ଆଉ ବଜାରକୁ ଆସିବନି ହ୍ୟୁଣ୍ଡାଇ ସାଣ୍ଟ୍ରୋ, ଉତ୍ପାଦନ ବନ୍ଦ କଲା କମ୍ପାନି

ମୁମ୍ବାଇ : ହ୍ୟୁଣ୍ଡାଇ ମୋଟର୍ସ ପକ୍ଷରୁ ଏହା ଏକ ଲୋକପ୍ରିୟ କାର ସାଣ୍ଟ୍ରୋର ଉତ୍ପାଦନ ବନ୍ଦ କରିଦିଆଯାଇଛି । ଭାରତୀୟ ବଜାରରେ ଏହି ମଡେଲର ଚାହିଦା କମିବା ଓ ଏହି ମଡେଲ ଉତ୍ପାଦନରେ କ୍ଷତି ସହୁଥିବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି ବୋଲି ଦ ଇକନୋମିକ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ସାଣ୍ଟ୍ରୋ ମଡେଲଟି ଭାରତୀୟ ବଜାରରେ ହ୍ୟୁଣ୍ଡାଇ ପକ୍ଷରୁ ଛଡ଼ାଯାଇଥିବା ଏକ ଲୋକପ୍ରିୟ ମଡେଲ ମଧ୍ୟରୁ ଅନ୍ୟତମ । ଏହି ମଡେଲ ଯୋଗୁଁ ହ୍ୟୁଣ୍ଡାଇ ଭାରତୀୟ ବଜାରରେ ନିଜର ସ୍ଥିତି ସୁଦୃଢ କରିପାରିଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଏହାର ଚାହିଦା କମୁଥିବାରୁ କମ୍ପାନି ପୂର୍ବରୁ ଥରେ ଏହାର ଉତ୍ପାଦନ ସାମୟିକଭାବେ ବନ୍ଦ କରିଦେଇଥିଲା । ୨୦୧୮ରେ ଏହାକୁ ପୁଣି ବଜାରକୁ ଛଡ଼ାଯାଇଥିଲେ ବି କମ୍ପାନି ନିଜର ପୂର୍ବ ସଫଳତା ଦୋହରାଇପାରିନଥିଲା । ଗତ ୬ ମାସ ହେଲା ଏହି ମଡେଲ ମାସକୁ ମାତ୍ର ୧୫୦୦ରୁ ୨୦୦୦ ଟି ବିକ୍ରି ହେଉଛି । ଗତ ସପ୍ତାହରେ କମ୍ପାନି ପକ୍ଷରୁ ସାଣ୍ଟ୍ରୋର ଶେଷ ଗାଡିଟି ଉତ୍ପାଦନ କରାଯାଇଥିଲା ।

ବିଭିନ୍ନ କାରଣରୁ ସାଣ୍ଟ୍ରୋର ଚାହିଦା କମିଛି । ପ୍ରଥମତଃ ଭାରତୟ ବଜାରରେ ହାଚବ୍ୟାକର ଚାହିଦା କମି ଏବେ ଏସୟୁଭିର ଚାହିଦା ବୃଦ୍ଧି ପାଇଛି । କମ ଚାହିଦା ଯୋଗୁଁ ଉତ୍ପାଦନ ଲାଭଜନକ ହୋଇପାରୁନାହିଁ । ଆଉ ଏକ କାରଣ ହେଉଛି ସରକାରଙ୍କ ପ୍ରସ୍ତାବିତ ନୂଆ ନିୟମ ଅନୁସାରେ ୮ ଜଣ ପର୍ୟ୍ୟନ୍ତ ଯାତ୍ରୀ କ୍ଷମତା ଥିବା କାରରେ ୬ଟି ବେଲୁନ ଲଗାଇବା ବାଧ୍ୟତାମୂଳକ । ଏହି ନିୟମ ଦ୍ବାରା ଖର୍ଚ୍ଚ ବଢିବାର ଆଶଙ୍କା ଥିବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି ।

 

ସମ୍ବନ୍ଧିତ ଖବର