୨.୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିଯିବ।
ଉଲ୍ଲେଖଯୋଗ୍ୟ, ଚଳିତମାସ ୩ ତାରିଖରେ ଜିଏସ୍ଟି ପରିଷଦର ୫୬ତମ ବୈଠକ ହୋଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକଗୁଡ଼ିଏ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରାଯାଇଥିଲା। ୪ ମିଟରରୁ କମ୍ ଲମ୍ବ ଏବଂ ୧୨୦୦ ସିସି ପର୍ଯ୍ୟନ୍ତ ପେଟ୍ରୋଲ ଇଞ୍ଜିନ ଏବଂ ୧୫୦୦ ସିସି ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନରେ ଚାଲୁଥିବା କାର୍ଗୁଡ଼ିକ ଉପରେ ଜିଏସ୍ଟି ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ସେହିଭଳି ୩୫୦ ସିସି ପର୍ଯ୍ୟନ୍ତ ଇଞ୍ଜିନରେ ଚାଲୁଥିବା ୨ ଚକିଆ ଯାନର ଜିଏସ୍ଟିକୁ ମଧ୍ୟ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ଦାମୀ କାର୍ ଉପରେ ଆଦାୟ କରାଯାଉଥିବା ସେସ୍କୁ ଉଠାଇ ଦିଆଯାଇ ୪୦ ପ୍ରତିଶତର ଅନ୍ୟ ଏକ ସ୍ଲାବ ଆରମ୍ଭ କରାଯାଇଛି।
ସୂଚନା ଅନୁଯାୟୀ ହୁଣ୍ଡାଇ ଗ୍ରାଣ୍ଡ୍ ଆଇ୧୦ ନିଓସ୍ ମୂଲ୍ୟ ୭୩,୮୦୮ ଟଙ୍କା, ଅରା ମୂଲ୍ୟ ୭୮,୪୬୫ ଟଙ୍କା, ଏକ୍ସଟର୍ ମୂଲ୍ୟ ୮୯,୨୦୯ ଟଙ୍କା, ଆଇ୨୦ ମୂଲ୍ୟ ୯୮୦୫୩ ଟଙ୍କା, ଆଇ୨୦ ଏନ୍ ଲାଇନ୍ ମୂଲ୍ୟ ୧,୦୮,୧୧୬ ଟଙ୍କା, ଭେନ୍ୟୁ ମୂଲ୍ୟ ୧,୨୩,୬୫୯ ଟଙ୍କା, ଭର୍ନା ମୂଲ୍ୟ ୬୦,୬୪୦ ଟଙ୍କା, କ୍ରେଟା ମୂଲ୍ୟ ୭୨,୧୪୫ ଟଙ୍କା, ଆଲକାଜାର ମୂଲ୍ୟ ୭୫,୩୭୬ ଟଙ୍କା ଏବଂ ଟୁସୋଁ ମୂଲ୍ୟ ୨,୪୦,୩୦୩ ଟଙ୍କା କମିଛି।
କାର୍ କମ୍ପାନିଗୁଡ଼ିକ ଦାମ୍ କମାଇବା ପରେ ଲୋକମାନେ ଅଧିକ ସଂଖ୍ୟାରେ କାର୍ କିଣିବେ ବୋଲି ଆଶା କରାଯାଉଛି। ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ଏମ୍ଡି ଉନସୁ କିମ୍ ଯାତ୍ରୀବାହୀ ଯାନ ଉପରେ ସରକାରଙ୍କ ଜିଏସ୍ଟି ହ୍ରାସ ନିଷ୍ପତ୍ତିକୁ ପ୍ରଂଶସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/08/untitled-19-2025-09-08-07-50-07.jpg)